ମୋଦିଙ୍କ ମନ୍ତ୍ରୀ ନମ୍ବର-୫୬ଙ୍କୁ ନେଇ ସାରା ଭାରତରେ ଚର୍ଚ୍ଚା । ପ୍ରତାପଙ୍କ ଶପଥ ବେଳେ କରତାଳିରେ କମ୍ପିଉଠିଥିଲା ରାଷ୍ଟ୍ରପତି ଭବନ, ଶିରୋନାମାରେ ସରଳ ଜୀବନଯାପନ ।

562

କନକ ବ୍ୟୁରୋ : ମୋଦିଙ୍କ ମନ୍ତ୍ରୀ ନମ୍ବର ୫୬କୁ ନେଇ ସାରା ଦେଶରେ ଚର୍ଚ୍ଚା । ଶପଥ ବେଳେ କରତାଳିରେ କମ୍ପିଲା ରାଷ୍ଟ୍ରପତି ଭବନ । ନିଜ ସରଳ ଜୀବନଯାପନ ପାଇଁ ଚର୍ଚ୍ଚାରେ ଥିବା ଓଡ଼ିଆ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ । ମୋଦିଙ୍କ ଏହି ସରଳ ଓ ଅମାୟିକ ମନ୍ତ୍ରୀ ଚଳାନ୍ତି ସାଇକେଲ, ବିତାନ୍ତି ଯୋଗୀ ଜୀବନ । ମୋଦି ମନ୍ତ୍ରୀଙ୍କ ଗାଁ ଘରେ ପହଂଚିଛି କନକ ନ୍ୟୁଜ୍ । ଚାଳଛପର ଘର ଓ ସରଳ ଜୀବନଯାପନର ପରଖିଛି ସ୍ଥିତି । ଆସନ୍ତୁ ନଜର ପକାଇବା ଜାତୀୟ ଗଣମାଧ୍ୟମରେ ଓଡିଶାର ମୋଦି କୁହାଯାଉଥିବା ପ୍ରତାପ ଷଡଙ୍ଗୀଙ୍କ ଜୀବନ ଯାପନ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ।

ମନ୍ତ୍ରୀ ନମ୍ବର ଛପନ । କରତାଳିରେ କମ୍ପିଲା ରାଷ୍ଟ୍ରପତି ଭବନ । ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ମୋଟ ୫୮ ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ୫୬ ନମ୍ବରରେ ପାଳି ପଡ଼ିଥିଲା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କର । ତାଙ୍କ ନାଁ ଘୋଷଣା ହେବା ମାତ୍ରେ କରତାଳିରେ କମ୍ପି ଉଠିଥିଲା ଶପଥ ସମାରୋହ ସ୍ଥଳ । ଜଣେ ସାଧାସିଧା ନେତାଙ୍କ ପ୍ରତି ଏହା ଥିଲା ଉପସ୍ଥିତ ଅତିଥିଙ୍କ ଅଭିବାଦନ । ମୋଦୀଙ୍କ ମନ୍ତ୍ରିମଣ୍ଡଳ ଶପଥ ନେଉଥିବା ବେଳେ ନଜର ଅଟକି ଯାଇଥିଲା ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ । କାରଣ, ଗତ କିଛି ଦିନ ହେଲା ଦେଶର ଗଣମାଧ୍ୟମରେ ଛାଇ ଯାଇଥିଲେ ପ୍ରତାପ । ସନ୍ୟାସୀ ଭଳି ତାଙ୍କର ସାଧା ସିଧା ନିରଳସ ଜୀବନ ବେଶ ପ୍ରଭାବିତ କରିଥିଲା ଜନମାନସକୁ ।

ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ଏମଏସଏମଇ ଏବଂ ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ପଦ । ତାଙ୍କୁ ଗୋ’ସେବାରେ ସମୟ କାଟୁଥିବାର ଚିତ୍ର ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ତାଙ୍କୁ ମିଳିଛି ଏହି ମନ୍ତ୍ରାଳୟର ରାଷ୍ଟମନ୍ତ୍ରୀ ଦାୟିତ୍ୱ । ଗୋ’ ସୁରକ୍ଷା ନେଇ ସବୁବେଳେ ଯୁକ୍ତି ବାଢ଼ିଥାନ୍ତି ପ୍ରତାପ ।

ସରଳ ଜୀବନ ଓ ତୃଣମୂଳ ସ୍ତରର ନେତା ଭାବେ ସାରା ରାଜ୍ୟରେ ରହିଛି ପ୍ରତାପ ଷଡ଼ଙ୍ଗୀର ସୁନାମ । ଏବେ କିନ୍ତୁ ଜାତୀୟ ସ୍ତରରେ ତାଙ୍କୁ ନେଇ ଲାଗିରହିଛି ଚର୍ଚ୍ଚା । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା, ଗାମୁଛା ପିନ୍ଧି ନଳକୂଅରେ ଗାଧୋଉଥିବା ଏହି ନେତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ ନେତା । ନୀଳଗିରିରେ ପ୍ରତାପ ଷଡଙ୍ଗୀଙ୍କ ଘରକୁ ଦେଖିଲେ ହୁଏତ କେହି ବିଶ୍ୱାସ କରିବେ ନାହିଁ ଯେ ଜଣେ ଲୋକପ୍ରିୟ ନେତାଙ୍କ ଜୀବନ ଶୈଳୀ ଏତେ ସାଧାରଣ ହୋଇପାରେ । ଭାରତ ଭଳି ଗରିବ ଦେଶରେ ନେତାଙ୍କ ସଂପତି ବଢ଼ୁଥିବା ବେଳେ ଏହି ନେତା ହେଉଛନ୍ତି ବିରଳ ବ୍ୟତିକ୍ରମ ।

ଦିନେ ସନ୍ୟାସୀ ହୋଇଯିବା ପାଇଁ ମନ ବଳାଇଥିବା ପ୍ରତାପ ଷଡଙ୍ଗୀ ଏବେ କେନ୍ଦ୍ରମନ୍ତ୍ରୀ । ତାଙ୍କ ସମ୍ପର୍କରେ ଏମିତି ଅନେକ କଥା ଆସୁଛି ଜନତାଙ୍କ ନଜରକୁ । ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଆଉ ପ୍ରଥମ ପଦାର୍ପଣରେ ମିଳିଛି ମନ୍ତ୍ରିପଦ । ଏହା ଦେଶବାସୀଙ୍କୁ ଯେତିକି ଚମକୃତ କରିଛି, ସେତିକି ନଜର ରହିଛି ମନ୍ତ୍ରୀ ଭାବେ ତାଙ୍କର ପରବର୍ତ୍ତୀ କାର୍ଯ୍ୟ ଉପରେ ।