ଆଉ କିଛି ସମୟ ପରେ ଅଯୋଧ୍ୟା ରାୟ: ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ

1,126

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଆସିବ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ । ରାମ ଜନ୍ମଭୂମି-ବାବ୍ରିମସଜିଦ ଜମି ବିବାଦ ମାମଲାରେ ଆଜିି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ସକାଳ ୧୦ଟା ୩୦ ମିନିଟ ସମୟରେ କୋର୍ଟଙ୍କ ରାୟ ପ୍ରକାଶ ପାଇବ । ୪୦ ଦିନର ଲଗାତାର ଶୁଣାଣି ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ ।

ତେବେ ରାୟ ଆସିବା ପୂର୍ବରୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତଙ୍କୁ ଅପିଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରୁନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି ।

ସେପଟେ ରାୟ ପୂର୍ବରୁ ଅଯୋଧ୍ୟାରେ ୧୪୪ ଧାରା ବଳବତ୍ତର ରହିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଅଯୋଧ୍ୟାରେ ୪ ହଜାର ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷାକର୍ମୀ ମୁତୟନ ପାଇଁ କଡା ନିର୍ଦ୍ଦେଶ ରହିଛି । ଦେଶରେ ଯେପରି କୌଣସି ଅପ୍ରିତିକର ଘଟଣା ନଘଟେ ସେଥିପ୍ରତି ସଜାଗ ରହିବା ପାଇଁ ସବୁ ରାଜ୍ୟ ସରକାରମାନଙ୍କୁ ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଡ୍ରୋନ ମାଧ୍ୟମରେ ଅଯୋଧ୍ୟା ସହର ଉପରେ ନଜର ରଖାଯାଇଛି ।
ଏପରି ଘଡିସନ୍ଧି ମୁହୂ୍ତ୍ତରେ ଅଯୋଧ୍ୟା ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।