ପୁଣି ବାବାଙ୍କ କେଳେଙ୍କାରୀ ! ବାବା ଦାତୀ ମହାରାଜଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ମହିଳା ।

47

ରାଷ୍ଟ୍ରୀୟ ସମାଚାର ଚ୍ୟାନେଲରେ ନିୟମିତ ଗୁରୁମନ୍ତ୍ର ଦେଉଥିବା ଦାତୀ ମହାରାଜଙ୍କ ନାଁରେ ଆସିଛି ବଳାତ୍କାର ଅଭିଯୋଗ । ଆତ୍ମଘୋଷିତ ଭଗବାନ ପରମହଂସ ବୋଲାଉଥିବା ଦାତୀ ମହାରାଜଙ୍କ ବିରୋଧରେ ଜଣେ ମହିଳା ଭକ୍ତ ଏଭଳି ଅଭିଯୋଗ ଆଣିଛନ୍ତି । ଦିଲ୍ଲୀର ଛତ୍ରପୁର ସ୍ଥିତ ଶନି ଧାମ ମନ୍ଦିର ପ୍ରମୂଖ ହେଉଛନ୍ତି ଦାତୀ ମହାରାଜ । ଅଭିଯୋଗକାରିଣୀ ମହିଳାଙ୍କ କହିବା ମୁତାବକ ୨ ବର୍ଷ ତଳେ ଶନି ଧାମ ମନ୍ଦିର ଭିତରେ ବଳାତ୍କାର କରିଥିଲେ ବାବା । ତେବେ ମହିଳାଙ୍କ ଜୀବନକୁ ବିପଦ ଥିବାରୁ ଭୟଭୀତ ହୋଇ ଦୁଇ ବର୍ଷ ହେବ ଚୁପ ବସିଥିଲେ ବୋଲି କହିଛନ୍ତି ।

ଦାତୀ ମହାରାଜ ନିୟମିତ ଭାବେ ରାଷ୍ଟ୍ରୀୟ ସମାଚାର ଚ୍ୟାନେଲ ଏବଂ ନିଜର ସ୍ୱତନ୍ତ୍ର ୱେବସାଇଟରେ ମଧ୍ୟ ଗୁରୁମନ୍ତ୍ର ଦିଅନ୍ତି । ଦିଲ୍ଲୀ ଶ୍ରୀମନ୍ଦିର ପ୍ରମୂଖ ଦାତୀ ମହାରାଜଙ୍କର ଦକ୍ଷିଣ ଦିଲ୍ଲୀରେ ଏକ ବିଶାଳ ଫାର୍ମ ହାଉସ ମଧ୍ୟ ରହିଛି ବୋଲି ସୁଚନା ମିଳିଛି । ତେବେ ମହିଳା ଜଣକ ଗତ ଦୁଇଦିନ ତଳେ ବଳାତ୍କାର ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ଦିଲ୍ଲୀ ପୁଲିସ ଘଟଣାର ଯାଞ୍ଚ କରି ଦୁଷ୍କର୍ମ ଅଭିଯୋଗ ଅନୁଯାୟୀ ଆଇପିସିର ଧାରା – ୩୭୬,୩୭୭, ୩୫୪ ଏବଂ ୩୪ ଆଧାରରେ ମାମଲା ରୁଜୁ କରାଯାଇଛି । ଖୁବଶୀଘ୍ର ଏନେଇ ଦାତୀ ମହାରାଜଙ୍କୁ ପୋଲିସ ପଚରା ଉଚୁରା କରିବ ବୋଲି ପୋଲିସ କହିଛି ।

ବାବା ଦାତୀଙ୍କ ପୂର୍ବରୁ ଅନେକ ବାବା ଦୁଷ୍କର୍ମ ମାମଲାରେ ଫସିଛନ୍ତି :

ଆଶାରାମ : ଲୋକପ୍ରିୟ ବାବା ଆଶାରାମ ବାପୁ ମଧ୍ୟ ଚଳିତ ବର୍ଷ ଜଣେ ନାବାଳିକା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୋଧପୁର ଅଦାଲତ ତାଙ୍କୁ ଦୋଷି ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି ।

ରାମରହିମ ସିଂହ : ଗତ ବର୍ଷ ଗୁରମିତ ରାମରହିମ ସିଂହ ତଥା ମେସେଞ୍ଜର ଅଫ ଗଡ ବୋଲାଉଥିବା ବାବା ମଧ୍ୟ ବଳାତ୍କାର ଅଭିଯୋଗରେ ୨୦ ବର୍ଷର କାରାଦଣ୍ଡ ଭୋଗୁଛନ୍ତି । ଏହାସହ ରାମରହିମ ଉପରେ ୩୦ଲକ୍ଷ ୨୦ ହଜାର ଟଙ୍କାର ଦଣ୍ଡ ଶୁଣାଇଥିଲେ ସିବିଆଇର ସ୍ୱତନ୍ତ୍ର ଅଦାଲତ ।

ସ୍ୱାମୀ ନିତ୍ୟାନନ୍ଦ : ଭାରତରେ ଚର୍ଚ୍ଚିତ ଆତ୍ମଘୋଷିତ ବାବା ମଧ୍ୟରୁ ନିତ୍ୟାନନ୍ଦ ବାବାଙ୍କର ଭାଇରାଲ ହୋଇଥିବା ସିଡି ତାଙ୍କୁ କାରାଗାରକୁ ପଠାଇଥିଲା । ୨୦୧୦ରେ ବାବାଙ୍କ ରାସଲୀଳାର ଏକ ଭିଡିଓ ସିଡି ମାର୍କେଟରେ ଚହଳ ପକାଇଥିଲା, ଯାହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଏଭଳି ଅନେକ ଆତ୍ମଘୋଷିତ ବାବା ପୂର୍ବରୁ ଦୁର୍ଷ୍କମ ଅଭିଯୋଗରେ ଗିରଫ ହୋଇ ଜେଲରେ ଦଣ୍ଡ ଭୋଗୁଛନ୍ତି । ତେବେ ଦାତୀ ମହାରାଜ ସୋସିଆଲ ମିଡିଆରେ ଜଣେ ଚର୍ଚ୍ଚିତ ବାବା ଭାବେ ପରିଚିତ । ‘ଶନି ଶତ୍ରୁ ନୁହେଁ ମିତ୍ର’ ଭଳି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟରେ ଦିଲ୍ଲୀ ନୁହେଁ ବରଂ ଦେଶରେ ଅନେକ ଖ୍ୟାତି ରହିଛି ତାଙ୍କର ।