ଆଠ‘ଗଡ଼’ରେ ହେବ ଅଗ୍ନିପରୀକ୍ଷା! ରାଜାଙ୍କ ବିରୋଧରେ ବିଦ୍ରୋହ କଲେଣି ଅଭୟ, ସବୁଜ ଗଡକୁ ଦଖଲ କରିବାକୁ ବିରୋଧୀଙ୍କ ଷ୍ଟ୍ରାଟେଜି?

776

କନକ ବ୍ୟୁରୋ : ଦୀର୍ଘ ବର୍ଷ ଧରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା)ଙ୍କ ଗଡ ଭାବରେ ପରିଚିତ ହୋଇ ଆସୁଥିବା ଆଠ‘ଗଡ’ ଉପରେ ଏବେ ବିରୋଧୀଙ୍କ ନଜର ପଡିଛି । ଏଥର ଆଠଗଡରେ ରାଜାଙ୍କୁ ଚେକମେଟ ଦେବାକୁ ପ୍ରସ୍ତୁତ ହେଉଛି ନୂଆ ଷ୍ଟ୍ରାଟେଜି । ଆଠଗଡକୁ ସବୁଜ ଗଡରେ ପରିଣତ କରିଥିବା ରାଜାଙ୍କୁ ଚଳିତ ଥର ଦଳ ଭିତରୁ କରିବାକୁ ପଡୁଛି ବିରୋଧର ସାମ୍ନା । ଏହାସହ ଆଠଗଡରେ ଲାଗିଥିବା ପୋଷ୍ଟର ଓ ହୋର୍ଡିଂକୁ ଦେଖିଲେ ଲାଗୁଛି ୨୦୧୯ ନିର୍ବାଚନ ଲଢିବାକୁ ଅନେକ ନୂଆ ମୁହଁ ଆଶାୟୀ । ତେବେ କାହାକୁ ମିଳି ଟିକେଟ ତାହାକୁ ନେଇ ଏବେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଶୀତଳଯୁଦ୍ଧ ଲାଗିଥିବା ବେଳେ ଏହା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ବିଜେଡି ଓ କଂଗ୍ରେସରୁ ନିର୍ବାଚନ ଲଢିବାକୁ ୨ ଜଣ ଲେଖାଏଁ ପ୍ରାର୍ଥୀ ଆଶାୟୀ ଥିବା ବେଳେ ବିଜେପିରୁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଧ ଡଜନେ ଯୋଦ୍ଧା ନିଜକୁ ପ୍ରସ୍ତୁତ କରୁଛନ୍ତି ।

୧୯୯୦ ମସିହାରୁ ରାଜା ଆଠ‘ଗଡ’କୁ ଦଖଲ କରି ଆସୁଥିବା ବେଳେ ୨୦୦୯ରେ ତ୍ରୁଟିପୂର୍ଣ୍ଣ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇଥିଲେ । ତେବେ ନିଜର ସିପାହୀ ରମେଶଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇ ଗଡ ରକ୍ଷା କରିଥିଲେ ରାଜା । ଆଉ ପରେ ପୁଣିଥରେ ୨୦୧୨ ଉପନିର୍ବାଚନ ଓ ୨୦୧୪ ନିର୍ବାଚନରେ ଆଠଗଡରେ ରାଜା ଉଡାଇଥିଲେ ବିଜୟ ବାନା । ତେଣୁ ୨୦୧୯ରେ ମଧ୍ୟ ପୁଣିଥରେ ଏହି ଆସନକୁ ଅକ୍ତିଆର କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ରାଜା ।

ତେବେ ରାଜାଙ୍କ ଗଡରେ ଧସେଇ ପଶିବାକୁ ବିରୋଧୀ ବାରମ୍ବାର ଚେଷ୍ଟା ଚଳାଇଥିଲେ ମଧ୍ୟ ସୁଚିନ୍ତିତ ରଣନୀତି ଯୋଗୁଁ ଏଥିରେ ଏଯାଏଁ ସଫଳ ହୋଇ ପାରିନାହାନ୍ତି । କିନ୍ତୁ ଚଳିତ ନିର୍ବାଚନରେ ରାଜାଙ୍କୁ ଚେକ୍ ଦେବା ପାଇଁ ଗୁପ୍ତ ରଣନୀତି ଚଳାଇଛନ୍ତି ବିରୋଧୀ । ଏହାପୂର୍ବରୁ ଆଠଗଡ ଥିଲା କଂଗ୍ରେସ କବଜାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଏଠାରେ କଂଗ୍ରେସର କମାଣ ସମ୍ଭାଳିଥିଲେ । ଜାନକୀ ପଟ୍ଟନାୟକ ଏଠାରେ ଲଗାତାର ୨ ଥର ବିଜୟ ହୋଇଥିବା ବେଳେ ୧୯୯୦ରେ କଂଗ୍ରେସର ଏହି ଦୁର୍ଗରେ ଜନତା ଦଳ ଟିକେଟରେ ପ୍ରବେଶ କରିଥିଲେ ରାଜା । ଆଉ ଏହାପରେ ଆଠଗଡରେ କାହାକୁ ପଶିବାକୁ ସୁଯୋଗ ଦେଇନାହାନ୍ତି ରାଜା । ତେବେ ୨୦୦୯ରେ ଭୁଲ ଗୋଟିଚାଳନା ଯୋଗୁଁ ଏହି ଆସନଟି ରାଜାଙ୍କ ହାତରୁ ଖସିଯାଇଥିଲେ ମଧ୍ୟ ୨୦୧୨ରେ ପୁଣିଥରେ ଆଠଗଡ ସିଂହାସନରେ ବସିଥିଲେ ରାଜା ।

ରାଜାଙ୍କ ଗଡ ଭାଙ୍ଗିବାକୁ ବିରୋଧୀ ଯେତିକି ତତ୍ପର ନାହାନ୍ତି ଦଳୀୟ ଶିବିରରୁ ତାଙ୍କ ଆଡକୁ ସେତିକି ବିପଦ ମାଡି ଆସୁଛି । କାରଣ ସବୁଜ ପତାକା ଧରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଗଡରେ ପ୍ରବେଶ କରି ସାରିଛନ୍ତି ଯୁବନେତା ଅଭୟ ବାରିକ । କେବଳ ଟିକେଟ ରୂପକ ଅସ୍ତ୍ର ପାଇଲେ ରାଜାଙ୍କ ଗଡକୁ ଦଖଲ କରିବାକୁ ଅନାଇ ବସିଛନ୍ତି ଅଭୟ । ଏପରିକି ଦଳ ପକ୍ଷରୁ ଟିକେଟ ମିଳିବା ନେଇ ଅଭୟବାଣୀ ମିଳିଥିବା କହିବୁଲୁଛନ୍ତି ତାଙ୍କର ସମର୍ଥକ । ବିଭିନ୍ନ କାର୍ଯ୍ୟକ୍ରମ ଓ ସମାନ୍ତରଳ ସଭା ସହ ଜନସର୍ମ୍ପକ ପଦଯାତ୍ରା କରି ଅଭୟ ଆଠଗଡ ଆସନରୁ ବିଜେଡି ପାଇଁ ପ୍ରମୁଖ ଦାବିଦାର ବୋଲି ସୂଚାଇଛନ୍ତି । ଅଭୟଙ୍କ ଏଣ୍ଟ୍ରି ପରେ ରାଜାଙ୍କ ଛାତିରେ ଛନକା ପଶିଛି । ଏହାଛଡା ଦୀର୍ଘଦିନ ଧରି ଆଠଗଡ ସମ୍ଭାଳିଥିବା ରାଜାଙ୍କୁ ଦଳ ଦିଲ୍ଲୀ ଦରବାରକୁ ପଠାଇବା ପାଇଁ ମୈଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଧାୟକ ଆଠଗଡ ଛାଡିବା ପାଇଁ ଅମଙ୍ଗ ହେଉଥିବା ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି ।

ସେହିପରି ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ କିନ୍ତୁ ଏବେଠୁ ଘର ସଜଡା ଆରମ୍ଭ କରିଛି। ପୁରୀର ପୂର୍ବତନ ବିଧାୟକ ତଥା ପିସିସି ସାଧାରଣ ସଂପାଦକ ଉମାବଲ୍ଲଭ ରଥ ଏବେ ଆଠଗଡରେ ସଂଗଠନ ଦାୟିତ୍ବ ହାତକୁ ନେଇଛନ୍ତି। ପିସିସି ମୁଖିଆଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ବ ନେବା ପରେ ସେ କଂଗ୍ରେସ ଦଳକୁ ଆଠଗଡରେ ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । କଂଗ୍ରେସ ଟିକେଟରେ ଆଠଗଡରେ ଲଢିବା ପାଇଁ କର୍ମୀ ସମାବେଶ କରିବା ସହିତ ଗାଁ ଗାଁରେ ବୈଠକ ଚଳାଇଛନ୍ତି। ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ବିଚିତ୍ରାନନ୍ଦ ମୁଦୁଲି ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି। ପିସିସି କୋର କମିଟି ସଦସ୍ୟ ଅକ୍ଷୟ କୁମାର ତୁଙ୍ଗସାମନ୍ତ ମଧ୍ୟ କଂଗେସ ଟିକେଟ୍ ଦୌଡରେ ରହିଛନ୍ତି। ସେ ବିଭିନ୍ନ ସ୍ଥାନରେ ତାଙ୍କର ଶୁଭେଚ୍ଛା ତୋରଣ ଲଗାଇବା ସହିତ ବୈଠକ କରୁଛନ୍ତି।

ବିଜେପିରେ କିନ୍ତୁ ଅଧଡଜନେ ପ୍ରାର୍ଥୀ ରହିଛନ୍ତି କେବଳ ଆଠଗଡ ଟିକେଟ୍ ଦୌଡରେ। ଅଫିସ୍ ଖୋଲି ଚଳାଇଛନ୍ତି କର୍ମୀ ସମ୍ମିଳନୀ, ସମାବେଶ, ସ୍ବଚ୍ଛଭାରତ ଭଳି ଅନେକ ଜନସଂପର୍କ କାର୍ଯ୍ୟକ୍ରମ। ବିଜେପିରୁ ଆଶାୟୀ ଥିବା ପ୍ରାର୍ଥୀମାନେ ହେଲେ ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ବିଶ୍ବ ସୁନ୍ଦର ମିଶ୍ର, ତାଙ୍କ ଭାଇ ତଥା ବିଭୂତି ଭୂଷଣ ମିଶ୍ର । ବିଭୂତି ୧୯୯୫ରେ ଆଠଗଡ଼ ବିଧାନସଭାରୁ କଂଗ୍ରେସ ଟିକେଟରେ ଛିଡା ହୋଇ ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ। କିନ୍ତୁ ଗଲା ପଞ୍ଚାୟତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇ ଟିକେଟ୍ ଦୌଡରେ ରହିଛନ୍ତି। ସେହିପରି ବିଜେପିରୁ ବ୍ରଜେନ୍ଦ୍ର ରାୟ, ସଙ୍ଗୀତଜ୍ଞ ମନ୍ମଥ ମିଶ୍ର, ହର ପ୍ରସାଦ ମିଶ୍ର, ୨୦୦୯ରେ ପ୍ରାର୍ଥୀ ଥିବା ରାମ ନାରାୟଣ ମହାନ୍ତି, ୨୦୧୨ ଉପନିର୍ବାଚନରେ ବିଜେପିରୁ ଛିଡା ହୋଇଥିବା ବିକ୍ରମ ଦାଶ ମଧ୍ୟ ବିଜେପି ଟିକେଟ୍ ଦୌଡରେ ରହିଛନ୍ତି।

ତେଣୁ ଏଭଳି ଗୋଳମାଳିଆ ସ୍ଥିତି ଭିତରେ ବିରୋଧୀ ଦଳଙ୍କ ଆଖି ଆଠଗଡ ଉପରେ ରହିଛି । ତେଣୁ ଆଗାମୀ ନିର୍ବାଚନରେ ରାଜାଙ୍କ ଗଡ ରକ୍ଷା କରିବା ପାଇଁ ଜନତା ତାଙ୍କ ସାଥ୍ ଦେଉଛନ୍ତି ନା ନାହିଁ ତାହା ଦେଖିବା ବାକି ରହିଲା ।