ବିଶ୍ୱର ସବୁଠୁ ବଡ ସ୍ୱାସ୍ଥ୍ୟ ସେବା ଯୋଜନାର ଉଦଘାଟନ କଲେ ମୋଦି ! ୧୦ କୋଟିରୁ ଅଧିକ ଗରିବ ପରିବାରର ୫୦ କୋଟି ଲୋକ ହେବେ ଉପକୃତ

28

କନକ ବ୍ୟୁରୋ : ଆଜି ଶୁଭାରମ୍ଭ ହୋଇଛି ମୋଦି ସରକାରଙ୍କ ସବୁଠାରୁ ବଡ ଯୋଜନା ଆୟୁଷ୍ମାନ ଭାରତ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବାର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ବିଶ୍ୱର ଏହା ଏପ୍ରକାର ସବୁଠାରୁ ବଡ ଯୋଜନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ସାମିଲ ହେବେ ଏବଂ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ମିଳିବାର ବ୍ୟବସ୍ଥା ରହିଛି ।

କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଛି । ରାଂଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଏହି ସର୍ବବୃହତ ଯୋଜନାକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏଣିିକି ଗରିବଙ୍କୁ ମଧ୍ୟ ଧନୀଙ୍କ ଭଳି ଚିକିତ୍ସା ସୁବିଧା ମିଳିବ । ଦେଶର ୧୦ କୋଟି ପରିବାର ଏହି ଯୋଜନାରେ ସାମିଲ ହେବେ । ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ।

ଶନିବାର ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ କାହିଁକି ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ । ଏପରିକି ଓଡିଶା ସରକାର ଏହି ଯୋଜନାର ଲାଭ ବୁଝିପାରୁନାହିଁ ମୁଖ୍ୟମନ୍ତ୍ରୀଙ୍କୁ ଘେରିଥିଲେ । ଆଜି ବିଜେଡି କହିଛି, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅପେକ୍ଷା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିକ ଭଲ ।

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ । ମହିଳାଙ୍କୁ ୭ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ସୁବିଧା ମିଳିବ । ସରକାରୀ ଓ ବେସରକାରୀ ହସପିଟାଲରେ ରୋଗୀ, ଏହି ସୁବିଧା ପାଇପାରିବେ । ଅଗଷ୍ଟ ୧୫ ତାରିଖରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ ହୋଇସାରିଥିବା ବେଳେ ଆଜି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ।