ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବାରେ ପାକିସ୍ତାନ ବିଫଳ ! FATFର ଗ୍ରେ ତାଲିକାରେ ହିଁ ରହିବ ପାକ୍

173

କନକ ବ୍ୟୁରୋ : ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣକୁ ରୋକିବାରେ ପାକିସ୍ତାନ ବିଫଳ ହୋଇଛି। ଏଥିସହିତ ନିକଟରେ ଜମ୍ମୁ କଶ୍ମୀ‌ରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଏହି ସଂସ୍ଥା ନିନ୍ଦା କରିଛି। ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣକୁ କିଭଳି ରୋକାଯାଇ ପାରିବ ତାହା ଉପରେ କାର୍ଯ୍ୟ କରିବା ଲାଗି ପ୍ୟାରିସସ୍ଥିତ ଏହି ସଂସ୍ଥା ପାକିସ୍ତାନକୁ ପରାମର୍ଶ ଦେଇଛି। ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଏବଂ ଜମାତ୍-ଉଦ୍-ଦାୱା ଭଳି ଆତଙ୍କବାଦୀ ଗୋଷ୍ଠୀକୁ ପାଣ୍ଠି ଯୋଗାଣକୁ ରୋକିବାରେ ପାକିସ୍ତାନ ବିଫଳ ହୋଇଥିବାରୁ ଏହାକୁ ‘ଗ୍ରେ’ ତାଲିକାଭୁକ୍ତ କରି ରଖିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ଅକ୍ଟୋବର ପର‌୍ୟ୍ୟନ୍ତ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ ରଖାଯିବ ବୋଲି ଏଫଏଟିଏଫ୍ କହିଛି ।

ଏହି ସମୟ ଭିତରେ ପାକିସ୍ତାନ ଏହାର ଆଚାର ବ୍ୟବହାରେ ପରିବର୍ତନ ଆଣିଲେ ଗ୍ରେ ତାଲିକାରୁ ବାଦ ଦେବା ଲାଗି ବିଚାର କରାଯାଇପାରେ । ଏଫଏଟିଏଫର ବାର୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏପରିକି ଏଫ୍‌ଏଟିଏଫ୍ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଯଦି ଆସନ୍ତା ଅକ୍ଟୋବର ସୁଦ୍ଧା ପାକିସ୍ତାନ ଏହାର ୨୯ଟି ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହେଲେ ଏହି ଦେଶକୁ କଳାତାଲିକାଭୁକ୍ତ କରାଯିବ । ଗୁରୁବାର ପାକିସ୍ତାନ ହାପିଜ ସୟିଦଙ୍କ ସଂଗଠନ ଜମାତ ଉଦ ଦାୱା ଓ ଫଲାହ-ଏ-ଇନସାନିୟନକୁ ନିଷିଦ୍ଧ ଘୋଷଣା କରି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ବାର୍ତ୍ତା ଦେବାକୁ ପ୍ରଚେଷ୍ଟା କରିଥିଲେ ମଧ୍ୟ ତାହାର ପ୍ରଭାବ ଏଫଏଟିଏଫ୍ ଉପରେ ପଡ଼ିନାହିଁ ।