ସରକାରଙ୍କ ଆଶ୍ୱସନା ସତ୍ୱେ ସୁଧୁରୁନି ଅବସ୍ଥା ! ଏବେ ବି ରାଜ୍ୟର ଅଧିକାଂଶ ଏଟିଏମରେ ନାହିଁ ଟଙ୍କା, ବିଧାନସଭାରେ ଉଠିଲା ପ୍ରସଙ୍ଗ

34

କନକ ବ୍ୟୁରୋ : ସାରା ଦେଶରେ ଏଟିଏମଗୁଡିକରେ ଟଙ୍କା ନଥିବାରୁ ଗ୍ରାହକ ହାଇରାଣ ହେଉଛନ୍ତି । ସରକାର ଓ ରିଜର୍ଭ ବ୍ୟାଙ୍କ ଏ ବାବଦରେ ଯେେତେ ସଫେଇ ଦେଲେ ବି ପରିସ୍ଥିତିରେ ସେଭଳି କୌଣସି ସୁଧାର ଆସୁନାହିଁ । ଲୋକଙ୍କୁ ଏବେ ବି ଲମ୍ବା ଧାଡିରେ ଏଟିଏମ ଆଗରେ ଛିଡା ହେବାକୁ ପଡୁଛି । ଉତ୍ତର ଭାରତରେ ଏହି ସମସ୍ୟା ଜୋର ହୋଇଥିବା ବେଳେ ରାଜ୍ୟରେ ବି ଅଧିକାଂଶ ସ୍ଥାନରେ ଏଟିଏମରେ ଟଙ୍କା ନାହିଁ ।

ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଦେଖିବା ପାଇଁ ମିଳିଛି, ଯେଉଁଠି ଏଟିଏମରେ ଟଙ୍କା ନାହିଁ । ଲୋକେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି । ଟଙ୍କା ପାଇଁ ଲୋକେ ହଇରାଣ ହେଉଛନ୍ତି । କଟକ ଓ ନୂଆପଡାରେ ଏପରି ଅସୁବିଧା ଦେଖାଦେଇଛି । ଏହି ଦୁଇଟି ସ୍ଥାନରେ ଏଟିଏମଗୁଡିକ ବନ୍ଦ ରହିଛି । ଯେଉଁଠି ଏଟିଏମ ଖୋଲିଛି ସେଠାରେ ଦେଖିବାକୁ ମିଳିଛି ଲମ୍ବା ଧାଡି । ଖରାରେ ଟଙ୍କା ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଏହା ହିଁ ବୟାନ କରୁଛି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କା ନାହିଁ । ଅଧିକାଂଶ ଏଟିଏମରେ ତାଲା ଝୁଲୁଛି । ଯେଉଁଠି ଖୋଲାଅଛି ସେଠାରେ ଲୋକେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ।

ସେପଟେ ଆଜି ବିଧାନସଭାରେ ମଧ୍ୟ ଉଠିଛି ଏଟିଏମରେ ଟଙ୍କା ନଥିବା ପ୍ରସଙ୍ଗ । ସମସ୍ୟାର ସମାଧାନ ଲାଗି ବିଧାୟକ ଦାବି କରିଛନ୍ତି । ଅର୍ଥମନ୍ତ୍ରୀଙ୍କୁ ମତ ରଖିବାକୁ ଅନୁରୋଧ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ଏହାଛଡା ସମସ୍ୟାର ସମାଧାନ ଲାଗି ଗୃହର ପ୍ରସ୍ତାବ ଆଣିବାକୁ କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି । ସେହିଭଳି ବିଜେପି ବିଧାୟର କନକବର୍ଦ୍ଧନ ସିଂହଦେଓ ରାଜ୍ୟ ଅର୍ଥମନ୍ତ୍ରୀ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କୁ ଡାକି ସ୍ଥିତି ପରଖିବାକୁ ଦାବି କରିଥିଲେ । ବିଧାୟକ ମହେଶ ସାହୁ କଥା ଛଳରେ କହିଥିଲେ, ବାଚସ୍ପତି ବ୍ୟବସ୍ଥା କରନ୍ତୁ, ନଚେତ ଧାର ଦିଅନ୍ତୁ ।