ବିଜେଡିକୁ ବାବୁଙ୍କ ବାଏ ବାଏ ! ଦଳ ଛାଡିଲେ ବିଜେଡି ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ।

109

ବିଜୁ ଜନତା ଦଳର ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳୀୟ ପଦବି ସହ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶ୍ରୀ ସିଂହଙ୍କ ଇସ୍ତଫା ସହ ଭୁବନେଶ୍ବର ରାଜନୀତି ସରଗରମ ହୋଇ ଉଠିଛି । ବାବୁ ସିଂହ ଦୀର୍ଘ ଦିନ ଧରି ବିଜେଡି ଭୁବନେଶ୍ବର ଜିଲ୍ଲା କମିଟିର କାର୍ଯ୍ୟକାରୀ ସଭାପତି ରହିଥିଲେ ।

ଗତ କିଛି ମାସ ଧରି ସେ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହେବା ନେଇ ଜୋର୍ଦାର୍ ଅଭିଯାନ ଚଳାଇଥିଲେ। ସେଥିପାଇଁ ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଥିବା ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇଥିଲା। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେ ଶ୍ରୀ ପଣ୍ଡାଙ୍କୁ ଚ୍ୟାଲେଞ୍ଜ୍ ଦେଇ ସମାନ୍ତରାଳ ଭାବେ ସଂଗଠନ, ଶୋଭାଯାତ୍ରା କରୁଥିଲେ। ଇସ୍ତଫା ପରେ ଶ୍ରୀ ସିଂହ କହିଛନ୍ତି, ୩୦ ବର୍ଷ ଧରି ବିଜୁ ପରିବାର ସହ ରହିଥିଲି । ନିଷ୍ଠାପର ଭାବେ କାମ କରୁଥିଲି । ରାଜଧାନୀରେ ଦଳର ସଂଗଠନକୁ ମଜବୁତ୍ କରିବାକୁ ବହୁ କାମ କରିଥିଲି । କିନ୍ତୁ ଦଳ ମୋତେ ଅଣଦେଖା କଲା । ବିଶେଷ କରି ଜିଲ୍ଲା ସଭାପତି ମୋତେ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କଲେ ନାହିଁ। ତେଣୁ ଦଳ ଛାଡ଼ିବା ବ୍ୟତୀତ କିଛି ବାଟ ନ ଥିଲା।

ବିଜେଡିରୁ ଇସ୍ତଫା ପରେ ଶ୍ରୀ ସିଂହ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ଦୁଇ ତିନି ଦିନ ଭିତରେ ନିଜ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଛି । ଏପରିକି ସେ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକଙ୍କ ମହଲରେ ଆଲୋଚନା ଚାଲିଛି । ପୂର୍ବରୁ ଏକାମ୍ରରେ ବିଜେପି ପ୍ରାର୍ଥୀ ଭାବେ ଅମୀୟ ଦାସଙ୍କ ନାମ ଚର୍ଚ୍ଚାର ଆଗରେ ଥିଲା ବେଳେ ସେ କିଛି ମାସ ହେଲା ଘର ଘର ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି । ତେଣୁ ଏବେ ବାବୁ ସିଂହଙ୍କ ବିଜେପିରେ ପ୍ରବେଶ ଓ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ବିଜେପି କର୍ମୀମାନେ କିପରି ଗ୍ରହଣ କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।