ପର୍ଥରେ ଭାରତ ପରାସ୍ତ । ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ୧୪୬ ରନରେ ମାତ୍ ଦେଲା କଙ୍ଗାରୁ ଟିମ୍

106

କନକ ବ୍ୟୁରୋ : ପର୍ଥ ଟେଷ୍ଟରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ । ପର୍ଥରେ ଭାରତ ଓ ଅଷ୍ଟ୍ରେଲ୍ରିା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟକୁ ୧୪୬ ରନରେ ବାଜି ମାରି ନେଇଛି କଙ୍ଗାରୁ ଟିମ୍ । ଦ୍ୱିତୀୟ ଇନିଂସରେ ୨୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବିରାଟ ବାହିନୀ ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂ ଆଗରେ ମାତ୍ର ୧୪୦ ରନରେ ମୁଣ୍ଡ ନୁଆଁଇଥିଲେ । ଏହି ବିଜୟ ସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ରେ ସ୍ଥିତିରେ ବରାବର ହୋଇଛି ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବା ସହ ପ୍ରଥମ ଇନିଂସରେ ୩୨୬ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଅଧିନାୟକ ବିରାଟ ସତକ ସତ୍ତେ୍ୱ ମଧ୍ୟ ଟିମ୍ ଇଣ୍ଡିଆ ୨୮୩ ରନରେ ଅଲଆଉଟ ହେବା ସହ ପ୍ରଥମ ଇନିଂସରେ ୪୩ ରନରେ ପଛୁଆ ରହିଥିଲା । ପରେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ୨୪୩ ରନରେ ମୁଣ୍ଡ ନୁଆଁଇଥିଲା କଙ୍ଗାରୁ ଟିମ୍ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୬ଟି ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଆଉ ଏହାସହ ଭାରତକୁ ୨୮୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା ।

ଏହି ଟେଷ୍ଟ ମ୍ୟାଚ୍ ଜିତି ଭାରତ ୨-୦ରେ ସିରିଜରେ ଆଗୁଆ ରହିବାକୁ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । ତେବେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କୋହଲି ଆଣ୍ଡ କୋ । ଆଉ ଏହାପରେ ଲଗାତାର ୱିକେଟ ହରାଇ ମାତ୍ର ୧୪୦ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଅଷ୍ଟ୍ରେଲିଆ ପକ୍ଷରୁ ମିସେଲ ଷ୍ଟାର୍କ ଓ ନାଥାନ ଲିୟନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପାଟ କମିନସ ଓ ଜୋସ ହାଜେଲଉଡ ୨ଟି ଲେଖାଏଁ ୱିକେଟ ନେଇ ଭାରତୀୟ ଇନିଂସର ସମାପ୍ତ ଘଟାଇଥିଲେ । ଏହି ସିରିଜର ତୃତୀୟ ମ୍ୟାଚ୍ ୨୬ ଡିସେମ୍ବରରେ ମେଲବର୍ଣ୍ଣରେ ଖେଳାଯିବ ।