ରେଶମ ସହରରେ ଏଟିଏମ୍ ଲୁଟେରାଙ୍କ ଆତଙ୍କ : ଗୋଟିଏ ରାତିରେ ୬ଟି ଏଟିଏମ ତାଡି ୧୬ ଲକ୍ଷ ଲୁଟି ନେଲେ

33

କନକ ବ୍ୟୁରୋ : ରେଶମ ସହର ବ୍ରହ୍ମପୁରରେ ଏଟିଏମ ଲୁଟେରାଙ୍କ ଆତଙ୍କ । ଗୋଟିଏ ରାତିରେ ସହରର ୬ଟି ଏଟିଏମ୍ ତାଡି ୧୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସହରର ହଳଦିଆପଦର, ଗୋଷାଣୀନୂଆଗାଁ ନିକଟସ୍ଥ ବଦ୍ରିରାଜନଗର, ଖୋଡାସିଙ୍ଗି, ଆଙ୍କୁଲି, ଗୋପାଳପୁର ଜଙ୍କସନ୍ ଓ ଲାଞ୍ଜପଲ୍ଲୀ ଅଂଚଳରେ ଥିବା ଏସବିଆଇର ୬ଟି ଏଟିଏମରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟି ନେଇଛନ୍ତି । ସମାନ ଢଙ୍ଗରେ ସବୁ ସ୍ଥାନରେ ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟି ନେଇଛନ୍ତି ଟଙ୍କା । ସମସ୍ତ ଏଟିଏମ୍ ଗୁଡିକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ।

ତେବେ ଗୋଟିଏ ଏଟିଏମରୁ ୧୬ ଲକ୍ଷ ଲୁଟ ହୋଇଥିବା ବେଳେ ଅନ୍ୟ କୌଣସି ଏଟିଏମରେ ଟଙ୍କା ନଥିବା ଜଣାପଡିଛି । ତେବେ ଲୁଟ ହୋଇଥିବା ଏଟିଏମ ମାନଙ୍କରେ ସୁରକ୍ଷା କର୍ମୀ ନଥିବା ବେଳେ ଅଟୋ ସାଇରନର ବ୍ୟବସ୍ଥା ନଥିଲା । ଯାହାକି ବ୍ରହ୍ମପୁର ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଟିଏମର ସିସିଟିଭି ହାର୍ଡ ଡିସ୍କ ପୋଡିଯାଇଥିବାରୁ ଏଯାବତ୍ ସିସିଟିଭି ଫୁଟେଜ୍ ଯାଂଚ କରାଯାଇନଥିବା ବେଳେ ସେସବୁର ବ୍ୟାକଅପକୁ  ମୁମ୍ବାଇରୁ ଅଣାଯାଇ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି । ପୁଲିସ ସମସ୍ତ ଘଟଣାର ପର୍ଦ୍ଦାଫାସ କରିବା ସହ ଲୁଟେରାରେ ସକ୍ରିୟ ଥିବା ଗ୍ୟାଙ୍ଗକୁ ଗିରଫ କରିବ ବୋଲି ପୁଲିସ କହିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ତାଗିଦ୍ କରିଥିଲେ ସୁଦ୍ଧା ସେମାନେ ସୁରକ୍ଷା ଦିଗରେ ଢିଲା ହୋଇଯାଉଥିବା ପୁଲିସ କହିଛି ।

ସେପଟେ ଷ୍ଟିଲ ସିଟିରେ ବି ଏଟିିଏମ୍ ଭାଙ୍ଗି ଲୁଟିଲେ ୮ ଲକ୍ଷ ଲୁଟ । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବଜାରରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ କରିଛନ୍ତି ଦୁବୃର୍ତ । ବ୍ୟାଙ୍କ କତୃପକ୍ଷଙ୍କ ଅଭିଯୋଗ ପରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛି । ସାଇଂଟଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚି ଘଟଣାର ଯାଂଚ ଆରମ୍ଭ କରିଛି । ଲୁଟ ପରେ ଦୁର୍ବୃତମାନେ ଝାଡ଼ଖଣ୍ଡ ଯାଇଥିବା ସନ୍ଦେହ କରାଯାଉଛି ।