ବାବା ରାମଦେବ ଲଞ୍ଚ କଲେ ପତଞ୍ଜଳି ସିମ୍ ! ୧୪୪ ଟଙ୍କାରେ ଅନଲିମିଟେଡ଼ କଲ ସହ ୨ ଜିବି ଡ଼ାଟା, ମିଳିବ ଜୀବନବୀମା ଓ ମେଡ଼ିକାଲ ଇନସ୍ୟୁରାନ୍ସ

206

ଟେଲିକମ ବଜାରରେ ଏଣ୍ଟ୍ରି ମାରିଲେ ଯୋଗଗୁରୁ ବାବା ରାମଦେବ । ଲଞ୍ଚ ହେଲା ପତଞ୍ଜଳୀ ସିମ । ରବିବାର ଏକ ଇଭେଣ୍ଟରେ ଯୋଗଦେବା ବେଳେ ବାବା ରାମଦେବ ଏକ ସିମ କାର୍ଡ଼ ଲଞ୍ଚ କରିଛନ୍ତି । ଏହାର ନାଁ ସ୍ୱଦେଶୀ ସମୃଦ୍ଧି ସିମ କାର୍ଡ଼ ରଖାଯାଇଛି । ଯାହାକୁ ପତଞ୍ଜଳି କମ୍ପାନି ଓ ବିଏସଏନଏଲ କମ୍ପାନି ମିଳିତ ଭାବେ ବଜାରକୁ ପ୍ରବେଶ କରାଇଛନ୍ତି । ଭାରତୀୟ ବଜାରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବାବା ରାମଦେବଙ୍କ ଏହି ସ୍ୱଦେଶୀ ସିମର ଅନେକ ଗୁଡ଼ିଏ ଫିଚର ରହିଛି । ତେବେ ଏହି ସିମ ଏବେ କେବଳ ପତଞ୍ଜଳି କମ୍ପାନିର କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ।

ରାମଦେବଙ୍କ ଏହି ସ୍ୱଦେଶୀ ସମୃଦ୍ଧି ସିମରେ ୧୪୪ ଟଙ୍କା ରିଚାର୍ଜ କରିବା ଦ୍ୱାରା ୟୁଜର୍ସଙ୍କୁ ୨ ଜିବି ଡାଟା ସହ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିବ । ଏବଂ ୧୦୦ ଏସଏମଏସର ଫାଇଦା ମଧ୍ୟ ଉଠାଇ ପାରିବେ ୟୁଜର୍ସ । ଏହାଛଡ଼ା ଏହି ସିମ ଜରିଆରେ ପତଞ୍ଜଳି କମ୍ପାନିର ସାମଗ୍ରୀ ଉପରେ ୧୦ ପ୍ରତିଶତ ରିହାତି ମଧ୍ୟ ମିଳିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସିମ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡ଼ିକାଲ ଇନସ୍ୟୁରାନ୍ସ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ମଧ୍ୟ ଦିଆଯିବ ।

ସିମର ବଜାର ପ୍ରବେଶ ବେଳେ ବାବା ରାମଦେବ କହିଛନ୍ତି, ବିଏସଏନଏଲ ଏକ ସ୍ୱଦେଶୀ ନେଟୱର୍କ କମ୍ପାନି । ପତଞ୍ଜଳି ଓ ବିଏସଏନଏଲର ଲକ୍ଷ୍ୟ ସମାନ, ଲୋକଙ୍କ ସେବା କରିବା । ଏହାଛଡ଼ା ବାବା କହିଛନ୍ତି ଆମର ଲକ୍ଷ୍ୟ ଯେ, କେବଳ ଲୋକଙ୍କୁ ଶସ୍ତା ଡାଟା ଓ କଲ ପ୍ୟାକେଜ ଦେବା ତାହା ନୁହେଁ ବରଂ ଲୋକଙ୍କୁ ସ୍ୱାସ୍ଥ୍ୟ ଓ ଜୀବନବୀମା ମଧ୍ୟ ଯୋଗାଇ ଦେବା ମଧ୍ୟ ଆମର ପ୍ରାଥମିକତା । ତେବେ ରାମଦେବଙ୍କ କହିବା ଅନୁଯାୟୀ ଏହି ବୀମା କେବଳ ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଲାଗୁ କରାଯିବ ।
ବିଏସଏନଏଲର ଅଧିକାରୀ ସୁନୀଲ ଗର୍ଗଙ୍କ କହିବା ଅନୁଯାୟୀ, ପତଞ୍ଜଳିର ଏହି ପ୍ଲାନ ବିଏସଏନଏଲର ସବୁଠୁ ବେଷ୍ଟ ପ୍ଲାନ ।ତେବେ ଏହି ସିମ କାର୍ଡ଼ କେବଳ ପତଞ୍ଜଳି କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିବ । ପତଞ୍ଜଳି କର୍ମଚାରୀ କେବଳ ନିଜର ଆଇଡ଼ି କାର୍ଡ଼ ଦେଖାଇ ଏହି ସିମ କାର୍ଡ଼ ପାଇପାରିବେ ।