ହୁସିଆର,ମାତିଛନ୍ତି ସ୍ମାର୍ଟ ଲୁଟେରା ! ଏଟିଏମରେ ସ୍କିମର୍ ଏବଂ କ୍ୟାମେରା ଲଗାଇ ଉଠାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

42

ଆଜିକାଲି ବ୍ୟାଙ୍କ୍ ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଉଛି । ୨୪ ଘଂଟା ଏଟିଏମରୁ ଟଙ୍କା ବାହାର କରିବାର ସୁଯୋଗ ଦେଉଛି । ତେବେ ପୂର୍ବାପେକ୍ଷା ବର୍ତ୍ତମାନ ଏଟିଏମର ବ୍ୟବହାର ବଢ଼ିଗଲାଣି । ଆଉ କେହି ବ୍ୟାଙ୍କ ଯାଇ ଧାଡ଼ିରେ ଛିଡ଼ା ହୋଇ ଟଙ୍କା ନେଣଦେଣ କରିବା ପାଇଁ ପସନ୍ଦ କରୁନାହାନ୍ତି । କାରଣ ଏଟିଏମରୁ ଅତି ସହଜରେ ଟଙ୍କା ଉଠାଣ ହୋଇପାରୁଛି । ତେବେ ଏଟିଏମରେ କାରବାର ଯେତିକି ବଢ଼ୁଛି, ଏଥିରେ ଠକାମି ମଧ୍ୟ ସେତିିକି ବଢ଼ିଚାଲିଛି । କିଛି ଦିନ ତଳେ ପ୍ରତିକ ଶର୍ମା ନାମକ ଜଣେ କର୍ମଚାରୀ ଅଫିସରେ କାମ କରୁଥିବା ବେଳେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା ଯେଉଁଥିରେ ତାଙ୍କ ଏଟିଏମରୁ ୧୦,୦୦୦ ଟଙ୍କା ଉଠାଯାଇଛି । ପ୍ରତିକ ହଡବଡ୍ ହୋଇ ପର୍ସ ଦେଖିଲାବେଳକୁ ତାଙ୍କ ପାଖରେ ଏଟିଏମ୍ କାର୍ଡ ଥିଲା କିନ୍ତୁ ବିନା କାର୍ଡରେ କେଉଁଭଳି ଭାବରେ ଜଣେ ଟଙ୍କା ଉଠାଇପାରିବ ଏହା ସେ ଜାଣିପାରିଲେ ନାହିଁ ଏବଂ ସଙ୍ଗେ ସଙ୍ଗେ ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ୍ ଉକ୍ତ ଏଟିଏମର ସିସିଟିଭି ଫୁଟେଜ୍ ଚେକ୍ କରିବା ପରେ ଅସଲ କଥା ସାମ୍ନାକୁ ଆସିଥିଲା । ଜଣେ ମୁଖାଧାରୀ ବ୍ୟକ୍ତି କାର୍ଡ ମାଧ୍ୟମରେ ପ୍ରତିକଙ୍କ ଟଙ୍କା ଉଠାଉଥିଲେ । ପୋଲିସ୍ ଏହାକୁ “ଏଟିଏମ୍ ସ୍କିମିଙ୍ଗ୍” ବୋଲି କହିଥିଲେ ।

ତେବେ ଆସନ୍ତୁ ଜାଣିବା କ’ଣ ଏହି ଏଟିଏମ୍ ସ୍କିମିଙ୍ଗ୍ ?

ଏଟିଏମ୍ ସ୍କିମିଙ୍ଗର ଅର୍ଥ ଏଟିଏମରୁ ଡାଟା ଚୋରି କରି ଟଙ୍କା ଉଠାଇବା । କାର୍ଡ ପଛରେ ଗୋଟିଏ କଳା ରଙ୍ଗର ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ବା ଚିପ୍ ଲାଗିଥାଏ । ଏହି ଚିପର ପଛଭାଗରେ କାର୍ଡ ନମ୍ବର,ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର,ଏକ୍ସପାଏରୀ ଡେଟ୍ ଆଦି ଥାଏ । ଏଥିରେ ଏଟିଏମ୍ ପିନ୍ ନମ୍ବରର କୌଣସି ବିବରଣୀ ନଥାଏ । ଏହାର କାରଣ କାର୍ଡର ପିନ୍ ନମ୍ବର ଯେକୌଣସି ସମୟରେ ବଦଳା ଯାଇପାରେ । ତେବେ ଅନ୍ୟ ସବୁ ଡିଟେଲ୍ ଏକ କୋଡ୍ ଫର୍ମରେ ସେଭ୍ ହୋଇଥାଏ । ଯେତେବେଳେ ଏଟିଏମରେ ଆପଣ କାର୍ଡ ପୁରାନ୍ତି ସେତେବେଳେ ସେଠାରେ ଲାଗିଥିବା କାର୍ଡ ରିଡର ଏହାର ଡିଟେଲକୁ ପଢିନେଇଥାଏ । ଏହି ମେସିନ୍ ସର୍ଭର ମାଧ୍ୟମରେ ବ୍ୟାଙ୍କକୁ ଏହାର ବିବରଣୀ ପଠାଇଥାଏ । ଏହାପରେ ମେସିନ୍ ପିନ୍ ମାଗିଥାଏ ଏବଂ ଏହାପରେ ଜଣାପଡିଥାଏ ଯେ କାର୍ଡକୁ ଏହାର ମାଲିକ ହିଁ ବ୍ୟବହାର କରୁଛନ୍ତି । ସ୍କିମର୍ ହେଉଛି ଏକ ମେସିନ୍ ଯେଉଁଥିରେ ଏକ କାର୍ଡ ରିଡର୍ ଲାଗିଥାଏ । ଏହି ସ୍କିମରକୁ ଏଟିଏମ୍ କାର୍ଡ ରିଡରରେ କିମ୍ବା ଏହାର ଉପରତଳେ କେଉଁଠି ଲଗାଇ ଦିଆଯାଏ । ଏହା ଦେଖିବାକୁ କାର୍ଡ ରିଡର ସ୍ଲାଟ୍ ଭଳି ହୋଇଥାଏ ତେଣୁ ଏହାକୁ କେହି ବାରି ପାରନ୍ତି ନାହିଁ । କାର୍ଡ ସ୍କିମରରେ ପୁରାଇବା ମାତ୍ରେ ସମ୍ପୁର୍ଣ୍ଣ ଡାଟା ଚୋର ପାଖକୁ ଚାଲିଯାଇଥାଏ ଏବଂ ଏହି ଡାଟାକୁ ଏଟିଏମ୍ ଭଳି ଆଉ ଏକ ଇଲେକ୍ଟ୍ରୋନିକ କାର୍ଡରେ ଦିଆଯାଏ,ଯାହାକୁ “କ୍ଲୋନ୍ ଏଟିଏମ୍” କୁହାଯାଏ । ଠିକ୍ ସେହିଭଳି ପିନକୁ ଚୋରି କରିବା ପାଇଁ ଏଟିଏମର କିବୋର୍ଡ ଉପରେ ଏକ ଛୋଟ କ୍ୟାମେରା ଲାଗିଥାଏ । ଯେତେବେଳେ ୟୁଜର ପିନ୍ ବ୍ୟବହାର କରେ ସେତେବେଳେ ପିନ୍ କୋଡ୍ କ୍ୟାମେରାରେ ରେକର୍ଡ ହୋଇଯାଏ । ଏହାପରେ ହ୍ୟାକର କ୍ଲୋନ୍ ଏଟିଏମ୍ କାର୍ଡରୁ ବହୁତ ସହଜରେ ଟଙ୍କା ଉଠାଇପାରନ୍ତି ।