ଆଠଗଡରେ ଅଛି ଭିନ୍ନ ଏକ ବିଦ୍ୟାଳୟ : ରବିବାରରେ ଖୋଲା ରହୁଛି ସ୍କୁଲ, ସୋମବାରରେ ଛୁଟି

402

କନକ ବ୍ୟୁରୋ : ଆଠଗଡରେ ଅଛି ଭିନ୍ନ ଏକ ବିଦ୍ୟାଳୟ । ସବୁ ବିଦ୍ୟାଳୟ ରବିବାରରେ ବନ୍ଦ ରହୁଥିବା ବେଳେ ଏଠାରେ ଖୋଲା ରହୁଛି ସ୍କୁଲ । ସୋମବାରରେ ଛୁଟି ରହୁଛି ବିଦ୍ୟାଳୟ । ୧୯୧୬ ମସିହାରୁ ଏମିତି ଚାଲିଛି ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ଥିବା ଧବଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

ସମସ୍ତେ ଜାଣନ୍ତି ରବିବାର ମାନେ ସ୍କୁଲ କଲେଜ, ସରକାରୀ ଅଫିସ୍ ଛୁଟି । ହେଲେ କଟକ ଆଠଗଡ ଧବଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ପ୍ରକ୍ରିୟା ବାହାରେ । କାରଣ ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ଥିବା ଏହି ସ୍କୁଲ ରବିବାର ବଦଳରେ ସୋମବାରରେ ଛୁଟି ହୋଇଥାଏ । ଏହି ସ୍କୁଲ ଛୁଟି ନିୟମ ଆଜି କାଲିର ନୁହେଁ ୧୯୧୬ ଅର୍ଥାତ୍ ଇଂରେଜ ଅମଳରୁ ଚାଲିଆସିଛି । ସୋମବାର ଦିନ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ ଯୋଗୁଁ ସ୍କୁଲରେ ପାଠପଢାରେ ସମସ୍ୟା ସୃଷ୍ଟି ହୁଏ । ତେଣୁ ସ୍କୁଲଟି ସୋମବାରରେ ବନ୍ଦ ରୁହେ ।

୧୯୧୫ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ୧୨୧ ଜଣ ଛାତ୍ରଛାତ୍ରୀ ଅଛନ୍ତି । ସ୍କୁଲ ସ୍ଥାପନ ହେବାର ୧ ବର୍ଷ ପରେ ସ୍କୁଲକୁ ରବିବାର ପରିବର୍ତ୍ତେ ସୋମବାରରେ ଛୁଟି କରିବା ପାଇଁ ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମାଙ୍କୁ ଜଣାଇଥିଲେ ତତ୍କାଳୀନ ମନ୍ଦିର ପୂଜକ । ପୂଜକଙ୍କ କଥା ରଖି ଏନେଇ ସେତେବେଳେ ଇଂରେଜ ସରକାରଙ୍କୁ ସୁପାରୀସ କରିଥିଲେ ରାଜା ବିଶ୍ୱନାଥ ଦେବବର୍ମା । ଆଉ ଏହାକୁ ହୃଦବୋଧ କରି ସ୍କୁଲକୁ ରବିବାର ଖୋଲି ସୋମବାର ବନ୍ଦ କରିବା ପାଇଁ ବ୍ରିଟିସ କମିଶନ ଅନୁମତି ଦେଇଥିଲେ । ସେବେଠାରୁ ଏହି ପ୍ରକ୍ରିୟା ଜାରି ରହିଛି ।

ବିଦ୍ୟାଳୟର ଏହି ଛୁଟି ପ୍ରକ୍ରିୟାକୁ ନେଇ କୌଣସି ଅସୁବିଧା ହେଉନାହିଁ । ଛାତ୍ରଛାତ୍ରୀଙ୍କ ପାଠପଢାରେ ମଧ୍ୟ ବ୍ୟତିକ୍ରମ ଘଟୁନାହିଁ କହୁନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ ।