କୋରାପୁଟର କଳଙ୍କ ! ସାମ୍ନାକୁ ଆସିଲା ନାବାଳିକାଙ୍କ ପ୍ରତି ଅମାନବୀୟ ଅତ୍ୟାଚାରର କରୁଣ କାହାଣୀ, କନକ ନ୍ୟୁଜ ହାତରେ ପୀଡିତାଙ୍କ ଅଡିଓ ଟେପ୍

61

କନକ ବ୍ୟୁରୋ : କୋରାପୁଟ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ସପ୍ତାହେ ବିତିଲାଣି । ହେଲେ ଏବେ ବି ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ଏହାରି ଭିତରେ କନକ ନ୍ୟୁଜ ହାତରେ ଲାଗିଛି ଏକ ଅଡିଓ ଟେପ । ଯେଉଁଥିରେ ରହିଛି ପୀଡିତାଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାରର କରୁଣ କାହାଣୀ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ପୀଡିତାଙ୍କ ବୟାନକୁ ଗୁରୁତ୍ୱ ଦେଇ ତଦନ୍ତକୁ କ୍ରୀୟାଶିଳ କରିବା କଥା ପୋଲିସ । ତେଣୁ ପ୍ରଶ୍ନ ଉଠୁଛି ସେହି ଆଧାରରେ ପୋଲିସ ତଦନ୍ତ ଆଗଉଛି ତ? ପୁରା ମାମଲାରେ ପୋଲିସ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଆଉ ଏପଟେ ପ୍ରଶାସନ ଓ ସରକାରଙ୍କୁ ବିରୋଧୀଙ୍କ ଆକ୍ରମଣ ଜାରି ରହିଛି ।

ଏହି ଅଡିଓ ଟେପରେ ରହିଛି ଅନେକ ହୃଦୟ ବିଦାରକ ତଥ୍ୟ । ଏକ ଅଜଣା ସ୍ଥାନକୁ ଟେକିନେଇ ପାଶବିକ ଅତ୍ୟାତାର କରିବା ପରେ ଧର୍ଷଣକାରୀ ମୋବାଇଲରେ ଏହାର ଭିଡିଓ କଏଦ କରିଥିବା ରହିଛି ଅଡିଓ ଟେପରେ । ସେପଟେ ଘଟଣାର ସପ୍ତାହେ ପରେ ବି ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ପ୍ରକୃତ ଅଭିଯୁକ୍ତଙ୍କୁ ଖୋଜିବା ପରିବର୍ତେ ପୀଡିତାଙ୍କ ସଂପର୍କୀୟଙ୍କୁ ବାରମ୍ବାର ଟେକିନେଇ ଥାନାରେ ଅଟକ ରଖୁଥିବା ଅଭିଯୋଗ ହୋଇଛି ।

ଏପଟେ ମାମଲାରେ ନିଜ ଆଡୁ ଅନୁସନ୍ଧାନ କରୁଥିବା ମହିଳା କମିସନର ୪ ଜଣିଆ ଟିମ ପୀଡିତାଙ୍କ ସହ ଆଲୋଚନା କରିଥିବାବେଳେ ହସ୍ପିଟାଲ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କଠାରୁ ତଥ୍ୟ ଯୋଗାଡ କରିଛନ୍ତି । ୨ରୁ ୩ଦିନ ଭିତରେ ରିପୋର୍ଟ ଆସିବା ପରେ ଯାହାକିଛି ପଦକ୍ଷେପ ନେବେ ବୋଲି କହିଛନ୍ତି କମିଶନର ଅଧ୍ୟକ୍ଷା ।

ଦିନ ଗଡିବା ସହ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ଗତକାଲି ୭ ଘଂଟିଆ ବନ୍ଦ ପାଳନ ପରେ ଆଜି କୁନ୍ଦୁଲି ହାଟପଦାରୁ କୋରାପୁଟ ଯାଏଁ କଂଗ୍ରେସ କରିଛି ନିର୍ଭୟା ସନ୍ଦେଶ ପଦଯାତ୍ରା । ଅଭିଯୁକ୍ତଙ୍କ ସଂପର୍କରେ ପୀଡିତା ସୂଚନା ଦେଇସାରିଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ ।