ସରିନି ସାରଥୀଙ୍କ କ୍ରେଜ୍ : ଖୋର୍ଦ୍ଧା ଜରିପଡାରେ ସାରଥୀ ସତସଙ୍ଗ

32

ଖୋର୍ଦ୍ଧା : କମିନି ବାବାଙ୍କ କ୍ରେଜ୍। ସାମିଆନା ତଳେ ଆତ୍ମଘୋଷିତ ଭଗବାନଙ୍କ ୮ଫୁଟିଆ ଫଟୋ। ପ୍ରଭୁ ପାଦ ତଳେ ଧୂପ ,ଦୀପ ଓ ନୈବେଦ୍ୟର ପସରା। ଟାଙ୍ଗୀ ବେହେରା ସାହିର ପ୍ରବଚନ ଦୃଶ୍ୟ ଏମିତି କିଛି ଲାଗୁଥିଲା। ଜେଲ୍ ଛାଡି ଜରିପଡାରେ ଯେମିତି ବିରାଜମାନ କରିଛନ୍ତି ସାରଥୀ। ବାବାଙ୍କୁ ମୁଗ୍ଧ କରିବାକୁ ମୃଦଙ୍ଗର ତାଳେ ତାଳେ ପରିବେଷଣ ହେଉଛି ସାରଥୀ ଭଜନ। ଆଉ ଭକ୍ତିର ମୂର୍ଚ୍ଛନାରେ ସୃଷ୍ଟି ହୋଇଛି ଏକ ଅପୂର୍ବ ପରିବେଶ। ଝୁମି ଉଠୁଛି ଭକ୍ତମନ।

ଏ ଆୟୋଜନ କରିଛନ୍ତି ଗାଁର ପଦ୍ମ ବେହେରା ଓ ଚିନ୍ତାମଣି ବେହେରା। ଅନେକ ଦିନ ଧରି ପୂଜାର୍ଚ୍ଚନା ପରେ ଆଜି ଥିଲା ପ୍ରବଚନ କାର୍ଯ୍ୟକ୍ରମ। ହେଲେ ଭଣ୍ଡ ବାବଙ୍କୁ ନେଇ ଭାଣ୍ଡାମୀ ଚାଲିଥିବା ଅଭିଯୋଗ କରି ଗାଁ ଲୋକେ ବିରୋଧ କରିଥିଲେ। ଆଉ ପ୍ରବଚନ ସ୍ଥଳକୁ ଆସି ଭଙ୍ଗାରୁଜ୍ଜା କରିଥିଲେ। ସାଥେୀଙ୍କ ଫଟୋରେ ଚପଲମାଳ ପିନ୍ଧାଇବା ସହ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଟାଙ୍ଗୀ ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

ସାରଥୀଙ୍କ ମୁଖା ଖୋଲିବା ଘଟଣାକୁ ଏବେ ଏବେ ପୁରିଛି ବର୍ଷେ। ବାବାଙ୍କ ବ୍ୟଭିଚାର କଥା ଆଜି ବି ଚର୍ଚ୍ଚା ସୃଷ୍ଟି କରୁଛି। ସେପଟେ ବନ୍ଦୀ ବାବା ମୁକ୍ତ ହେବାକୁ ହାଇକୋର୍ଟ ପାଖରେ ନେହୁରା ହେଉଛନ୍ତି । ହେଲେ ନ୍ୟାୟାଳୟରୁ ନ୍ୟାୟ ମିଳୁନି ଭଗବାନଙ୍କୁ। ଏସବୁ ପରେ ବି ବାବାଙ୍କୁ ବିଶ୍ୱାସ କରୁଥିବା ଭକ୍ତ ଅଛନ୍ତି। ହୁଏତ ଏକଥା ପ୍ରମାଣିତ ହୋଇଛି ଜରିପଡାରେ ଏ ଆୟୋଜନ ଦେଖି।