ଖାସ୍ ଦିନିକିଆ ସିରିଜ ଜିତିବା ପାଇଁ ! ଭାରତ ବିପକ୍ଷରେ ୩୩ ବର୍ଷ ତଳର ପୁରୁଣା ଜର୍ସିରେ ପଡିଆକୁ ଓହ୍ଳାଇବ ଅଷ୍ଟ୍ରେଲିଆ ଟିମ୍ 

636

ଘରୋଇ ମାଟିରେ ବିରାଟ ବାହିନୀ ଠାରୁ ୨-୧ରେ ଟେଷ୍ଟ ସିରିଜ ହାରିବା ଏବେ ଦିନିକିଆ ସିରିଜ ଉପରେ କଙ୍ଗାରୁ ଟିମର ନଜର । ଦିନିକିଆ ସିରିଜରେ କମବ୍ୟାକ୍ କରିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ । ଆଉ ଏଥିପାଇଁ ଦଳ ଜୋରଦାର ଅଭ୍ୟାସ ମଧ୍ୟ ଆରମ୍ଭ କରିଛି । ଆସନ୍ତା ଶନିବାର ଅଥାର୍ତ ୧୨ ତାରିଖରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ତେବେ ପ୍ରଥମ ମ୍ୟାଚରେ ନୂଆ ରୂପରେ ନଜର ଆସିବ କଙ୍ଗାରୁ ଟିମ୍ ।

ସିଡନୀରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚରେ ନୂଆ ଜର୍ସିରେ ନଜର ଆସିବ କଙ୍ଗାରୁ ଟିମ୍ । ଭାରତ ବିପକ୍ଷରେ ଏହି ଦିନିକିଆ ସିରିଜ ଜିତିବା ପାଇଁ ୩୩ ବର୍ଷ ତଳର ପୁରୁଣା ଡିଜାଇନର ନୂଆ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ । ଯେଉଁ ନୂଆ ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ଟିମ୍ ପଡିଆକୁ ଓହ୍ଲାଇବାକୁ ଯାଉଛି ତାହା ୩୩ ବର୍ଷ ତଳର ଅଷ୍ଟ୍ରେଲିଆ ଟିମର ଜର୍ସିର ଡିଜାଇନ ସହ ସମାନ । ଆଉ ଏହାର ଝଲକ ମଧ୍ୟ ସାମ୍ନାକୁ ଆସିଛି ।

ଭାରତ ବିପକ୍ଷ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ଟିମ୍ ରେଟ୍ରୋ ଲୁକ୍ ଅଥାର୍ତ ୧୯୮୬ ମସିହାର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ । ୧୯୮୬ ମସିହାରେ ଅଷ୍ଟ୍ରେଲିଆର ଏହି ଜର୍ସି ଗ୍ରୀନ୍ ଓ ଗୋଲ୍ଡ ଜର୍ସି ନାଁରେ ଜଣା ଯାଉଥିଲା । ୧୯୮୬ ମସିହାରେ ଆଲାନ ବର୍ଡରଙ୍କ ଅଧିନାୟକତ୍ୱରେ ଭାରତ ବିପକ୍ଷ ସିରିଜରେ ମଧ୍ୟ ଏହି ଜର୍ସି ପିନ୍ଧିଥିଲା ଅଷ୍ଟ୍ରେଲିଆ ଟିମ୍ । ଏପରିକି ସେହି ସମୟରେ ଭାରତ ବିପକ୍ଷରେ ୭ଟି ଦିନିକିଆ ମ୍ୟାଚ ଅଷ୍ଟ୍ରେଲିଆ ଖେଳିଥିବା ବେଳେ ସେଥିରୁ ୫ଟିରେ ବିଜୟୀ ମଧ୍ୟ ହୋଇଥିଲା ।

ତେବେ ଟେଷ୍ଟ ମ୍ୟାଚରେ ପରାଜୟ ପରେ ୮ ବର୍ଷ ପରେ ପୁଣିଥରେ ଅନୁଭବୀ ବୋଲର ପିଟର ସିଡେଲଙ୍କୁ ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ଡକରା ଆସିଛି । ୨୦୧୦ରେ ସିଡନୀରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିବା ସିଡେଲଙ୍କୁ ପୁଣିଥରେ ସିଡନୀରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଡାକରା ଆସିଛି ।