ଆପଣଙ୍କ ଆଧାର ତଥ୍ୟକୁ ସରକାର କେଉଁଠି ଲୁଚାଇ ରଖିଛନ୍ତି! ସୁପ୍ରିମକୋର୍ଟରେ ଏହା ଉପରୁ ପରଦା ଉଠାଇଲେ ଆଟର୍ଣ୍ଣିଂ ଜେନେରାଲ

70

ଆଧାର କାର୍ଡର ସୁରକ୍ଷାକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି । ଏପରିକି ଆଧାର କାର୍ଡ ଦ୍ୱାରା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଲିକ୍ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଆଧାର କାର୍ଡର ସୁରକ୍ଷାକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟରେ ଆଜି ଆଧାର କାର୍ଡ ମାମଲାରେ ଶୁଣାଣି ଚାଲିଥିବା ବେଳେ ଆଟର୍ଣ୍ଣି ଜେନରାଲ କେକେ ବେଣୁଗୋପାଳ କହିଛନ୍ତି, ଆଧାର କାର୍ଡର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । ଏପରିକି ଏହାକୁ ଏମିତି ଏକ ସ୍ଥାନରେ ରଖାଯାଇଛି ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ୧୩ ଫୁଟ ଉଚ୍ଚ ଓ ୫ ଫୁଟ୍ ଚଉଡାର ମୋଟା କାନ୍ଥ ପଛରେ ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଛନ୍ତି ଆଟର୍ଣ୍ଣି ଜେନରାଲ ।

ଏହାସହ ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ସରକାର କହିଛନ୍ତି, ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ଆଧାର ଜରୁରୀ । କାରଣ ସରକାର ଜନସାଧାରଣଙ୍କ ପାଇଁ ୧ ଟଙ୍କା ପଠାଇଲେ ସେମାନଙ୍କ ପାଖରେ ୧୫ ପଇସା ହିଁ ପହଞ୍ଚିଥାଏ । ତେଣୁ ଏହି ଅସୁବିଧାକୁ ଦୂର କରିବା ପାଇଁ ଆଧାର ନିତାନ୍ତ ଆବଶ୍ୟକ । କେନ୍ଦ୍ର ସରକାର କହିଛନ୍ତି ଯେ, ଯଦି ଆଧାରର ସୁରକ୍ଷାକୁ ନେଇ କୌଣସି ପ୍ରଶ୍ନ ରହିଛି ତେବେ ୟୁଆଇଡିଏଆଇର ସିଇଓଙ୍କୁ ଡାକି ଏହାର ସତ୍ୟତା ବିଷୟରେ ମଧ୍ୟ କୋର୍ଟ ପରଖି ପାରିବେ ।

ପୂର୍ବରୁ ଆଧାର ତଥ୍ୟ ଚୋରି ହେଉଥିବା ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଅନିଦ୍ଦିଷ୍ଟ କାଳ ପାଇଁ ବିଭିନ୍ନ ଡକୁମେଣ୍ଟ ସହ ଆଧାର ଲିଙ୍କକୁ ଘୁଞ୍ଚାଇ ଦେଇଛନ୍ତି । ସୁପ୍ରିମକୋର୍ଟ ଗତ ୧୩ ତାରିଖରେ ବିଭିନ୍ନ ସରକାରୀ ସ୍କିମ୍, ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସହ ଆଧାର ନମ୍ବର ଲିଙ୍କ୍ କରିବାର ଶେଷ ତାରିଖକୁ ସୁପ୍ରିମକୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇଦେଇଥିଲେ । ପୂର୍ବରୁ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ରଖାଯାଇଥିଲା । ଆଧାରର ବୈଧତା ସଂପର୍କରେ ଚୂଡାନ୍ତ ରାୟ ନ ଆସିବା ପର୍ୟ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିଲା ।