ଅଯୋଧ୍ୟା ଆଉ ଅଳ୍ପ ବାଟ: କାଲି ସକାଳ ସାଢ଼େ ୧୦ଟାରେ ସୁପ୍ରିମକୋର୍ଟ କରିବେ ଅଯୋଧ୍ୟା ଶୁଣାଣି, ରାୟ ପୂର୍ବରୁ ସାରା ରାଜ୍ୟରେ ପୋଲିସ ଛାଉଣି

ବହୁପ୍ରତୀକ୍ଷିତ ଅଯୋଧ୍ୟାକୁ ନେଇ ସାରା ଦେଶବାସୀ ଅପେକ୍ଷା କରିଥିବାବେଳେ ଏହାର ରାୟ ଆସନ୍ତାକାଲି ଆସିବ ।

735

କନକ ବ୍ୟୁରୋ : ରାତି ପାହିଲେ ଆସିବ ଅଯୋଧ୍ୟା ରାୟ । ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦର ରାୟ ଆସନ୍ତାକାଲି ଆସିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ସହ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଆଉ ରାୟ ପୂର୍ବରୁ କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଉତ୍ତରପ୍ରଦେଶରେ ରାୟ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏପରିକି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ୩୦ ଜଣ ବମ୍ ସ୍କ୍ୱାର୍ଡଙ୍କୁ ନିୟୋଜିତ କରାଯାଇଛି । ଗୁଇନ୍ଦା ବିଭାଗର ସତର୍କ ସୂଚନା ଅନୁଯାୟୀ ରାୟ ପୂର୍ବରୁ ଅଯୋଧ୍ୟା ଉପରେ ଆତଙ୍କୀ ହମଲା ହୋଇପାରେ ବୋଲି ଆଶଙ୍କା କରାଯାଇ ରାଜ୍ୟର ସମ୍ବେଦନଶୀଳ ସ୍ଥାନରେ ପୋଲିସ୍ ଛାଉଣି କରାଯାଇଛି ।

ସବୁଠାରୁ ବଡ଼ କଥା ହେଲା, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ଆସନ୍ତା ୧୭ ତାରିଖରେ ଅବସର ନେବାକୁଥିବାବେଳେ ଆସନ୍ତାକାଲି ଏହି ଐତିହାସିକ ଅଯୋଧ୍ୟା ରାୟ ତଥା ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପକାଇପାରନ୍ତି ବୋଲି ଆଶା କରାଯାଉଛି । ଆଉ ଏଭଳି ପରିସ୍ଥିତିରେ ଆତଙ୍କବାଦୀମାନେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଦଙ୍ଗାକାଣ୍ଡ ଘଟାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେଣୁ ଦଙ୍ଗାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶରେ ଅପ୍ରୀତିକର ପରିସ୍ଥିତି ଭିଆଉଥିବା ୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ୧,୬୫୯ ଜଣଙ୍କ ସୋସିଆଲ ଆକାଉଣ୍ଟ ଉପରେ ନଜର ରଖାଯାଇଛି ।