ସୀମା ଟପିଲେଣି ସେବାୟତ: ଭକ୍ତଙ୍କ ପରେ ଏବେ ପୁଲିସ୍ ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ

26

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ସେବାୟତଙ୍କ ଦାଦାଗିରି ସବୁ ସୀମା ଟପିଲାଣି। ଗତ କିଛି ଦିନ ତଳେ ଦୁଇଜଣ ସେବାୟତ ମହାରାଷ୍ଟ୍ରର ଜଣେ ଭକ୍ତଙ୍କୁ ମାଡ ମାରି ଲହୁଲୁହାଣ କରିବା ପରେ ଏବେ ପୁଣି ଜଣେ ସେବକ ଶ୍ରୀମନ୍ଦିରରେ କାର୍ଯ୍ୟରତ ପୁଲିସକୁ ମାଡ ମାରିଥିବା ନେଇ ସିଂହଦ୍ଵାର ଥାନାରେ ଅଭିଯୋଗ ହୋଇଛି। ଡ୍ୟୁଟିରେ ଥିବା ଜେଟିପି (ଜଗନ୍ନାଥ ଟେମ୍ପୁଲ ପୁଲିସ) ସନ୍ତୋଷ କୁମାର ଦାଶ ଜଣେ ସେବକଙ୍କୁ ଖାଲି ଘୁଂଚ ବୋଲି କହିବାରୁ ସେ ଆକ୍ରମଣର ଶିକାର ହୋଇଛନ୍ତି।

ମନ୍ଦିର ଭିତରେ ପ୍ୟାଣ୍ଟସାର୍ଟ ପିନ୍ଧି ରାସ୍ତାରେ ଠିଆ ହୋଇଥିବା ପୁଅ ମହାସୁଆର ନାମକ ସେବକ ଜେଟିପି ଶ୍ରୀ ଦାଶଙ୍କ କଲର ଧରି ଘୋଷାଡିବା, ଅଶାଳୀନ ବ୍ୟବହାର କରିବା ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଶ୍ରୀ ଦାଶ ଅଭିଯୋଗରେ ଦର୍ଶାଯାଇଛି । ଗତ ୨୭ ତାରିଖରୁ ଜେଟିପି ଶ୍ରୀ ଦାଶ ଏ ସଂପର୍କରେ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୁଲିସ ମାମଲାଟିକୁ ଚପାଇ ଦେଇଛି। ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସେବକଙ୍କ ଏ ପ୍ରକାର ଦାଦାଗିରିକୁ ମନ୍ଦିର ଭିତରେ କାମ କରୁଥିବା ଜେଟିପିମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହାକୁ ନେଇ ଆଗୀମୀ ଦିନରେ ଜେଟିପିମାନେ ମିଳିତ ଭାବେ ଏହାର ପ୍ରତିବାଦ କରିବେ ବୋଲି ମଧ୍ୟ ଜଣାପଡିଛି। କଲର ଭିଡି ମାଡ ମାରିଥିବା ସୁଆର ସେବକଙ୍କ ନାମରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବାକୁ ଦାବି ହୋଇଛି।

ଗତ ୨୭ ତାରିଖ ଅପରାହ୍ନ ୪ଟା ୫୦ରେ ଶ୍ରୀମନ୍ଦିର ଭିତରେ କାର୍ଯ୍ୟ କରୁଥିବା ଜେଟିପି ଶ୍ରୀ ଦାଶ ପାଳିଆ ସୁଆର ସେବକଙ୍କୁ ତାଙ୍କ ଜଳ ଗରା ସହିତ ସୁରକ୍ଷା ଦେଇ ନେଉଥିଲେ। ତେବେ ପଣାଦ୍ଵାର ଅତିକ୍ରମ କରୁଥିବ ସମୟରେ ହରଚଣ୍ଡି ସାହିର ଉଦୟନାଥ ମହାସୁଆରଙ୍କ ପୁଅ, ପୁଅ ମହାସୁଆର ସେଠାରେ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଅନ୍ୟ ଦିଗକୁ ମୁହଁ କରି ଠିଆ ହୋଇଥିଲେ। ସୁଆର ବଡୁଙ୍କ ପାଣି ମାରା ହେବା ଆଶଙ୍କାରେ ଜେଟିପି ଶ୍ରୀ ଦାଶ ପୁଅର ପିଠିରେ ହାତ ମାରି ଆଡେଇ ଯିବାକୁ କହିଥିଲେ। ଏତିକି କହି ଆଗକୁ ବଢୁଥିବା ବେଳେ ଜେଟିପିଙ୍କ କଲରକୁ ପୁଅ ଭିଡି ନେଇଥିଲେ। ଲୋକ ଚିହ୍ନି ପାରୁନ କହି ପୁଅ ଜେଟିପି ଶ୍ରୀ ଦାଶଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହିତ ଅସଦାଚରଣ କରିଥିଲେ। ବାହାରକୁ ବାହାର ଦେଖିଦେବି ବୋଲି ମଧ୍ୟ ଧମକ ଦେଇଥିବା ଜେଟିପି ଶ୍ରୀ ଦାଶ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ବିନା କାରଣରେ ଜଣେ କାର୍ଯ୍ୟରତ ପୁଲିସକୁ ଏଭଳି କଲର ଭିଡି ଅଶାଳୀନ ବ୍ୟବହାର କରିବା ଘଟଣାକୁ ନେଇ ଶ୍ରୀ ଦାଶ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ୪ ଦିନ ବିତିଲାଣି। ମାତ୍ର ପୁଲିସ ଏପର୍ଯ୍ୟ ନ୍ତ ମାମଲା ରୁଜୁ କରି ନାହିଁ। ସିଂହଦ୍ଵାର ପୁଲିସ ସେବକଙ୍କ ଭୟରେ ଏ ନେଇ ମାମଲା ରୁଜୁ କରିବା ବଦଳରେ ବାହାନା ଦେଖାଉଛି। ଜେଟିପି ଏ ସଂପର୍କରେ ପ୍ରଥମେ ମନ୍ଦିର ପ୍ରଶାସନକୁ ଜଣାଇବାର ଆବଶ୍ୟକତା ଥିବା ପୁଲିସ ପକ୍ଷରୁ ସଫେଇ ଦେଇଛି। ଗତ ୧୦ ଦିନ ତଳେ ମହାରାଷ୍ଟ୍ରରୁ ଆସିଥିବା ଚେତନ ଗଣପତି ଜି ଅମୋଲକର ନାମକ ଜଣେ ଭକ୍ତଙ୍କୁ ସେବକ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏହି ଘଟଣାରେ ଦୁଇ ଅଭିଯୁକ୍ତ ସେବକଙ୍କୁ ଏ ଯାବତ ଗିରଫ କରାଯାଇନାହିଁ। ପୁଲିସ ଜାଣିଶୁଣି ଏଭଳି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି।