ଏକ ମାସ ମଧ୍ୟରେ ଆସିପାରେ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ : ଅକ୍ଟୋବର ୧୮ ସୁଦ୍ଧା ଜବାବ ସୁଆଲ ସାରିବାକୁ ଅପିଲ କଲେ ପ୍ରଧାନ ବିଚାରପତି

123

କନକ ବ୍ୟୁରୋ : ନଭେମ୍ବର ମାସରେ ଆସିପାରେ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ । ଆଜି  ମାମଲାର ଶୁଣାଣି ସମୟରେ ସାମ୍ବିଧାନିକ ଖଣ୍ଡପୀଠ, ମାମଲାର ଶୁଣାଣି କେତେ ଦିନ ଚାଲିବ ସେନେଇ ବିଚାର ବିମର୍ଶ କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଆମେ ଆଶା କରୁଛୁ ଅକ୍ଟୋବର ୧୮ ସୁଦ୍ଧା ମାମଲର ଶୁଣାଣି ଶେଷ ହୋଇପାରେ । ଏଥିପାଇଁ ଅକ୍ଟୋବର ୧୮ ସୁଦ୍ଧା ଖଣ୍ଡପୀଠ ଆଗରେ ନିଜ ନିଜ ଯୁକ୍ତି ଉପସ୍ଥାପନା ଶେଷ କରିବାକୁ ସମସ୍ତ ପକ୍ଷଙ୍କୁ ସେ ଅପିଲ କରିଛନ୍ତି । ସେପ୍ଟେମ୍ବର ୨୭ ସୁଦ୍ଧା ମୁସିଲମ ପକ୍ଷ ନିଜ ଯୁକ୍ତି ଉପସ୍ଥାପନ କରିବା ସହ ଏକ ମାସ ଭିତରେ ସମସ୍ତ ପକ୍ଷ ନିଜ ନିଜ ଦଲିଲ ଦେବାକୁ କହିଛନ୍ତି ପ୍ରଧାନବିଚାରପତି । ଏହା ପରେ ସେ କହିଥିଲେ, ଦରକାର ହେଲେ ଶନିବାର ମଧ୍ୟ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । 

ଶୁଣାଣି ପରେ ମାମଲାର ଫୈସଲା ଲେଖିବାକୁ ୪ ସପ୍ତାହ ସମୟ ମିଳିବ ବୋଲି କହିଛନ୍ତି ଜଷ୍ଟିସ ରଂଜନ ଗୋଗେଇ । ଏହାଛଡା ସେ କହିଛନ୍ତି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତାକୁ ନେଇ ଚିଠି ମିଳିଛି, ଯଦି ଆପୋଷ ବୁଝାମଣା ଜରିଆରେ ଉଭୟ ପକ୍ଷ ସମାଧାନ ଚାହୁଁଛନ୍ତି, ତେବେ ଖଣ୍ଡପୀଠକୁ ଅବଗତ କରାଇବା ଉଚିତ । ଏହାକୁ ଗୋପନୀୟ ରଖାଯିବ । ନଭେମ୍ବର ସୁଦ୍ଧା ଫୈସଲା ଦେବା ନେଇ ଗୋଗେଇଙ୍କ ପ୍ରସ୍ତୁତିକୁ ଦେଖି ଅନୁମାନ କରାଯାଉଛି, ଅବସର ନେବା ପୂର୍ବରୁ ଅଯୋଧ୍ୟା ମାମଲାର ରାୟ ଦେବାକୁ ସେ ମନସ୍ଥ କରିଛନ୍ତି । ଆସନ୍ତା ନଭେମ୍ୱର ୧୭ରେ ଜଷ୍ଟିସ୍ ରଂଜନ ଗୋଗଇଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଏହି ସମୟ ମଧ୍ୟରେ ସେ ରାମମନ୍ଦିର ମାମଲାର ଚୂଡାନ୍ତ ଶୁଣାଣି ସାରିବାକୁ ଇଛା କରିଛନ୍ତି ।