ଏବେବି ବଞ୍ଚିଛି ମାନବିକତା ! ଠକଙ୍କ ପାଇଁ ଉଦାହରଣ ପାଲଟିଲେ କଟକର ମୁନ୍ନା ଭାଇ ଏମବିବିଏସ

62

ସମାଜରେ ଏବେବି ବଞ୍ଚିରହିଛି ମାନବିକତା । ଅନେକ ସମୟରେ ଅଟୋ ରିକ୍ସାରେ ଯାଉଥିବା ସମୟରେ ଜିନିଷ ଚୋରି ହେବାର ଦୁଃଖଦ ଅନୁଭୂତି ଅଳ୍ପ ବହୁତେ ସମସ୍ତଙ୍କର ଥିବ । ହେଲେ ଏମିତି କିଛି ଅଟୋ ଚାଳକ ଅଛନ୍ତି ଯିଏ ରାସ୍ତାରୁ ପାଇଥିବା ଅନ୍ୟର ଟଙ୍କା ଫେରାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏପରି ଏକ ଘଟଣା ଘଟିଛି କଟକ ସହରରେ । ଏହି ଭଲ କାମ ପରେ ଏବେ ସମସ୍ତେ ଅଟୋଚାଳକ ମୁନାଙ୍କୁ କହୁଛନ୍ତି ମୁନ୍ନା ଭାଇ ଏମ.ବି.ବି.ଏସ ।

ବଲିଓଡ ଚଳଚ୍ଚିତ୍ର ମୁନ୍ନା ଭାଇ ଏମ.ବି.ବି.ଏସରେ ସଂଜୟ ଦତ୍ତଙ୍କ ଚରିତ୍ରକୁ କେହି ବୋଧ ହୁଏ ଭୁଲି ନ ଥିବେ । ଫିଲ୍ମରେ ମୁନ୍ନା(ସଂଜୟ ଦତ୍ତ୍) ଜଣେ ଗୁଣ୍ଡା ହୋଇ ମଧ୍ୟ ମେଡିକାଲ କଲେଜରେ ସମସ୍ତଙ୍କୁ ସାହାଯ୍ୟ କରି ସେ ବନି ଯାଇଥିଲେ ମୁନ୍ନା ଭାଇ ଏମବିବିଏସ । ସମସ୍ତେ ତାଙ୍କୁ ସ୍ନେହ ରେ ମୁନ୍ନା ଭାଇ ଏମବିବିଏସ ବୋଲି ଡାକୁଥିଲେ । କଟକ ଚାଉଳିଆଗଞ ଅଂଚଳର ଅଟୋଚାଳକ ମୁନା ଓରଫ ଶେଖ ମଜହର ଅଲ୍ଲି ମଧ୍ୟ ରାସ୍ତାରୁ ପାଇଥିବା ଟଙ୍କା ଫେରାଇ ଭଲ କାମ କରିଥିବାରୁ ଏବେ ସମସ୍ତେ ତାଙ୍କୁ ବେଶ ପ୍ରଶଂସା କରିବା ସହ ମୁନ୍ନା ଭାଇ ଏମବିବିଏସ ସହ ତୁଳନା କରୁଛନ୍ତି । ତାଙ୍କର ଏହି ଭଲ କାମ ଠକ ମାନଙ୍କ ପାଇଁ ପାଲଟିଛି ଏକ ଉଦାହରଣ ।

ଅଟୋଚଳାଇ ପରିବାର ପୋଷଣ କରୁଥିବା କଟକ ଚାଉଳିଆଗଞ ଅଂଚଳର ମୁନା ଓରଫ ଶେଖ ମଜହର ଅଲ୍ଲି ନିଜ ଅଟୋରେ ଫେରୁଥିବା ସମୟରେ ବକ୍ସିବଜାର ଅଂଚଳରେ ରାସ୍ତା କଡରୁ ୧୦ ହଜାର ଟଙ୍କା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ କାଗଜପତ୍ର ଥିବା ଏକ ପର୍ସ ପାଇଥିଲେ । କିଛି ଯୋଗାଯୋଗ ନମ୍ବର ନ ଥିବାରୁ ପର୍ସରେ ଥିବା ଗ୍ୟାସ କାର୍ଡଟିରୁ ପର୍ସ ମାଲିକଙ୍କ ଠିକଣା ପାଇ ତାଙ୍କ ସହ ଯୋଗାଯୋଗ କରି ମୁନା ପର୍ସ ଟଙ୍କା ସବୁ କିଛି ଫେରାଇଛନ୍ତି । ଆଉ ପର୍ସ ଫେରିପାଇଥିବା ମହିଳା ଜଣକ ମଧ୍ୟ କହିଛନ୍ତି ସେ ବହୁତ ଭଲ ଲୋକ ଏବଂ ମୁଁ ତାଙ୍କ ଚିନ୍ତାଧାରାକୁ ସମ୍ମାନ ଜଣାଉଛି । ସମସ୍ତେ ମୁନ୍ନାଙ୍କ ଭଳି ହେବା ଦରକାର ।

ରାସ୍ତାରୁ ପାଇଥିବା ଟଙ୍କା ଫେରାଇବା ପରେ ମୁନ୍ନାଙ୍କୁ ଏବେ ସମସ୍ତେ ପ୍ରଶଂସା କରିଛନ୍ତି ହେଲେ ମୁନ୍ନାଙ୍କ ଏହି କାର୍ଯ୍ୟ ସେହିମାନଙ୍କ ପାଇଁ ଏକ ବାର୍ତ୍ତା ଯେଉଁମାନେ ସହଜ ଉପାୟରେ ଟଙ୍କା ରୋଜଗାର କରିବାକୁ ଭୁଲ ରାସ୍ତା ଆପଣେଇଥାନ୍ତି ଏବଂ ଭୁଲି ଯାଇଥାନ୍ତି ମାନବିକତାର ଅର୍ଥ ।