ଟଙ୍କା ଦିଅ ଶବ ନିଅ ! ଭୁବନେଶ୍ୱର ଆୟୁଷ ହସପିଟାଲ୍ ବିରୋଧରେ ସଙ୍ଗୀନ ଅଭିଯୋଗ

10

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଇସା ଦିଅ ଶବ ନିଅ । ରାଜଧାନୀର ଆୟୁଷ ହସପିଟାଲ ବିରୋଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ। ଗତକାଲି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ବାବଦରେ ବାକି ଥିବା କିଛି ଅର୍ଥ ଦେଇନଥିବାରୁ ମୃତଦେହ ଛାଡୁନଥିବା ଅଭିଯୋଗ ହୋଇଛି ।

ଅପରେସନ ପରେ ଜ୍ୱରରେ ପୀଡିତ ହୋଇ ଢେଙ୍କାନଳ ନୂଆପଡାରୁ ଆସିଥିବା ଖଗେଶ୍ୱର ପ୍ରଧାନ ଗୁରୁତର ହୋଇପଡିଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ତାଙ୍କୁ ଡାକ୍ତର ବଂଚାଇ ପାରିନଥିଲେ । ଚିକିତ୍ସା ବାବଦରେ କିଛି ଟଙ୍କା ବାକି ଥିବା କହି ଡାକ୍ତରଖାନା କର୍ତୃପକ୍ଷ ଖଗେଶ୍ୱରଙ୍କ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିନଥିଲେ । ସେହିପରି ନୟାଗଡ ଅଂଚଳରୁ ଆସିଥିବା ଲତା ନାୟକଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି ।

ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ସ୍ୱାମୀ ହାଡିବନ୍ଦୁ ନାୟକଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ବାବଦରେ ବାକି ଥିବା ଅର୍ଥ ଦାବି କରି ତାଙ୍କ ଶବ ମଧ୍ୟ ଅଟକ ରଖିଥିଲେ ଡାକ୍ତରଖାନା କର୍ତୃପକ୍ଷ । ଶବ ଅଟକ ରଖିବାକୁ ନେଇ ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଉତେଜନା ଦେଖାଦେଇଥିଲା । ଗଣମାଧ୍ୟମର ହସ୍ତକ୍ଷେପ ପରେ ଡାକ୍ତରଖାନା କର୍ତୃପକ୍ଷ ଉଭୟ ଶବକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ ।