ପୋଲିସ ନା ସୈତାନ ! ରାସ୍ତା ଉପରେ ଘୋଷାଡି ଘୋଷାଡି ମାରିଲା ମାଡ, ମନ ବୁଝିଲାନି ଅଟୋ ଡ୍ରାଇଭରର ତଣ୍ଟି ଉପରେ ହୋଇଗଲା ଛିଡା, ଦେଖନ୍ତୁ ଭିଡିଓ

79

ରକ୍ଷକ ସାଜିଲା ଭକ୍ଷକ । ଯେଉଁଠି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ଗୋଇଠା ଓ ବିଧା ମାରିବାକୁ ପଛାଏ ନାହିଁ ପୋଲିସ । କେବଳ ଗୋଇଠା କିମ୍ବା ବିଧା ନୁହେଁ ବରଂ ନିରୀହ ଲୋକର ଛାତି ଉପରେ ଗୋଡ ରଖି ଦାଦାଗିରି ଦେଖାଉଛି ପୋଲିସ । ଏଭଳି ଏକ ଚିତ୍ର ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଦେଖିବାକୁ ମିଳିଛି । ଯାହା ପୋଲିସ ବିଭାଗର ଅସଲି ଚେହେରାକୁ ପଦାରେ ପକାଇଛି । ଗୋଟିଏ ପଟେ ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ଭାବନାକୁ ବଦଳାଇବାକୁ ଉତ୍ତର ପ୍ରଦେଶ ପୋଲିସ ବିଭାଗ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ସାଧାରଣ ଲୋକଙ୍କୁ ପୋଲିସ ମାଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।


ଘଟଣା ଅନୁଯାୟୀ, ଲକ୍ଷ୍ନୌ ସହରର ମିଡିଆବାନ ଅଞ୍ଚଳରେ ଏକ ପୋଲିସ ଭ୍ୟାନକୁ ଧକ୍କା ଦେଇଥିଲା ଅଟୋ । ବାସ୍ ଏତିକିରେ ଗାଡିରେ ବସିଥିବା ପୋଲିସ ଅଫିସର ରାଗି ଯାଇଥିଲେ । ସିଧାସଳଖ ରାସ୍ତା ଉପରେ ଦେଖାଇଥିଲେ ଦାଦାଗିରି । ଶହଶହ ଲୋକଙ୍କ ସାମ୍ନାରେ ଉକ୍ତ ଅଟୋ ଡ୍ରାଇଭରକୁ ରାସ୍ତାକଡରେ ଥିବା ଡିଭାଇଡର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେବା ପରେ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ଏତିକିରେ ପୋଲିସ ଅଫିସରଙ୍କ ମନ ବୁଝିନଥିଲା, ଅଟୋ ଡ୍ରାଇଭରର ତଣ୍ଟି ଉପରେ ଗୋଡ ରଖି ଜୁଲୁମ ଆରମ୍ଭ କରିଥିଲେ । ଏପରିକି ବିଚରା ଅଟୋ ଡ୍ରାଇଭରକୁ ଗାଳି କରିବାକୁ ମଧ୍ୟ ପଛାଇ ନଥିଲେ ପୋଲିସ ବାବୁ । ଶହ ଶହ ଲୋକ ଏହି ଘଟଣା ଦେଖୁଥିଲେ ମଧ୍ୟ କେହି ମୁହଁ ଖୋଲିବାକୁ ସାହସ କରିନଥିଲେ ।

ତେବେ ଏହି ସମୟରେ କେହି ଜଣେ ବ୍ୟକ୍ତି ପୋଲିସ ବାବୁଙ୍କ ଅଟୋ ଡ୍ରାଇଭରକୁ ମାଡ ମାରୁଥିବାର ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ । ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଅଟୋ ଡ୍ରାଇଭରଙ୍କୁ ମାଡ ମାରିଥିବା ପୋଲିସ କନେଷ୍ଟବଳ ଆନନ୍ଦ ପ୍ରତାପ ସିଂହଙ୍କୁ ସସପେଣ୍ଡ କରିଛି ପୋଲିସ ବିଭାଗ । ଏପରିକି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଶୋକ ମିଶ୍ର ଓ ତେଜ ପ୍ରତାପଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଅଟୋ ଡ୍ରାଇଭରଙ୍କୁ ମାଡ ମାରୁଥିବା ପୋଲିସ ନିଶାଗ୍ରସ୍ତ ଥିଲେ ବୋଲି ଜଣାପଡିଛି । ତେବେ କାର୍ଯ୍ୟରତ ପୋଲିସଙ୍କ ଏଭଳି କାର୍ଯ୍ୟକଳାପ ଦ୍ୱାରା ପୋଲିସ ବିଭାଗର ଗାରିମାକୁ ନଷ୍ଟ କରିଛି । ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି କହିଛି ପୋଲିସ ବିଭାଗ । ତେବେ ଏହି ଘଟଣାର ପୁନରାବୃତ୍ତି ଯେପରି ଆଗାମୀ ଦିନରେ ନ ଘଟେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ପୋଲିସ ବିଭାଗ ।