କୁମ୍ଭମେଳାରେ ବନ୍ଧୁକ ବାବା! ହାତରେ ଜପାମାଳା ବଦଳରେ ବନ୍ଧୁକ ଧରି ନଜର ଆସୁଛନ୍ତି ଅନେକ ବାବା, ଦେଖିବାକୁ ଭକ୍ତ ଲଗାଉଛନ୍ତି ଲମ୍ବା ଲାଇନ ।

109

ବିଶ୍ୱର ସବୁଠୁ ବଡ ମେଳା କୁମ୍ଭମେଳାରେ ଏବେ ହଜାର ହଜାର ବାବା ଓ ଭକ୍ତ ଏକାଠି ହୋଇଛନ୍ତି । ଏହି ମେଳାରେ ଭିନ୍ନ ଭିନ୍ନ ଷ୍ଟାଇଲରେ ପ୍ରତ୍ୟେକ ବାବାଙ୍କୁ ଦେଖିବାକୁ ମିଳୁଛି ।  ଭାରତ ସମେତ ପୂରା ବିଶ୍ୱରୁ କୁମ୍ଭମେଳାକୁ ଛୁଟି ଆସିଥିବା ଏହି ବାବାଙ୍କ ମଧ୍ୟର ଅନେକଙ୍କୁ ଦେଖିବାକୁ ଭକ୍ତ ମାନେ ଲମ୍ବା ଲାଇନ ଲଗାଉଛନ୍ତି । କୁମ୍ଭମେଳାରେ ଭିନ୍ନ ଭିନ୍ନ ଅନ୍ଦାଜରେ ବାବାଙ୍କୁ ଦେଖିବାକୁ ମିଳୁଛି । କିଏ ଜପ-ତପ-ଧ୍ୟାନ କରୁଥିବାର ନଜର ଆସୁଛି ତ ପୁଣି କାହା ହାତରେ ଦଣ୍ଡ କମଣ୍ଡଳ ସହ ରୁଦ୍ରାକ୍ଷ ମାଳ ଦେଖିବାକୁ ମିଳୁଛି । ତେବେ ଏସବୁ ଭିତରେ କିଛି ବାବା ଗଣମାଧ୍ୟମର ଫୋକସରେ ରହିଛନ୍ତି ।ଯେଉଁମାନଙ୍କ ହାତରେ ଦଣ୍ଡ-କମଣ୍ଡଳ ବଦଳରେ ବନ୍ଧୁକ ଦେଖିବାକୁ ମିଳୁଛି । ଗବର ଫିଲ୍ମ ଷ୍ଟାଇଲରେ ଅଣ୍ଟାରେ ଗୁଳି ଓ ହାତରେ ରିଭଲଭର ଧରି ଶିବିରରେ ଦର୍ଶନ ଦେଉଛନ୍ତି ବାବା । ଆଉ ଏଭଳି ବାବାଙ୍କ ଦର୍ଶନ ଓ ଆର୍ଶୀବାଦ ନେବା ପାଇଁ ଶିବିରରେ ମଧ୍ୟ ଜବରଦସ୍ତ ଭିଡ ଦେଖିବାକୁ ମିଳୁଛି ।

ସେହିଭଳି ଜଣେ ବାବାଙ୍କ ମଧ୍ୟରୁ ଅଦ୍ୱୈତ୍ୟ ଚୈତନ୍ୟ ଅନ୍ୟତମ । ଦିଲ୍ଲୀରୁ ଆସିଥିବା ଏହି ବାବା ଜଣଙ୍କ ବଲିଉଡ ଫିଲ୍ମ ଗବର ସିଂଙ୍କ ଲୁକରେ ନଜର ଆସୁଛନ୍ତି । ଗେରୁଆ ବସ୍ତ୍ର ପରିଧାନ କରିଥିବା ଏହି ବାବା ହାତରେ ବନ୍ଧୁକ ଓ ଅଣ୍ଟାରେ ଗୁଳି ବାନ୍ଧି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଉ ଏସବୁ ଭିତରେ ସନ୍ୟାସୀ ଜୀବନର ସଂଘର୍ଷମୟ କାହାଣୀ କହିଛନ୍ତି ବାବା ଅଦ୍ୱୈତ୍ୟ ଚୈତନ୍ୟ । କାନପୁରରେ ଜନ୍ମ ଗ୍ରହଣ କରିଥିବା ଅଦ୍ୱୈତ୍ୟ ଚୈତନ୍ୟ ମାତ୍ର ୧୨ ବର୍ଷ ବୟସରେ ଘର ତ୍ୟାଗ କରି ଦେଇଥିଲେ । ପରେ ମୁମ୍ବାଇର ମାଟୁଙ୍ଗା ମଠରେ ଶିବ ଚୈତନ୍ୟ ବ୍ରହ୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିଠାରୁ ହିଁ ତାଙ୍କର ସନ୍ନ୍ୟାସୀ ଯାତ୍ରା ଆରମ୍ଭ ହୋଇଥିଲା । ସେଠାରେ ସନ୍ୟାସ ହେବା ପାଇଁ ଦୀକ୍ଷା ନେବା ସହ ବେଦ ଅଧ୍ୟୟନ ଆରମ୍ଭ କରିଥିଲେ । ଏହାପରେ କିଛି ଦିନ ଗୁଜୁରାଟ ଓ ସୁରଟରେ ରହି ସଂସ୍କୃତ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ୧୯୭୫ରେ ପଞ୍ଜାବ ଚାଲିଯାଇ ସେଠାରେ ଶୀତଲା ମନ୍ଦିରରେ ରହି ସନାତନ ଧର୍ମ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ ତ୍ରିଶୁଳ ପ୍ରଦାନ କରୁଥିଲେ । ଯେଉଁଥିପାଇଁ ଖଲିସ୍ଥାନୀ ଆତଙ୍କବାଦୀ ତାଙ୍କୁ ବିରୋଧ କରିଥିଲେ ।

ଏପରିକି ଶୀତଲା ମନ୍ଦିରରେ ୧୯୮୭ ମସିହାରେ ୩ ଜଣ ଖଲିସ୍ତାନୀ ଆତଙ୍କବାଦୀ ତାଙ୍କୁ ଘେରିଯାଇ ଗୁଳିବର୍ଷା କରିଥିଲେ । ମୁଣ୍ଡରେ ୧୨ଟି ଗୁଳି ବାଜିଥିବା ବେଳେ ହାତରେ ୬ଟି ଗୁଳି ବାଜିଥିଲା । ଆତଙ୍କବାଦୀ ମାନେ ତାଙ୍କୁ ମୃତ ଭାବି ଛାଡି ଚାଲିଯାଇଥିଲେ । ତେବେ ତାଙ୍କ ଶିଷ୍ୟ ମାନେ ହସ୍ପିଟାଲକୁ ନେଇ ତାଙ୍କର ଜୀବନ ବଞ୍ଚାଇଥିଲେ । ଏହାପରେ ଆତଙ୍କବାଦୀ ମାନେ ଉକ୍ତ ମନ୍ଦିରକୁ ଯେତେବେଳେ ଉଡାଇବାକୁ ଧମକ ଦେଲେ ସେତେବେଳେ ବାବା ଅଦ୍ୱୈତ୍ୟ ଚୈତନ୍ୟ ପଞ୍ଚାବ ଛାଡି ଦିଲ୍ଲୀ ଚାଲି ଆସିଥିଲେ । ସେତେବେଳେ ପଞ୍ଜାବର ଗୃହ ସଚିବଙ୍କ କହିବା ଅନୁଯାୟୀ, ତାଙ୍କୁ ବନ୍ଧୁକର ଲାଇସେନ୍ସ ପ୍ରଦାନ କରାଯାଇଥିଲା ।  ସେବେଠାରୁ ସେ ବନ୍ଧୁକ ନିଜ ପାଖରେ ରଖିଛନ୍ତି ।

କେବଳ ବାବା ଅଦ୍ୱୈତ୍ୟ ଚୈତନ୍ୟ ନୁହଁନ୍ତି ବରଂ ଶମ୍ଭୁ ପଞ୍ଚ ଅଗ୍ନି ଆଖଡାର ଭୋଳା ବାବା, ବାବା କମଳାନନ୍ଦ ବ୍ରହ୍ମଚାରୀଙ୍କ ସମେତ ଅନ୍ୟ କିଛି ସାଧୁ ସନ୍ଥ ମଧ୍ୟ ବନ୍ଧୁକ ଧରି କୁମ୍ଭ ମେଳାକୁ ଆସିଛନ୍ତି । ଯେଉଁମାନେ ଶିବିରରୁ ବାହାରିବା ମାତ୍ରେ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥାଏ । ବାବା ଅଦ୍ୱୈତ୍ୟ ଚୈତନ୍ୟଙ୍କ କହିବା ଅନୁଯାୟୀ, ପର୍ଶୁରାମ ଭଗବାନଙ୍କ ଅବତାର ଥିଲେ କିନ୍ତୁ ସେ ମଧ୍ୟ ଶସ୍ତ୍ର ଧାରଣ କରିଥିଲେ । ଭଗବାନ ରାମ ମଧ୍ୟ ଅତ୍ୟାଚାରୀଙ୍କୁ ବଧ କରିବାକୁ ଧନୁ ଉଠାଇଥିଲେ । ତେଣୁ ଅତ୍ୟାଚାରୀଙ୍କୁ ଦମନ କରିବାକୁ ଶସ୍ତ୍ର ଉଠାଇବାରେ କୌଣସି ଅସୁବିଧା ନାହିଁ ।