କନକ ବ୍ୟୁରୋ : କଥାରେ ଅଛି ଚାଷ ଅଛି ଯାହାର, କେଡେ ଖୁସି ତାହାର । ସାରା ଦେଶକୁ ଖାଦ୍ୟ ଯୋଗାଏ ଚଷା ପୁଅ । ହଳବଳଦ ଧରି ବିଲକୁ ଯାଏ , ମାଟି ସହ ମାଟି ହୋଇ କାମ କରେ ଆଉ ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଏ । ହେଲେ ଏସବୁ ଉକ୍ତିିର ଆଜି କିଛି ମୂଲ୍ୟ ନାହିଁ । ବିଦ୍ୟାଳୟରେ କୃଷକର ଆତ୍ମକାହାଣୀ ରଚନା ଲେଖିବା ପାଇଁ ଏସବୁ ଠିକ ଅଛି କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ହଳବଳଦର ସ୍ଥାନ ନେଇଥିବା ଟ୍ରାକ୍ଟର, ପାୱା ଟ୍ରିଲର ଅବା ଯନ୍ତ୍ରାଂଶ ପାଇଁ ଋଣ କରିବାକୁ ପଡେ ଚାଷୀକୁ ।

ଘର ପୋଷିବା ପୂର୍ବରୁ ଦାଉ ସାଧେ ମରୁଡି, ଅନାବୃଷ୍ଟି କିମ୍ବା ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ । ଯାହାକୁ ପରିଶୋଧ କରିବା ପାଇଁ ତାକୁ ନିଜ ଜୀବନ ଦେବାକୁ ପଡେ । ଆତ୍ମହତ୍ୟା କରେ ଋଣ ସୁଝି ନପାରି । ତେବେ ଓଡିଶାର ଚାଷୀଙ୍କ ହାରାହାରି ଆୟ କେତେ । ମାସକୁ ନା ବର୍ଷକୁ ହିସାବ ହୁଏ ତାର ଆୟ । ଆୟ ଟଙ୍କାରେ କଣ କରେ ଚାଷୀ । ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିବା ବେନ୍ତେ୍ୱିଧାନସଭାରେ ଏହାର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ୨୦୧୨-୧୩ର ଏକ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଜଣେ ଚାଷୀର ବାର୍ଷିକ ମୁଣ୍ଡପିଛା ଆୟ ହେଉଛି ୫୯ ହଜାର ୭୧୨ ଟଙ୍କା । ଯାହା ଜନ୍ମ ଦେଇଛି ଅସୁମାରୀ ପ୍ରଶ୍ନକୁ ।

ଗତକାଲି ଏ ସଂପର୍କିତ ଏକ ତାରକା ପ୍ରଶ୍ନ ପଚାରିଥିଲେ ସଭ୍ୟ ଦିଲିପ ରାୟ । ରାଜ୍ୟରେ ଶେଷ ସରକାରୀ ତଥ୍ୟ ଅନୁଯାୟୀ ଜଣେ ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ କେତେ ବୋଲି ଜାଣିବାକୁ ଚାହିଁଥିଲେ । ଏହାସହ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏହାର ତୁଳନାତ୍ମକ ଚିତ୍ର ବି ଦେଖିବାକୁ ଚାହିଁଥିଲେ । ଯାହାର ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଦାମୋଦର ରାଉତ ଲିଖିତ ଉତ୍ତରରେ ଏନେଇ ସବିଶେଷ ବିବରଣୀ ଦେଇଛନ୍ତି । ଦେଶର କୃଷକମାନଙ୍କର ରୋଜଗାର ସମ୍ବନ୍ଧୀୟ ତଥ୍ୟ ଆକଳନ କରିବା ନିମେନ୍ତ କୌଣସି ବିଧିବଦ୍ଧ ଓ ନିୟମିତ ତଥ୍ୟ ସଂଗ୍ରହ ପ୍ରଣାଳୀ ନାହିଁ । ଏ ସମ୍ବନ୍ଧରେ ମୁଖ୍ୟ ତଥ୍ୟ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ପରିସ୍ଥିତି ଆକଳନ ସର୍ବେକ୍ଷଣର ସର୍ଭେ ରିପୋର୍ଟ ଅନୂଯାୟୀ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ।

ଯେଉଁଥିରେ କୁହାଯାଇଛି, ୨୦୧୨ ଜୁଲାଇରୁ ୨୦୧୩ ଜୁନ ପର୍ଯ୍ୟନ୍ତ କରାଯାଇଥିବା ପରିକ୍ରମା ଅନୁସାରେ ଓଡିଶାରେ କୃଷକଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୫୯ ହଜାର ୭୧୨ ଟଙ୍କା । ଏହି ରିପୋର୍ଟ ଅନୁଯାୟୀ ନିରୋଳା କୃଷି, ପଶୁପାଳନ, ଅଣକୃଷି, ମଜୁରୀ ଓ ଦରମା ଏବଂ ଅନ୍ୟାନ୍ୟ ସୁତ୍ରରୁ ହେଉଥିବା ଆୟର ହିସାବ ଦିଆଯାଇଥିଲା ।

ରାଜ୍ୟର ଚାଷୀ ମଜୁରୀ ଓ ଦରମା ବାବଦକୁ ୨୦ ହଜାର ୫୯୨, ଚାଷକାର୍ଯ୍ୟ ବାବଦକୁ ୧୬ ହଜାର ୮୮୪, ପଶୁପାଳନ ବାବଦକୁ ୧୫ ହଜାର ୭୬୮, ଅଣଚାଷ ସମ୍ବନ୍ଧୀୟ ବ୍ୟବସାୟ ବାବଦକୁ ୬ହଜାର ୪୬୮ ହୋଇ ମୋଟ ୫୯ ହଜାର ୭୧୨ ଟଙ୍କା ଆୟ ହେଉଛି । ମାନେ ନିରୋଳା କୃଷିକାର୍ଯ୍ୟରୁ ମାତ୍ର ୧୬ ହଜାର ୮୮୪ ଟଙ୍କା ବାର୍ଷିକ ଆୟ ହେଉଛି ଚାଷୀର ।

ଅନ୍ୟପଟେ ଓଡିଶାର ଚାଷୀଙ୍କ ଆୟ ଓ ଜାତୀୟ ଆୟ ମଧ୍ୟରେ ତିବା ତାରତମ୍ୟ ୨୦୦୨-୦୩ ମସିହାରେ ୫୩ ପ୍ରତିଶତ ଥିବା ବେଳେ ୨୦୧୨-୧୩ ମସିହା ବେଳକୁ ଏହା ୨୪ ପ୍ରତିଶତରେ ପହଂଚିଛି । ତେବେ ଚଳିତବର୍ଷ କୃଷକଙ୍କ ବାର୍ଷିକ ଆୟ ସମ୍ବନ୍ଧୀୟ କୌଣସି ପ୍ରତ୍ୟକ୍ଷ ତଥ୍ୟ ନାହିଁ ବୋଲି ମନ୍ତ୍ରୀ କହିଛନ୍ତିି । ମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଆୟ ବୃଦ୍ଧି ପଛରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏକ କାରଣ । ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରଗତିଶୀଳ କୃଷି ନୀତିରେ ଜଳସେଚନ, କୃଷି ଯାନ୍ତ୍ରୀକରଣ,ବିହନ ପ୍ରତିବଦଳ ହାର, ସୁଷମ ସାର ବ୍ୟବହାର ଆଦି ଗୁରୁତ୍ୱ ଦେବା ଯୋଗୁ ରାଜ୍ୟରେ କୃଷି ଉତ୍ପାଦନ ଏବଂ କୃଷକଙ୍କର ଆୟରେ ବୃଦ୍ଧି ପରିଲକ୍ଷିତ ହେଉଥିବା ସେ କହିଛନ୍ତି ।

ତେବେ ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଓଡିଶାର ଚାଷୀଙ୍କ ବାର୍ଷିକ ମୁଣ୍ଡ ପିଛା ଆୟ ୫୯ ହଜାର ୪୪୦ ଥିବା ବେଳେ ଏହାର ନିକଟତମ ରାଜ୍ୟ ପଶ୍ଚିମବଙ୍ଗରେ ଏହା ୪୮୧୯୨, ଝାରଖଣ୍ଡରେ ୫୯ହଜାର ୩୦୫, ଓ ବିହାରରେ ଏହା ୪୪ହଜାର ୧୬୭ ରହିଛି ।

ତେବେ ସରକାର ବିଧାୟକମାନଙ୍କର ଦରମା ମାସକୁ ଲକ୍ଷେ ଟଙ୍କା ଘୋଷଣା କରିଥିବା ବେଳେ କୃଷିଋଣ ଛାଡ ପାଇଁ ବାରମ୍ବାର ଦାବୀ କରିବା ସତ୍ୱେ ବି ଏଥିପ୍ରତି ଦୃଷ୍ଟି ଦିଆଯାଉନି । ଏଯାବତ ୧ ପ୍ରତିଶତ ହାରରେ ସରକାର କୃଷିଋଣ ଯୋଗାଇଦେଉଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଜମି ମାଲିକ ମାନେ ହିଁ ଏହି କୃଷିଋଣ ପାଇଥାନ୍ତି । ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କ କ୍ଷେତ୍ରରେ ଏହା ସେଭଳି କୌଣସି ସୁବିଧାଜନକ ହୋନଥାଏ । ତେବେ ଚାଷୀଙ୍କ ପାଇଁ କେବେ ସରକାରଙ୍କ ହୃଦୟ ତରଳିବ ତାହା ଦେଖିବାକୁ ବାକି ରହିଲା ।

Comments

comments