ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ! ସୁରକ୍ଷା ଦୃଷ୍ଟିରୁ ବନ୍ଦ ହେଲା ନନ୍ଦନକାନନ ପକ୍ଷୀ ବିହାର । ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ପାଇଁ ନିର୍ଦ୍ଦେଶ

210

କନକ ବ୍ୟୁରୋ: ବାର୍ଡ ଫ୍ଲୁ ଆଶଙ୍କାରେ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର । ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସଂକ୍ରମିତ ନହେବାକୁ ନିଆଯାଇଛି ସତର୍କତା । ବାର୍ଡ ଫ୍ଲୁ ଆଶଙ୍କାର ବଡ ପଦକ୍ଷେପ ନେଇ ପକ୍ଷୀ ବିହାରକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଆସନ୍ତାକାଲି ଠାରୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏଁ ପକ୍ଷୀ ବିହାରକୁ ଖୋଲା ଯିବନି । ସେପଟେ ବାର୍ଡ ଫ୍ଲୁ ପାଇଁ କେବଳ ପକ୍ଷୀ ବିହାର ବନ୍ଦ ରହିବ । ମାତ୍ର ନନ୍ଦନକାନନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ଓଡିଶାକୁ ପୁଣି ଫେରିଛି ବାର୍ଡ ଫ୍ଲୁ । ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି । ଓୟୁଏଟି ପାଥୋଲଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ଏହି ସୂଚନା ଦେଇଛନ୍ତି । ଗତକାଲି ଓୟୁଏଟି ଫାର୍ମରେ କୁକୁଡାଙ୍କର ଅସ୍ୱାଭାବିକ ମୃତ୍ୟୁ ହେଉଥିଲା ।

ଆଉ କୁକୁଡାଙ୍କ ନମୁନା ସଂଗ୍ରହ କରିବା ପରେ ଭୋପାଳ ପଠାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ବାର୍ଡ ଫ୍ଲୁ ହୋଇଥିବା ଜଣାପଡିଥିଲା । ଆଉ ସଙ୍ଗେସଙ୍ଗେ ସେମାନଙ୍କୁ ମରାଯାଇଥିଲା । ତେବେ ଆସନ୍ତାକାଲି ଠାରୁ ଓୟୁଏଟିରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଯାଏଁ କୁକୁଡା ମରାଯିବ ବୋଲି ସୂଚନା ମିଳିଛି ।