ପୁଣି ଫେରିଲା ଝିଇଁଟି ବିବାଦ! କୁହୁକ ପୋଥିର ସୁର ବାବାଙ୍କ ଭକ୍ତଙ୍କ ଉପରେ ମରଣାନ୍ତକ ଆକ୍ରମଣ

62

କନକ ବ୍ୟୁରୋ : ପୂଜା କଲି ଫଳ ପାଇଲି । ଦୀର୍ଘ ୨୨ ବର୍ଷର ତପସ୍ୟାର ଫଳ ଏୟା । ଭଣ୍ଡ ବାବା ସୁରଙ୍କୁ ପୁଲିସ ବାନ୍ଧିଛି, ହେଲେ ଏବେବି ଚାଲିଛି ଗୁଣ୍ଡାରାଜ । ଦିନ ଦ୍ୱିପ୍ରହରରେ ମରଣାନ୍ତକ ଆକ୍ରମଣ ହେଉଛି । ଜୀବନରୁ ମାରି ଦେବାକୁ ଧମକ ମିଳୁଛି । ବାବାଙ୍କ ନାମ ନଜପିଲେ ହାଣିବାକୁ ବି ପଛାଉ ନାହାଁନ୍ତି ସୁରଙ୍କ ଭକ୍ତ । ଏଭଳି ଅଭିଯୋଗ ଆଣିଛନ୍ତି ଦିଲ୍ଲୀପ କୁମାର ମହାପାତ୍ର । ଯିଏ ଦିନେ ଥିଲେ ଝିଇଁଟି ସୁର ଆଶ୍ରମ ପରିଚାଳନା କମିଟି ସଦସ୍ୟ ।

ସେଦିନ ଥିଲା ସ୍ନାନ ପୁର୍ଣ୍ଣିମା । ଯେଉଁ ସମୟରେ ପୁରୀରେ ତିନି ଦିଅଁକୁ ପୂଜାର୍ଚ୍ଚନା କରାଯାଉଥିଲା, ସେହି ସମୟରେ ଝିଇଁଟି ସୁର ଆଶ୍ରମରେ ଚାଲିଥିଲା ପାଦୁକା ପୂଜା । ଜେଲ୍ ହାଜତରେ ଥିବା ସୁରଙ୍କୁ ଭଗବାନର ପୂଜା ଦିଆଯାଇ ପାଦୁକାକୁ ପୂଜା କରାଯାଉଥିଲା । ଯେପରି ଗଣମାଧ୍ୟମ ଭିତରକୁ ପ୍ରବେଶ ନକରେ ସେନେଇ ଭକ୍ତଙ୍କ କଡ଼ା ନଜର ଥିଲା । ସେହି ସମୟରେ ଦିଲ୍ଲୀପ ଆଶ୍ରମ ଭିତରେ ଥିବା ନିଜ ଘରକୁ ଯାଉଥିବା ସମୟରେ ତାଙ୍କୁ ସୁରଙ୍କ କିଛି ଗୁଣ୍ଡା ଭକ୍ତ ଆକ୍ରମଣ କରିଥିବା ସେ ଅଭିଯୋଗ ହୋଇଛି ।

ଏହି ଘଟଣାକୁ ପୁଲିସ ଗୁରୁତର ସହିତ ନେବା ସହ, ଭଣ୍ଡ ସୁରଙ୍କ ଆକ୍ରମଣକାରୀ ଭକ୍ତକୁ ହାତକଡ଼ି ପିନ୍ଧାଇଛି । ଅଭିଯୁକ୍ତ ଦେବାଶିଷ ସାହୁକୁ କୋର୍ଟଚାଲାଣ କରାଯାଇଛି । ତେବେ ଭଣ୍ଡ ସୁରର ଗିରଫଦାରୀ ପରେ, ଆଶ୍ରମରେ କଣ ସବୁ ଚାଲିଛି ସେନେଇ ପୁଲିସ ଅଧିକ ତଦନ୍ତ କରୁଛି ।