ଜାମିନ୍ ପରେ ଝଟକା ! ବାବ୍ରୀ ମସଜିଦ୍ ଘଟଣାରେ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଛନ୍ଦି ହେଲେ ଆଡଭାନୀ

52

କନକ ବ୍ୟୁରୋ : ବାବ୍ରୀ ମସଜିଦ୍ ଭଙ୍ଗା ଘଟଣାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ନାଁରେ ଚାର୍ଜଫ୍ରେମ୍ କଲେ ସିବିଆଇ କୋର୍ଟ । ଆଡଭାନୀଙ୍କ ସହ ମୁରଲୀ ମନୋହର ଯୋଶୀ, କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ସମେତ ୧୨ ଜଣଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ଚାଲିବ ସିବିଆଇ କୋର୍ଟରେ । ତେବେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ସମସ୍ତଙ୍କୁ ଜାମିନ ଦେଇଛନ୍ତି ।

ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଆଡଭାନୀ, ଯୋଶୀ ଓ ଉମା ଭାରତୀଙ୍କ ସମେତ ସମସ୍ତ ୧୨ ଅଭିଯୁକ୍ତ ହାଜିର ହେବା ପରେ ମାମଲା ଖାରଜ କରିବାକୁ କରିଥିଲେ ଆବେଦନ । ତେବେ କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିବା ସହ ଜାମିନ ମଂଜୁର କରିଥିଲେ ସମସ୍ତ ୧୨ ଆରୋପୀ ନେତାଙ୍କୁ । ପୂର୍ବରୁ ଏ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ବାରମ୍ବାର ନିର୍ଦ୍ଦେଶ ଜାରି କରାଯାଉଥିଲେ ମଧ୍ୟ ଏହାକୁ ଏଡ଼ାଇବାର ଅଭିଯୋଗ ଆସିଥିଲା । ତେଣୁ ମେ ୩୦ ତାରିଖ ଚୂଡ଼ାନ୍ତ କରାଯାଇଥିଲା ଏଥିପାଇଁ ।

କୋର୍ଟରେ ହାଜିର ହେବା ପୂର୍ବରୁ ସମସ୍ତଙ୍କ ମନରେ ଥିଲା ଉତ୍କଣ୍ଠା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭେଟିଥିଲେ ଆଡଭାନୀଙ୍କୁ । ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ବାବ୍ରୀ ମସଜିଦ ଭଙ୍ଗା ସଂପର୍କିତ ୨ଟି ଅଲଗା ଅଲଗା ମାମଲାର ଶୁଣାଣି କରିଥିଲେ । ଯାହାର ଚୂଡ଼ାନ୍ତ ରାୟ ଆଗକୁ ଆସିବ । ତେବେ ଏହି ମାମଲାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଜାମିନ୍ ମିଳିବା ପରେ ସାମୟିକ ଆଶ୍ୱସ୍ତି ମିଳିଛି ସମସ୍ତଙ୍କୁ ।