ଏସସିବିର ସଂପ୍ରସାରଣ ପାଇଁ ଆଜିଠାରୁ ଆରମ୍ଭ ହେବ ସଚେତନତା ଅଭିଯାନ : ହାଡିଆପଠା ଅଞ୍ଚଳରେ ମାଇକ ଯୋଗେ ହେବ ଘୋଷଣା,ହଟିବେ ୩ ଶହରୁ ଅଧିକ ପରିବାର

166

କନକ ବ୍ୟୁରୋ : ଏସସିବି ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ପରେ ଆଜିଠୁ ଉଚ୍ଛେଦ ସମଚେତନତା ଅଭିଯାନ ଆରମ୍ଭ ହେବ । ହାଡିଆପଠାରେ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ମାଇକରେ ଘୋଷଣା କରାଯିବ । ଏହାପରେ ପ୍ରକଳ୍ପ ପାଇଁ ଦୋକାନ, କ୍ୱାର୍ଟସ ଓ ବେଆଇନ ଘର ଭଙ୍ଗା ତ୍ୱରାନ୍ୱିତ କରିବ ଜିଲ୍ଲା ପ୍ରଶାସନ । ଏହାଛଡା ସରକାରୀ ଅନୁମୋଦିତ ଆଇନ ଅନୁସାରେ ଜମି ମାଲିକ ଠାରୁ ଜମି ଅଧିଗ୍ରହଣ କରାଯିବ । ଏହି ଉଚ୍ଛେଦ ପ୍ରକ୍ରିୟାରେ ୩ଶହରୁ ଅଧିକ ପରିବାର ପ୍ରଭାବିତ ହେବେ ।

ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ ଅପରପାର୍ଶ୍ୱରେ ଥଇଥାନ କରାଯିବ ବୋଲି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏନେଇ ମହାନଗର ନିଗମ ସହ ଆଲୋଚନା କରାଯାଇଛି । ଥଇଥାନ ପୁର୍ନବାସ ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲ୍ଲାପାଳଙ୍କୁ ପାଣ୍ଠି ଯୋଗାଇ ଦେବେ ସରକାର । ରାଜ୍ୟସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ମିଳିବ ଓ ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ସହାୟତା ମିଳିବ ।