ପୁଣି ସହର ମଧ୍ୟରେ ଦବିଲା ମାଟି । ଘରଦ୍ୱାର ଛାଡି ରାସ୍ତାରେ ଲୋକେ : ଆଜି ତାଳଚେର ବନ୍ଦ ଡାକରା ଦେଲେ ସ୍ଥାନୀୟ ଲୋକ

କିଛିଦିନର ବ୍ୟବଧାନ ପରେ ଗତ ରାତିରେ ତାଳଚେର ସହରରେ ମାଟି ଦବିଛି

294

କନକ ବ୍ୟୁରୋ : କିଛିଦିନର ବ୍ୟବଧାନ ପରେ ଗତ ରାତିରେ ତାଳଚେର ସହରରେ ମାଟି ଦବିଛି। ପୂର୍ବଥର ଭଳି ଖାଲି ଜମିରେ ନୁହେଁ, ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଘଟଣା ଘଟିଛି। ଫଳରେ, ଭୟରେ ଲୋକମାନେ ଘର ଛାଡ଼ି ରାସ୍ତା ଉପରକୁ ପଳାଇ ଆସିଛନ୍ତି। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଲୋକମାନେ ଆଜି ତାଳଚେର ବନ୍ଦ ଡାକରା ଦେଇଛନ୍ତି।

ଗତକାଲି ପ୍ରାୟ ୭ଟା ୪୫ରୁ ୮ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ତାଳଚେର ଥାନା ସମ୍ମୁଖରେ ଥିବା ସ୍ବର୍ଗତ ରବି ବାଇଙ୍କ ପତ୍ନୀ ଶାନ୍ତି ବାଇଙ୍କ ଘର ଭିତରେ ହଠାତ୍ ପ୍ରାୟ ୫ ଫୁଟ ଲମ୍ବ ଓ ୬ ଫୁଟ ଓସାରର ମାଟି ଦବି ଯାଇଥିଲା। ଗର୍ତ୍ତଟି ଭିତରକୁ କ୍ରମଶଃ ଅଧିକ ଓସାରିଆ ହୋଇ ଶାନ୍ତିଙ୍କ ପଡ଼ୋଶୀ ସ୍ବର୍ଗତ ତୀର୍ଥ ବାଇଙ୍କ ଘର ଆଡକୁ ଲମ୍ବିଯାଇଥିଲା। ସେହି ସମୟରେ ଉଭୟ ପରିବାରର ଲୋକମାନେ ଚଳପ୍ରଚଳ କରୁଥିଲେ ହେଁ ହଠାତ୍ କେହି କିଛି ବୁଝି ପାରିନଥିଲେ। ତେବେ ଫାଟ ଧୀରେଧୀରେ ବୃଦ୍ଧିପାଇ ମାଟି ଦବିବାରୁ ସେମାନେ ଆତଙ୍କିତ ହୋଇ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ସେମାନେ ବିକଳରେ ଚିତ୍କାର କରିବାରୁ ଲୋକେ ପହଂଚିଯାଇଥିଲେ। ରାତିରେ ଫାଟ ବୃଦ୍ଧି ପାଉଥିବାରୁ ଆଖପାଖର ପରିବାରଗୁଡ଼ିକ ମଧ୍ୟ ଆତଙ୍କିତ ହୋଇ ଘର ଛାଡ଼ି ବାହାରକୁ ଚାଲି ଆସିଥିଲେ।

 

ଖବର ପାଇ ସହରର ବିଭିନ୍ନ ଅଂଚଳରୁ ଲୋକେ ଘଟଣାସ୍ଥଳରେ ପହଂଚିବା ଫଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଂଚିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ପୂର୍ବରୁ ଗତ ମାର୍ଚ୍ଚ ୨୦ ତାରିଖରେ ବାଇପାସ୍ ଟ୍ରାଫିକ ଛକ ଠାରେ ଏଭଳି ଗର୍ତ୍ତ ସୃଷ୍ଟି ହୋଇ ଆଖପାଖ ଅ˚ଚଳର ମାଟି ଭିତରକୁ ଧସିଥିଲା। ସେହିଭଳି ୧୯୮୧ ମସିହା ନଭେମ୍ବର ୧୦ତାରିଖରେ ହାଟତୋଟା ରେଳ ଲାଇନ ପାଖ ଫଳ ବଜାର ପଛପାଖ ଜମିରେ ଅଧ ଏକର ଓସାରର ମାଟି ପ୍ରାୟ ତିରିଶ ଫୁଟ ତଳକୁ ଦବି ଯାଇଥିଲା।

୧୯୮୧ ମାର୍ଚ୍ଚ ୧୭ ତାରିଖରେ ନବ ମିଶ୍ର କଲୋନିକୁ ଲାଗି ରହିଥିବା କିଛି ଜମି ଭୂଗର୍ଭକୁ ପଶି ଯାଇଥିଲା। ସେହିପରି ଅତୀତରେ ନୂଆ ବସଷ୍ଟାଣ୍ଡ ପାଖ, ହାଣ୍ତିଧୂଆଁ ଗାଁ ଜମି, ଦେଉଳବେଡା ତେଲି ସାହି, ଶିରିଡି ସାଇ ମନ୍ଦିର ସମ୍ମୁଖ ଅ˚ଚଳରେ ମଧ୍ୟ ଏଭଳି ଗର୍ତ୍ତ ସୃଷ୍ଟି ହୋଇ ସହରବ୍ୟାପୀ ଆତଙ୍କ ଖେଳାଇଥିଲା। ଏ ସ˚ପର୍କରେ ସ୍ଥାନୀୟ ବାସିନ୍ଦା ଥାନା ତଥା ଖଣି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିବା ଜଣାପଡିଛି। ତେବେ ରାତିସୁଦ୍ଧା କେହି ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡ଼ିଛି।

 

ମତାମତ

Your email address will not be published.