ଅଟୋ ଓ ଟ୍ୟାକ୍ସିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର ! ଆସନ୍ତା ୭ରେ ବନ୍ଦ ରହିବ ରାଜ୍ୟର ସମସ୍ତ ଅଟୋ ଓ ଟ୍ୟାକ୍ସି

34

ଆସନ୍ତା ୭ ତାରିଖ ଦିନ ରାଜ୍ୟର ସମସ୍ତ ଅଟୋରିକ୍ସା ଏବଂ ଟ୍ୟାକ୍ସି ସେବା ବନ୍ଦ ରହିବ ବୋଲି ଓଡିଶା ଅଟୋ, ଟ୍ୟାକ୍ସି ମହାସଂଘ ପକ୍ଷରୁ ଡାକରା ଦିଆଯାଇଛି । ରାଜ୍ୟରେ ପାଖାପାଖି ୧୨ ହଜାର ଟାକ୍ସି ଓ ୧ଲକ୍ଷ ୩୫ ହଜାର ଅଟୋରିକ୍ସା ଗୁଡିକ ଯାତ୍ରୀ ପରିବହନ କ୍ଷେତ୍ରରେ ଦୀର୍ଘ ୫୦ ବର୍ଷ ହେବ ସେବା ଯୋଗାଇଦେଇ ଆସୁଛନ୍ତି । ବିଶେଷ କରି ବିମାନବନ୍ଦର, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ହସ୍ପିଟାଲ ଭଳି ପ୍ରମୂଖ ସ୍ଥାନରେ ୨୪ ଘଣ୍ଟିଆ ସେବା ପ୍ରଦାନ କରୁଛନ୍ତି । କିନ୍ତୁ ଦୁଃଖର କଥା ଓଡିଶାର କୋଣ ଅନୁକୋଣରେ ଯାତ୍ରୀ ପରିବହନକୁ ସୁ-ସହଜ କରୁଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ପ୍ରତାରିତ କରୁଛନ୍ତି ବୋଲି ମହାସଙ୍ଘ ଅଭିଯୋଗ କରିଛି ।

ରାଜ୍ୟର ବେକାର ଯୁବକ ନିଜର ସମସ୍ତ ଉଦ୍ୟମ ଦ୍ୱାରା ଏକ ଟ୍ୟାକ୍ସି ହେଉ ଅଥବା ଅଟୋରିକ୍ସାକୁ ନିଜର ରୋଜଗାର ପନ୍ଥା କରିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶୀ କମ୍ପାନୀ ଯଥା- ଓଲା, ଉବର ଓ ଜୁଗୁନୋ ଭଳି ଅନେକ କମ୍ପାନୀ ଗୁଡିକ ବିମାନବନ୍ଦର , ରେଳଷ୍ଟେସନ କର୍ତ୍ତୁପକ୍ଷମାନଙ୍କୁ ପ୍ରଭାବିତ କରି ଅନଲାଇନ-ଟାକ୍ସି ଚଳାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଇନଫରମେସନ ଟେକ୍ନୋଲୋଜି ବେସ୍ଡ ଟ୍ରାନ୍ସପୋର୍ଟ ଆଗ୍ରେଗେଟର(୪+୧) ବ୍ୟବସ୍ଥା ଭିତରେ ଓଲା, ଉବର ଭଳି ଶତାଧିକ ବିଦେଶୀ କମ୍ପାନୀକୁ ଅଟୋ, ଟ୍ୟାକ୍ସି ପରିବହନ କ୍ଷେତ୍ରରେ ଅନଲାଇନ ସେବା ପାଇଁ ଅନୁମତି ଦେଇ ଅଟୋ, ଟ୍ୟାକ୍ସି ଚାଳକ ମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଦେଇଛନ୍ତି । ଯାହାଦ୍ୱାରା ଦେଶର ପ୍ରାୟ ଦେଢ଼ କୋଟିରୁ ଉଦ୍ଧ୍ୱର୍ ଛୋଟ-ବଡ ଅଟୋ, ଟାକ୍ସି ଚାଳକ ବେକାର ହେଉଥିବା ବେଳେ ଓଡିଶାର ୨ଲକ୍ଷ ଅଟୋ-ଟାକ୍ସି ଚାଳକ ପ୍ରଭାବିତ ହେବେ ବୋଲି ସଂଘ ଦାବି କରିଛି ।

ସଙ୍ଘର କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତିଙ୍କ କହିବା ଅନୁସାରେ ଏନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ସ୍ମାରକପତ୍ର ଦେଇଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ପାଲଟିଥିବା ମହାସଙ୍ଘ କହିଛି । ତେଣୁ ଯଥାଶୀଘ୍ର ଏକ ‘ସ୍ୱତନ୍ତ୍ର ପରିବହନ ନୀତି ପ୍ରଣୟନ’ କରାଯାଉ । ଯାହାଦ୍ୱାରା ଯାତ୍ରୀଭଡା ସ୍ଥିର ହୋଇପାରିବ । ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ଟ୍ୟାକ୍ସି ଓ ଅଟୋ ପରିବହନ ପାଇଁ ପ୍ରି-ପେଡ ସେବା କେନ୍ଦ୍ର ଖୋଲିବା ପାଇଁ ଦାବି କରିଛି ମହାସଙ୍ଘ । ଏହାସହ ସହରାଞ୍ଚଳ, ଜିଲ୍ଲା ସଦରମହକୁମା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ମାନଙ୍କରେ ଅଟୋରିକ୍ସା ଓ ଟ୍ୟାକ୍ସି ପାଇଁ ପାର୍କିଂ ସ୍ଥାନ ଚିହ୍ନଟ କରି ନିଃଶୁକ୍ଳ ବ୍ୟବସ୍ଥା କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ମହାସଙ୍ଘ । ଏହାସହ ଅନଲାଇନ-ଟ୍ୟାକ୍ସି ସ୍ୱତନ୍ତ୍ର ଏକ ପରମିଟ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିବା ବାଧ୍ୟତାମୂଳକ କରାଯାଉ ବୋଲି ଦାବି ଜଣାଇଛି ସଙ୍ଘ । ସରକାର ଏହି ସମସ୍ୟାର ସମାଧାନ କରନ୍ତୁ ନଚେତ୍ ଆଇନକୁ ସମ୍ମାନ ଦେଇ ଲକ୍ଷ ଲକ୍ଷ ବେକାର ଯୁବକଙ୍କ ଭିବଷ୍ୟତ ପାଇଁ ରାଜରାସ୍ତାରେ ବିରୋଧ କରିବୁ ବୋଲି ଚେତାବନୀ ଦେଇଛି ମହାସଙ୍ଘ ।