ବିଧାନସଭାରେ ଆସିକା କବିରାଜ । କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ବାଛିଥିଲେ ବିଜୁ ବାବୁ ।

130

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଚିକିତ୍ସାସେବା ହେଉ କି ମନୋରଂଜନ ବା ରାଜନୀତି, ଏ ସବୁ କ୍ଷେତ୍ରର ଏକ ବିଶେଷତ୍ଵ ହେଲା ଯେ ଏ କ୍ଷେତ୍ରରେ ଥରେ ସଫଳ ହେଲେ ଜନସାଧାରଣଙ୍କର ଶ୍ରଦ୍ଧା ଅଜାଡ଼ି ହୋଇପଡ଼େ ଅଯାଚିତ ଭାବରେ । ସାଧାରଣ ମଣିଷର ସୁଖଦୁଃଖ ସହ ଯୋଡ଼ିହୋଇ ରହିବାର ଏସବୁ ପ୍ରକୃଷ୍ଟ କ୍ଷେତ୍ର । ତେବେ ଏହି ତିନୋଟିଯାକ କ୍ଷେତ୍ରରେ ଅପୂର୍ବ ପାରଦର୍ଶିତା ହାସଲ କରିଥିଲେ ଆସ୍କାର ପ୍ରସିଦ୍ଧ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା, ଯେ କି ୧୯୮୧ ମସିହାରେ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ମାନଜନକ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ । କମ୍ୟୁନିଷ୍ଟମାନଙ୍କ ଗଡ଼ଭାବେ ପରିଗଣିତ ହେଉଥିବା ଆସ୍କା ବିଧାନସଭା ଆସନରୁ ସେ ‘ଉତ୍କଳ କଂଗ୍ରେସ’ର ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ ୧୯୭୧ ମସିହାରେ ।

୨୩ ଫେବ୍ରୁଆରି ୧୯୧୪ରେ ଜନ୍ମିତ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଥିଲେ ଜଣେ ବହୁମୁଖୀ ପ୍ରତିଭା । କଲିକତାର ଅଷ୍ଟାଙ୍ଗ ଆୟୁର୍ବେଦ ବିଦ୍ୟାଳୟରୁ ଆୟୁର୍ବେଦ ଶାସ୍ତ୍ର ଅଧ୍ୟୟନ କରି ସେ ଆସ୍କା ଅଞ୍ଚଳରେ ଜଣେ ଚିକିତ୍ସକ ହିସାବରେ ବେଶ୍ ଜନପ୍ରିୟତା ହାସଲ କରିଥିଲେ । ୧୯୩୭ରେ ‘ଉତ୍କଳ ଆୟୁର୍ବେଦିକ ଫାର୍ମାସୀ ଲିମିଟେଡ୍’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ସେ ସାରା ଓଡ଼ିଶାରେ ଉକ୍ରୃଷ୍ଟମାନର ଆୟୁର୍ବେଦୀୟ ଔଷଧ ଉପଲବ୍ଧ କରାଇଥିଲେ । ଏହାର ଶାଖା ଓଡ଼ିଶାର ସବୁ ଜିଲ୍ଲା, ଏପରିକି ପଡ଼ୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟରେ ମଧ୍ୟ ଖୋଲାଯାଇଥିଲା ।

ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ କରିଥିଲେ । ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସେ ତୃଣମୂଳ ସ୍ତରରେ ଚିକିତ୍ସାସେବା ସହିତ କଂଗ୍ରେସର ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ତେବେ ନାଟକ ଓ ଅଭିନୟରେ ରୁଚି ରଖୁଥିବା କୃଷ୍ଣଚନ୍ଦ୍ର ଏତିକିରେ ସନ୍ତୁଷ୍ଟ ହୋଇନଥିଲେ । ୧୯୫୮ ମସିହାରେ ‘ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ’ ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରି ସେ ଯେଉଁ କେତୋଟି ଓଡ଼ିଆ ସିନେମା ନିର୍ମାଣ କରିଥିଲେ ତାହା ସେ ସମୟରେ ବେଶ୍ ଜନପ୍ରିୟ ହୋଇପାରିଥିଲା । ଏହି ବ୍ୟାନରରେ ୧୯୫୯ରେ ମୁକ୍ତିଲାଭ କରିଥିଲା ଶରତ ପୂଜାରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା’ । ଏହାପରେ ୧୯୬୧ରେ ସାମାଜିକ ଚଳଚ୍ଚିତ୍ର ‘ପରିଣାମ’ ଏବଂ ୧୯୬୨ରେ ‘ଦସ୍ୟୁ ରତ୍ନାକର’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।

୧୯୭୧ ମସିହାରେ ବିଜୁ ପଟ୍ଟନାୟକ ତାଙ୍କର ନବପ୍ରତିଷ୍ଠିତ ‘ଉତ୍କଳ କଂଗ୍ରେସ’ ଦଳ ତରଫରୁ ଓଡ଼ିଶା ସାରା ଖୋଜି ଖୋଜି ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ କରାଉଥିଲେ । ସେ ସମୟରେ ଆସ୍କା ବିଧାନସଭା ଆସନ ପାଇଁ ସେ ବାଛିଥିଲେ କୃଷ୍ଣଚନ୍ଦ୍ରଙ୍କୁ । କବିରାଜ ତ୍ରିପାଠୀଙ୍କ ପାଇଁ କିନ୍ତୁ ଆସ୍କା ଆସନ ଜିଣିବା ସହଜ ନଥିଲା । କାରଣ ସେଠାରେ ତାଙ୍କ ସହ ପ୍ରତିଦ୍ଵନ୍ଦ୍ୱିତା କରୁଥିଲେ ଆଗରୁ ଏହି ଆସନ ତିନିଥର ଜିଣିସାରିଥିବା କମ୍ୟୁନିଷ୍ଟ ନେତା ହରିହର ଦାସ । ତାଙ୍କ ଛଡ଼ା ସ୍ୱତନ୍ତ୍ର ପାର୍ଟି ଓ କଂଗ୍ରେସ ଦଳ ତରଫରୁ ମଧ୍ୟ ଆଉ ଦୁଇଜଣ ପ୍ରତିଦ୍ଵନ୍ଦ୍ୱୀ ଥାଆନ୍ତି । କିନ୍ତୁ ନିଜର ଉତ୍ସର୍ଗୀକୃତ ସେବା ବଳରେ ଜନସାଧାରଣଙ୍କ ମନ ଜିଣିପାରିଥିବା କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଏହି କଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟିର ହରିହର ଦାସ ୧୯୨୬୩ ଖଣ୍ଡ ଭୋଟ ପାଇଥିଲାବେଳେ ସେ ୧୯୮୯୦ ଖଣ୍ଡ ଭୋଟ ପାଇ ୬୨୭ଟି ଭୋଟ ବ୍ୟବଧାନରେ ନିର୍ବାଚନ ଜିଣିଥିଲେ ।

ବିଭିନ୍ନ କାରଣରୁ ଆସ୍କା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ବିଜୁ ପଟ୍ଟନାୟକଙ୍କର ଏହି ଅଞ୍ଚଳ ସହିତ ଗଭୀର ଆବେଗିକ ସଂପର୍କ ରହିଥିଲା । ସ୍ୱାଧୀନତା ପରବର୍ତ୍ତୀ ଦୁଇଟି ସାଧାରଣ ନିର୍ବାଚନ ୧୯୫୨ ଓ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥପ୍ରସାଦ ଓ ସୋରଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସଂଯୋଗକ୍ରମେ ତାଙ୍କ ଜୀବନର ଶେଷ ନିର୍ବାଚନ, ସେ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ି ବିଜୟୀ ହୋଇଥିଲେ । ୧୯୭୧ରେ କିନ୍ତୁ ଆସ୍କା ଆସନରୁ ଉତ୍କଳ କଂଗ୍ରେସ ପ୍ରାର୍ଥୀଙ୍କୁ ବିଧାନସଭାକୁ ଜିତାଇଆଣିବା ତାଙ୍କ ପାଇଁ ଆତ୍ମସମ୍ମାନର ପ୍ରଶ୍ନଥିଲା । କମ୍ୟୁନିଷ୍ଟ ଦଳ କବଜାରେ ଥିବା ଏହି ଆସନରୁ ଜିଣିବା ଦୁଃସାଧ୍ୟ ମନେହେଉଥିଲେ ହେଁ, କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଭଳି ସାଧାରଣ ଲୋକଙ୍କ ସୁଖଦୁଃଖ ସହ ଜଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଇ ସେ ଏହି ଅସାଧ୍ୟ ସାଧନ କରିପାରିଥିଲେ ।