କ’ଣ ଲୁଚାଇବାକୁ ଚାହୁଁଛି ଏମ୍ସ ? ସିିଲିଂ ଭୁଶୁଡ଼ିବା ଘଟଣାର ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଏମ୍ସ ସିକ୍ୟୁରିଟି ଗାର୍ଡ

23

କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଏମ୍ସ ସିକ୍ୟୁରିଟି ଗାର୍ଡ଼ । ଗତକାଲି ହସ୍ପିଟାଲ ପରିସରରେ ଥିବା ଆଉଟଡୋର ବା ଟିକଟ କାଉଁଟର ନିକଟରେ ଛାତର ସିଲିଂ ଖସିପଡିଥିଲା । ଯାହାକୁ ନେଇ ଭୟଭୀତ ହୋଇପଡ଼ିଥିଲେ ରୋଗୀ ଓ ସମ୍ପର୍କୀୟ । ଏନେଇ ଆଜି କନକ ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ଆଉ ସେତିକିବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଏମ୍ସ ସିକ୍ୟୁରିଟି ଗାର୍ଡ଼ । କେବଳ ଏତିକି ନୁହେଁ ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇ ରଖିଛନ୍ତି ସିକ୍ୟୁରିଟି ଗାର୍ଡ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲି ପୋଲିସ୍ । ସେପଟେ ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି ଘଟଣାର ତଦନ୍ତ ହେବ । ଦୋଷ ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି କ’ଣ ଲୁଚାଇବାକୁ ଚାହୁଁଛି ଏମ୍ସ ।

ସୂଚନାଯୋଗ୍ୟ ସବୁଦିନ ଭଳି ଶୁକ୍ରବାର ସକାଳେ ଟିକେଟ୍‌ କାଉଣ୍ଟର୍‌ରେ ପ୍ରବଳ ଭିଡ଼ ଲାଗି ରହିଥିଲା । ରୋଗୀଙ୍କ ସମ୍ପର୍କୀୟମାନେ ଟିକେଟ୍‌ କରିବା ପାଇଁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିଲେ । ଏତିକିବେଳେ ହଠାତ୍‌ ଛାତ ସିଲିଂର ଏକ ବଡ଼ ଅଂଶ ଖସି ପଡ଼ିଥିଲା । ସୌଭାଗ୍ୟକୁ ଠିକ୍‌ ସେହି ସ୍ଥାନରେ କେହି ଠିଆ ହୋଇ ନଥିଲେ । ତେଣୁ ଏଥିରେ କାହାର କିଛି କ୍ଷତି ହୋଇ ନଥିଲା । ମାତ୍ର ସିଲିଂ ଖସିବା ଜାରି ରହିବା ଭୟରେ ଲାଇନ୍‌ରେ ଅପେକ୍ଷା କରିଥିବା ଲୋକେ ଅତଙ୍କିତ ହୋଇ ପଡ଼ିଥିଲେ। ଏମିତିକି ଅନେକ ଲୋକ ଲାଇନ୍‌ରୁ ବାହାରି କାଉଣ୍ଟର୍‌ ବାହାରକୁ ପଳାଇ ଯାଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସେଠାରେ ଭୟର ବାତାବରଣ ଖେଳି ଯାଇଥିଲା । ଖବର ପାଇ ଏମ୍‌ସର କିଛି ବରିଷ୍ଠ ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରେ ନିର୍ଦେଶିକା ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସିଲିଂ ଛିଡ଼ିଥିବା ସ୍ଥାନକୁ ତନଖି କରିବା ପାଇଁ ଟେକ୍‌ନିସିଆନ୍‌ଙ୍କୁ ଡକାଯାଇଥିଲା । ଯାଞ୍ଚ ପରେ ଜଣାଯାଇଥିଲା ଯେ ସିଲିଂ ହୋଇଥିବା ଗୋଟିଏ ଅଂଶର ନଟ୍‌ ବୋଲ୍‌ଟ ଖସି ଯିବାରୁ ସେହି ଅଂଶ ତଳକୁ ଖସି ପଡ଼ିଛି ।