ସାରା ରାଜ୍ୟରେ ଏଟିଏମ ଓ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ୍ : କେଉଁଠି ଘଂଟାଏ ଭିତରେ ଟଙ୍କା ସରିଲା ତ କେଉଁଠି ଖୋଲିଲାନି ସଟର

17

vlcsnap-2016-11-11-20h00m39s545କନକ ବ୍ୟୁରୋ : ସାରା ଦେଶରେ ଏଟିଏମ କାଉଂଟର ସାମ୍ନାରେ ଅସମ୍ଭବ ଭିଡ । ଦୁଇଦିନଧରି ହନ୍ତସନ୍ତ ହୋଇଥିବା ଲୋକେ ଆଜି ଟଙ୍କା ଉଠାଇବାକୁ ଏଟିଏମ ସାମ୍ନାରେ ଏଭଳି ଲାଇନ ଲଗାଇଥିଲେ । ଏପରିକି ଏଟିଏମ ଖୋଲିବା ପୂର୍ବରୁ ଲମ୍ବି ସାରିଥିଲା ଧାଡି । ଦିନକୁ ୨ ହଜାର ଟଙ୍କା ହେଉପଛେ କେମିତି ଟଙ୍କା ମିଳିଗଲେ ଗଲା । ଦୀର୍ଘ ସମୟ ଧରି ଧାଡିରେ ଛିଡା ହେବା ପରେ ନିରାଶ ହେବାକୁ ପଡିଥିଲା । ବିଭିନ୍ନ ସ୍ଥାନରେ ଏଟିଏମ ଖୋଲିବାର କିଛି ସମୟ ଭିତରେ ଶେଷ ହୋଇଯାଇଥିଲା ଟଙ୍କା ।

କଳାଧନ ଉପରେ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ ପରେ ସାଧାରଣ ଲୋକଙ୍କ ଭିତରେ ଅସମ୍ଭବ ଅସନ୍ତୋଷ । ଛୋଟମୋଟ କାରବାର ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ସମସ୍ତେ । ସମସ୍ୟା ଏଡାଇବାକୁ ଏଟିିଏମ ଗୁଡିକରେ ପର୍ଯ୍ୟାପ୍ତ ଟଙ୍କା ଭର୍ତି କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଉଛି । ବାସ୍ତବିକ ସ୍ଥିତି କିନ୍ତୁ ଭିନ୍ନ ।

vlcsnap-2016-11-11-20h00m11s352ବୁଧବାରର ଘୋଷଣା ପରେ ସରକାରଙ୍କ ପକ୍ଷରୁ କୁହାଗଲା ଦୁଇଦିନ ପରେ ସାରାଦେଶରେ ଏଟିଏମ ସେବା ସ୍ୱାଭାବିକ ହୋଇଯିବ । ହେଲେ ବିଭିନ୍ନ ସ୍ଥାନରେ ଆଜି ସମସ୍ୟା ଦେଖାଦେଇଛି । ଅନେକ ସ୍ଥାନରେ ଏଟିଏମ ଖୋଲିନାହିଁ । କେଉଁଠି ତାଲା ଝୁଲୁଛି, ତ ଆଉ କେଉଁଠି ନୋ-ମନିର ବୋର୍ଡ ଝୁଲାଇ ଦିଆଯାଇଛି । କେତେକ ସ୍ଥାନରେ ଖାଲି ସଟର ଖୋଲିଦିଆଯାଇଛି କିନ୍ତୁ ଟଙ୍କା ବାହାରୁନି ।

ଏଟିଏମ କାଉଂଟରରେ ଭିଡରୁ ମୁକ୍ତି ପାଇଁ ଅନେକ ବ୍ୟାଙ୍କରେ ପହଂଚିଥିଲେ । ହେଲେ ଦ୍ୱିତୀୟ ଦିନରେ ମଧ୍ୟ ବ୍ୟାଙ୍କରେ ଗହଳି କମିନଥିଲା । ପୁରୁଣା ଟୋନ ବଦଳରେ ନୂଆ ୫୦୦ ଓ ୨ ହଜାର ଟଙ୍କିଆ ନୋଟ ନେବାପାଇଁ ବ୍ୟାଙ୍କ ଖୋଲିବା ପୂର୍ବରୁ ଭିଡ ଲଗାଇଥିଲେ ଲୋକେ । ଧିରେଧିରେ ଦିନ ବଢିବା ସହିତ ବଢିଚାଲିଥିଲା ଗହଳି । ଆଉ ଶୋରିଷ ପକାଇବାକୁ ବି ଜାଗା ନଥିଲା । ଲୋକଙ୍କ ଗହଳି ଦେଖି ବ୍ୟାଙ୍କଗୁଡିକ ପକ୍ଷରୁ ଅତିରିକ୍ତ କାଉଂଟର ଖୋଲାଯାଇଛି । ତଥାପି ଏତେ ସଂଖ୍ୟକ ଲୋକଙ୍କୁ ସେବା ଯୋଗାଇ ଦେବା ସମ୍ଭବ ହେଉନାହିଁ ।

ସେପଟେ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ଭୟଭିତ ନହେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି । ଲୋକେ ନିଜର କଷ୍ଟ ଅର୍ଜିତ ଧନକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି କହିଛନ୍ତି ସହରାଂଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ।

ସରକାରଙ୍କ ଏହି ପଦକ୍ଷେପକୁ ନେଇ ବିରୋଧୀଙ୍କ ରାଜନୀତି ଚରମ ସୀମାରେ ପହଂଚିଛି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀ ପାର୍ଲାମେଂଟ ଷ୍ଟ୍ରିଟରେ ଥିବା ଏସବିଆଇ ଶାଖାରେ ଟଙ୍କା ଉଠାଇବାକୁ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।