ଖାଲି ପକେଟକୁ ପୁରସ୍କାର ! କ୍ୟାସଲେସ୍ ଟ୍ରାନଜାକସନ୍ କଲେ ମିଳିବ କୋଟି କୋଟିର ପୁରସ୍କାର

21

କନକ ବ୍ୟୁରୋ : ଟଙ୍କାରେ କାରବାର କରନ୍ତୁ ନାହିଁ । କୋଟି କୋଟି ଟଙ୍କାର ପୁରସ୍କାର ପାଆନ୍ତୁ । ଆଜି ଏଭଳି ଘୋଷଣା କରିଛି ନୀତି ଆୟୋଗ । କ୍ୟାସଲେସ୍ କାରବାର ପାଇଁ ନୀତି ଆୟୋଗ ଆସନ୍ତା ଖ୍ରୀଷ୍ଟମାସଠାରୁ ପ୍ରତିଦିନ, ପ୍ରତିସପ୍ତାହରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଦେବେ । ୧୦୦ ଦିନ ପରେ ଅର୍ଥାତ୍ ଏପ୍ରିଲ ୧୪ରେ ରହିଛି କୋଟିଏ ଟଙ୍କାର ମେଗା ପୁରସ୍କାର ।

ପ୍ରତିଦିନ, ପ୍ରତି ସପ୍ତାହରେ ପାଆନ୍ତୁ ପୁରସ୍କାର । ନୀତି ଅୟୋଗ ଘୋଷଣା କରିଛି ଦୁଇଟି ଯୋଜନା- ଲକି ଗ୍ରାହକ ଯୋଜନା ଓ ଡିଜି-ଧନ ବ୍ୟାପାରୀ ଯୋଜନା । ଡିସେମ୍ବର ୨୫ ତାରିଖରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ୧୦୦ ଦିନ ପାଇଁ ଚାଲିବ ଏଭଳି ଲକି ଡ୍ର ପୁରସ୍କାର । ପ୍ରତିଦିନ ୧୫ ହଜାର ଗ୍ରାହକଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ।
୧୦୦ ଦିନ ପର୍ଯ୍ୟନ୍ତ ଗ୍ରାହକ ଓ ବ୍ୟବସାୟୀ ଉଭୟଙ୍କୁ ମିଳିବ ପୁରସ୍କାର । ସପ୍ତାହକୁ ଥରେ ୭ ହଜାର ଲକି ଡ୍ର ମଧ୍ୟ ଉଠିବ । ଏଥିରେ ଗ୍ରାହକଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ଓ ବ୍ୟବସାୟୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିବ । ୫୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଟ୍ରାନ୍ଜାକ୍ସନ୍ ଉପରେ ମିଳିବ ଏହି ପୁରସ୍କାର । ଏପ୍ରିଲ ୧୪ରେ ଘୋଷଣା ହେବ ମେଗା ପୁରସ୍କାର । ଆଉ ପୁରସ୍କାର ବିଜେତାଙ୍କୁ ମିଳିବ ୧ କୋଟି ଟଙ୍କାର ପୁରସ୍କାର ।

ରୁପେ କାର୍ଡ, ୟୁଏସ୍ଏସ୍ଡି, ଏଇପିଏସ୍ ଓ ୟୁପିଆଇ ଭଳି ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଟଙ୍କା କାରବାର କରୁଥିବା ଗ୍ରାହକଙ୍କୁ ମିଳିବ ଏହି ପୁରସ୍କାର । ତେବେ ଘରୋଇ କ୍ରେଡିଟ୍ କାର୍ଡ ଓ ଇ-ୱାଲେଟ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏହି ଲକି ଡ୍ରରେ ସାମିଲ କରାଯିବ ନାହିଁ । ଏଭଳି ଭାବେ ମୋଟ ୩୪୦ କୋଟି ଟଙ୍କାର ପୁରସ୍କାର ବଂଟାଯିବ ବୋଲି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି ।