ସାରା ରାଜ୍ୟରେ ଆଜି ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ୧୨ ଘଂଟିଆ ଧର୍ମଘଟ : ଅଭିଯୋଗ, ସ୍ମାର୍ଟସିଟି ନାଁରେ ଧ୍ୱଂସ ହେଉଛି ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା

27

କନକ ବ୍ୟୁରୋ : ଆଜି ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଧର୍ମଘଟ । ସାରା ରାଜ୍ୟରେ ଆଜି ବନ୍ଦ ରହିଛି ଅଟୋ ଏବଂ ଟ୍ୟାକ୍ସି ଚଳାଚଳ । ଏକାଧିକ ଅଟୋ ଚାଳକ ସଂଘ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜଧାନୀରେ ଅଟୋ ଚାଳନାକୁ ନିଷେଧ କରି ରାଜ୍ୟ ସରକାର ଦେଢଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ଧ୍ୱଂସ କରିବାକୁ ବସିଥିବା ସଂଘ ଅଭିଯୋଗ କରିଛି ।

୨ ଶହଟି ବସ୍ ରାଜ୍ୟ ବାହାରୁ ଆଣି ଭୁବନେଶ୍ୱରରେ ଚଳାଇବା ଓ ସାଇକେଲ ଭଡାରେ ଯୋଗାଇ ଦେବା ଯୋଜନା ଦ୍ୱାରା ସରକାର ସେମାନଙ୍କ ପେଟକୁ ଲାତ ମାରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦେଶୀ କମ୍ପାନୀ ପ୍ରୀତି ସହ ଅନଲାଇନ୍ ସେବାକୁ ମଧ୍ୟ ସଂଘ ବିରୋଧ କରିଛି । ଏଥିପାଇଁ ଆଜି ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଟୋ ଓ ଟ୍ୟାକ୍ସି ଚାଳକ ସଂଘ । ଏ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକରୁ ଏକ ରାଲି ବାହାରି ଲୋୟର ପିଏମଜି ଯାଏ ଆସି ସେଠାରେ ଏକ ସଭା ଅନୁଷ୍ଠିତ ହେବ । ଏହା ସହ ରାଜ୍ୟ ସରକାରଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯିବ ।