ଅଡୁଆ ଭିତରେ ଆଳି ଅଙ୍କ । ପ୍ରତାପ ଓ ଦେବେନ୍ଦ୍ରଙ୍କ ଭିତରେ ମହାଲଢ଼େଇ, ରାଜାଙ୍କ ଗଡ଼ରେ ଧସେଇ ପଶିବାକୁ ଗୋଟି ଚଳାଉଛି ବିଜେପି ।

243

କନକ ବ୍ୟୁରୋ: ପୁଣି ଆଳିରେ ହେବ ମହାଲଢ଼େଇ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆଳି ନିର୍ବାଚନମଣ୍ଡଳୀକୁ ବିଜେଡି ପୁଣିଥରେ ନିଜ କବଜାକୁ ଆଣିବାରେ ସକ୍ଷମ ହେବ କି ? ଏଥରକ ବିଜେଡି କାହାକୁ ପ୍ରାର୍ଥୀ କରିବ ? ଏହିଭଳି ପ୍ରଶ୍ନ କେବଳ ସାଧାରଣ କର୍ମୀ ନୁହନ୍ତି, ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି । କାରଣ ଏହି ଅଣସଂରକ୍ଷିତ ଆସନଟି ୬ ଥର କଂଗ୍ରେସ ହାତରେ ଓ ୮ଥର ଅଣ-କଂଗ୍ରେସ ଦଳର ଅକ୍ତିଆରରେ ରହିଛି । ଗତଥର ଏହି ନିର୍ବାଚନ ମଣ୍ଡଳୀରେ ବିଜୟ ହାସଲ କରିଥିବା କଂଗ୍ରେସ ଏଥର ମଧ୍ୟ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରୁଛି ।

ଗତ ୨୦୧୪ ମସିହା ନିର୍ବାଚନର ଫଳାଫଳ ରାଜପରିବାରର ବିପକ୍ଷରେ ଯାଇଥିଲା । କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ବିଜେଡିରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରତାପ କେଶରୀ ଦେବଙ୍କୁ ୫ହଜାର ୯୮୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। କୁହାଯାଏ, ୨୦୦୯ ମସିହା ନିର୍ବାଚନର ଏହା ହେଉଛି ବଦଲା । ୨୦୦୯ ମସିହାରେ ହୋଇଥିବା ମୁକାବିଲାରେ ପ୍ରତାପ ୫୯୮୫ ଭୋଟରେ ବିଜୟୀ ହୋଇଥିଲେ ଏବଂ ଦେବେନ୍ଦ୍ରଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ଚଳିତ ନିର୍ବାଚନରେ କେଉଁ ଦଳରେ କିଏ ପ୍ରାର୍ଥୀ ହେଉଛନ୍ତି, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ପ୍ରତାପ ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ ମଧ୍ୟ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ୨୦୧୪ ମସିହାରେ ପରାସ୍ତ ହେବା ପୂର୍ବରୁ ପ୍ରତାପ ୨୦୦୦, ୨୦୦୪ ଓ ୨୦୦୯ରେ ହ୍ୟାଟ୍ରିକ୍ ବିଜୟ ଲାଭ କରିଥିଲେ । ଦଳରେ ତାଙ୍କୁ ଏକମାତ୍ର ନେତା ଓ ପ୍ରଥମ ଦାବିଦାର୍ ବୋଲି କୁହାଯାଉଛି। ହେଲେ ଚଳିତ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହେବେ କି ନାହିଁ, ତାହାକୁ ନେଇ ସାଧାରଣରେ ଦ୍ୱନ୍ଦ ରହିଛି । ଯଦି ପ୍ରତାପ ପ୍ରାର୍ଥୀ ନହୁଅନ୍ତି, ଦଳରୁ ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବେ, ତାହାକୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି ।

ସେହିପରି କଂଗ୍ରେସରୁ ବିଧାୟକ ଦେବେନ୍ଦ୍ର ଶର୍ମା ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ। କିନ୍ତୁ ବିଗତ ୫ ବର୍ଷରେ ଦେବେନ୍ଦ୍ର ବିରୋଧୀ ଶିବିରରେ ରହି ଯେତିକି ବିକାଶ କାମ ହାତକୁ ନେଇଥିଲେ, ତାହା ଆଳି ରାଜକନିକା ପାଇଁ ଯଥେଷ୍ଟ ନୁହଁ । ଏପରିକି ଅନେକ ସମୟରେ ବିରୋଧୀ ଦଳରେ ଥିବାରୁ ବଡ଼ ପ୍ରକଳ୍ପ କାମ କିଛି ହାତକୁ ନେଇ ନପାରି ନାହାନ୍ତି ଦେବେନ୍ଦ୍ର । ଯାହାକି ତାଙ୍କ ବିରୋଧରେ ଥିବା ଜନମତ ବିଜେଡିକୁ ଫାଇଦା ଦେବ ବୋଲି କୁହାଯାଉଛି । କିନ୍ତୁ ଦେବେନ୍ଦ୍ରଙ୍କ ପ୍ରତି ଆଳିବାସୀଙ୍କ ସର୍ବଦା ସମର୍ଥନ ରହିଛି ବୋଲି କଂଗ୍ରେସ କ୍ୟାମ୍ପରେ ଦାବି ଉଠୁଛି ।

ଅପରପକ୍ଷେ ବିଜେପିରୁ କିଏ ପ୍ରାର୍ଥୀ ହେବେ, ତାହା ଉପରୁ ଏଯାବତ୍ ପରଦା ଉଠିପାରି ନାହିଁ । ୧୯୮୫ ଓ ୧୯୯୫ରେ ଦୁଇଥର କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିବା ଦୋଳଗୋବିନ୍ଦ ନାୟକ ଏଥର ବିଜେପି ଶିବିରରେ । କିନ୍ତୁ ନିକଟରେ ଦୋଳଗୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏକ ସଂକଳ୍ପ ସମାବେଶରେ କମ୍ ସଂଖ୍ୟକ ଲୋକ ଜମା ହେବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଆଡ଼େ ଖପ୍ପା ହୋଇଥିବା ଗେରୁଆ କ୍ୟାମ୍ପରେ ଚର୍ଚ୍ଚା ହେଉଛି । ତେଣୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ । ୨୦୦୯ ଓ ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାଆବେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିବା ବ୍ରଜସୁନ୍ଦର ଭୂୟାଁ , ବିସି ଦାସ, କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସଂଘ ପରିବାରର ପୁରୁଣା ସଦସ୍ୟ ସଂଜୟ ବେଉରା ପ୍ରମୁଖ ଟିକେଟ ଆଶାୟୀ ଥିବା ଜଣାପଡ଼ିଛି। ହେଲେ ଦଳ କାହାକୁ ଆଳି ଆସନ ପାଇଁ ବାଛିବେ ତାହା ଉପରୁ ପରଦା ଉଠିବା ବାକି ରହିଛି ।