ସେଲ୍ଫି ବେବୋଙ୍କ ମୃତ୍ୟୁକୁ ବଢ଼ୁଛି ରହସ୍ୟ । ସାମନାକୁ ଆସିଲା ସିମରନଙ୍କ ଶେଷ ଭଏସ୍ ମେସେଜ୍

ଅଡିଓ ଟେପର ଖିଅକୁ ଧରି ତନାଘନା କରୁଛି ପୁଲିସ

447

କନକ ବ୍ୟୁରୋ: ସେଲଫି ବେବୋ ସିମରନ ମୃତ୍ୟୁ ରହସ୍ୟ ଘନେଇବାରେ ଲାଗିଛି । ଏବେ ସାମନାକୁ ଆସିଛି ଏକ ଭଏସ ମେସେଜ । ଯେଉଁଥିରେ ସୀମରନ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । ଏବେ ଏହି ଅଡିଓ କ୍ଲିପ୍କୁ ନେଇ ଆରମ୍ଭ ହୋଇଯାଇଛି ତନାଘନା । ସୀମରନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ଏହା ଉପରୁ ପରଦା ହଟିନଥିବା ବେଳେ ସିମରନଙ୍କ ହତ୍ୟା ପଛରେ ସ୍ୱାମୀଙ୍କ ହାତ ଥିବା ନେଇ ହୋଇଥିବା ଅଭିଯୋଗକୁ ଅସ୍ୱିକାର କରିଛନ୍ତି ସ୍ୱାମୀ ରଞ୍ଜୁ ସୁନା ।

ଆଲବମ ସେଲଫି ବେବୋର ସଫଳ ନାୟିକା ସିମରନଙ୍କ ମୃତ୍ୟୁ ହେଲା କେମିତି ? ତାଙ୍କୁ କେହି ହତ୍ୟା କରି ଫୋପାଡି ଦେଇଛି ନା ସେଲଫି ବେବୋ ଆତ୍ମହତ୍ୟା କରିଛନ୍ତି? କିଛି ଏମିତି ପ୍ରଶ୍ନ ସେଲଫି ବେବୋ କାହାଣୀକୁ ଜଟିଳ କରିଦେଇଛି । କାହାଣୀରେ ନୂଆ ମୋଡ ସେତେବେଳେ ଆସିଛି ଯେତେବେଳେ ସାମନାକୁ ଆସିଛି ସିମରନ ଆଉ ତାଙ୍କ ସ୍ୱାମୀ ରଞ୍ଜୁ ସୁନାଙ୍କ ମଧ୍ୟରେ ଭଏସ ମେସେଜର କିଛି ଅଡିଓ କ୍ଲିପ । ସୀମରନଙ୍କ ମୃତ୍ୟୁ ପୂର୍ବରୁ ଏହା ହେଉଛି ତାଙ୍କର ଶେଷ କଥାବର୍ତା ।

ମରି ନ ଯାଇ କାହିଁକି ଫେରୁଛୁ । କିଛି ଏମିତି କଥା କହିଛନ୍ତି ସିମରନଙ୍କ ସ୍ୱାମୀ । ଏଥିରୁ ସ୍ପଷ୍ଟ ଜଣାପଡୁଛି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ସେପଟେ ପୋଲିସ ପହଂଚିଯାଇଛି ସିମରନଙ୍କ ସ୍ୱାମୀ ରଞ୍ଜୁ ସୁନା ନିକଟରେ । ପୋଲିସ ରଞ୍ଜୁ ସୁନାକୁ ଅଟକ ରଖି ପଚରା ଉଚରା କରୁଛି । ମୃତ୍ୟୁ ଘଟଣା ନେଇ ମୁହଁ ଖୋଲିଛନ୍ତି ରଞ୍ଜୁ ସୁନା । ମୃତ୍ୟୁ ପଛରେ ତାଙ୍କ କୌଣସି ଭୂମିକା ନାହିଁ । ସିମରନଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ସତ ନୁହେଁ ବୋଲି କହିଛନ୍ତି ରଞ୍ଜୁ ସୁନା । ସେ କହିଛନ୍ତି, ଘରୁ ଚାଲିଯିବା ପରେ ସିମରନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ।  ସିମରନ ଏହାପୂର୍ବରୁ ମଧ୍ୟ  ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ତାଙ୍କର ହତ୍ୟା ହୋଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେ ବିଷୟରେ ଜାଣିନଥିବା କହିଛନ୍ତି ସିମରନଙ୍କ ସ୍ୱାମୀ ।

ସୋନପୁରରେ ଗୋଟିଏ ମଂଚରେ ପୋଗ୍ରାମ କରୁଥିବା ସମୟରେ ପ୍ରେମରେ ପଡିଯାଇଥିଲେ ସୋଲଫି ବେବୋ ସିମରନ ଏବଂ ରଞ୍ଜୁ ସୁନା । ସମ୍ପର୍କ ଦିନକୁ ଦିନ ଯେତିକି ନିବିଡ ହେଉଥିଲା ଉଭୟଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଲାଗିରହୁଥିଲା । ଅନ୍ୟ କାହା ସହ ଯାଇ ବାହାରେ କାର୍ଯ୍ୟକ୍ରମ କରିବାକୁ ପସନ୍ଦ କରୁନଥିଲେ ରଞ୍ଜୁ ସୁନା । ଏସବୁ ଭିତରେ ସମ୍ବଲପୁରର ମହାନଦୀ ବ୍ରିଜ ତଳୁ ମିଳିଥିଲା ସିମରନଙ୍କ ମୃତଦେହ । ଏବେ ନଜର ଘଟଣା ଆଗକୁ କି ମୋଡ ନେଉଛି ।