ଆଠଗଡରେ ଅଭାବନୀୟ ଘଟଣା ! ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ଛେଚିଲେ ଗାଁ ଲୋକେ, ଆଇଆଇସି ସମେତ ୩ ପୋଲିସ ଆହତ

29

କନକ ବ୍ୟୁରୋ : ପୋଲିସକୁ ପିଟିଲେ ଗାଁ ଲୋକେ । ଆଠଗଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁର ଗାଁର ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ପୋଲିସ ମାଡ ଖାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତର ସମର୍ଥକ କୁହାଯାଉଥିବା କିିଛି ପୁରୁଷ ଓ ମହିଳାଙ୍କ ଆକ୍ରମଣରେ ପୋଲିସର ଗାଡ ମଧ୍ୟ ଭାଙ୍ଗିଥିବା ଜଣାପଡିଛି । ଫଳରେ ଆଇଆଇସି ସମେତ ୩ପୋଲିସ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଅଭିଯୁକ୍ତ ଜଣକ ବି ପୋଲିସ କବଳରୁ ଖସି ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ମାର୍ଚ୍ଚ ୧୧ ତାରିଖରେ କୁମାରପୁର ହରିଜନ ସାହିର ଏକ ଘର ପୋଡି ଘଟଣା ଘଟିଥିଲା । ଏଥିରେ ଅଭିଯୁକ୍ତ କୁହାଯାଉଥିବା ଅସୀମ ବେହେରା ପୋଲିସ ରେକର୍ଡରେ ଫେରାର ଥିଲା । ଅସୀମକୁ ଧରିବା ପାଇଁ ଗତ ରାତି ପ୍ରାୟ ସାଢ଼େ ନଅଟା ବେଳେ ଥାନା ଆଇଆଇସି ଓ ୩ପୋଲିସ ଗାଁରେ ପହଁଚିଥିଲେ । ଆଉ ଅସୀମକୁ ଧରି ଗାଡିରେ ବସାଇ ଆଣୁଥିବାବେଳେ ଗାଁର ହନୁମାନ ମନ୍ଦିର ନିକଟରେ କିଛି ମହିଳା ଓ ପୁରୁଷ ଏକାଠି ହୋଇ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।