ବିନା ଓଟିପି ଏବଂ ଏଟିଏମରେ ଆକାଉଣ୍ଟରୁ ଟଙ୍କା ଗାଏବ । ଜଣେ କି ଦୁଇ ଜଣ ନୁହେଁ, ୮୮ ଜଣ ଲୋକଙ୍କ ବ୍ୟାଙ୍କ ଖାତାରୁ ୧୯ ଲକ୍ଷ ଟଙ୍କା ଚୋରି ।

961

କନକ ବ୍ୟୁରୋ : ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେବା, ଆକାଉଣ୍ଟ ହ୍ୟାକ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ଦିଲ୍ଲୀରେ ୮୮ ଜଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୯ ଲକ୍ଷ ଟଙ୍କା ଉଭାନ ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ ଉପାୟରେ ଚୋର ଆକାଉଣ୍ଟରୁ ଟଙ୍କା ଚୋରି କରିଛି ତାକୁ ନେଇ ଏବେ ଚିନ୍ତାରେ ପୁଲିସ । କୌଣସି ଓଟିପି ବା ଏଟିଏମ୍‌ କାର୍ଡ ବିନା ଚୋରି କରିବା ଘଟଣାକୁ ପୁଲିସ ସହଜରେ ଗ୍ରହଣ ନ କରିବା ସହ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ଗୌରବ ସେଠୀ ନାମକ ଜଣେ ଯୁବକ ତାଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା ଚୋରି ହେବା ନେଇ ପୁଲିସରେ ଅଭିଯୋଗ କରିଥିଲେ । ଏହା ସହ ଚୋରି ହେବା ସମୟରେ ତାଙ୍କ ଏଟିଏମ୍‌ କାର୍ଡ ତାଙ୍କ ପାଖରେ ଥିଲା ବୋଲି ଗୌରବ କହିବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । କାରଣ ସମାନ ମାମଲାକୁ ନେଇ ଗୌରବଙ୍କ ପୂର୍ବରୁ ୮୭ଜଣ ଲୋକ ପୁଲିସରେ ଅଭିଯୋଗ କରି ସାରିଥିଲେ । ସମାନ କୌଶଳ ଆପଣାଇ ଆକାଉଣ୍ଟରୁ ୧୯ଲକ୍ଷ ଟଙ୍କା ଚୋରି କରି ନେବା ଘଟଣା ଏବେ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସାଇବର ଏକ୍ସପର୍ଟଙ୍କ ସହ ପୁଲିସ ଏବେ ତଦନ୍ତ ଆରମ୍ଭ କରି ଦେଇଥିବା ଜଣାପଡ଼ିଛି ।

Comments are closed.