ଭୂତାଣୁ ଓଡିଶାରେ ଭେକସିନ୍ ଦିଲ୍ଲୀରେ : ମହାମାରୀ ରୋକିବାକୁ ଖର୍ଚ୍ଚ ହେବ ୫୦ଲକ୍ଷ ଟଙ୍କା

36

ମାଲକାନଗିରି : ମହାମାରୀ ପାଖରେ ଆତ୍ମସମର୍ପଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଭୂତାଣୁ ବିରୋଧରେ କରିଛି ଯୁଦ୍ଧ ଘୋଷଣା । ୨୫ ଦିନରେ ୨୭ ପିଲା ପ୍ରାଣ ହରାଇବା ପରେ ଆଜି ମାଲକାନଗିରି ଜିଲ୍ଲାରେ ପହଂଚିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବ । ଏହି ମାରାତ୍ମକ ଭୂତାଣୁଠାରୁ କେମିତି କଅଁଳା ପିଲାଙ୍କୁ ବଂଚେଇ ହେବ ସେନେଇ ପ୍ରସ୍ତୁତ ହୋଇଛି ଯୋଜନା । ଜାପାନୀ ଏନସେଫାଲାଇଟିସର ମୁକାବିଲା ପାଇଁ ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା ଦେବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ଭୁବନେଶ୍ୱରରୁ ଯାଇଥିବା ୭ ଜଣିଆ ବିଶେଷଜ୍ଞ ଦଳ ଆସନ୍ତା ୧୫ ଦିନଯାଏଁ ମାଲକାନଗିରିରେ ରହିବେ ।

ତେବେ ଜିଲ୍ଲା ସଦର ମହକୁମାରେ ପହଂଚିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସିଧା ଯାଇ ପହଂଚିଥିଲେ ମହାମାରୀରେ ସର୍ବାଧିକ ପିଲା ମରିଥିବା ପାଲକୋଣ୍ଡା ଗାଁରେ । ବୁଝିବାକୁ ଚେଷ୍ଟା କରିଥିଲେ ମହାମାରୀ ବ୍ୟାପିବା ପଛର କାରଣକୁ । ଦେଖିଥିଲେ ମଣିଷ ଓ ଘୁଷୁରୀ କେମିତି ଏକା ସାଙ୍ଗରେ ରହୁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଜାପାନୀ ଏନସେଫାଲାଇଟିସ୍ ପାଇଁ ଜିଲ୍ଲାରେ ଉପଲବ୍ଧ ନାହିଁ ଭେକସିନ୍ । ସରକାର ମାଗଣାରେ ଦେବା ତ ଦୂରର କଥା ମିଳୁଥିବା ଭେକସିନ୍ ଉପରେ ରୋକ୍ ଲଗାଇଛନ୍ତି । ଫଳରେ ଏକ ପ୍ରକାର ଭୂତାଣୁ ପାଖରେ ଆତ୍ମ ସମର୍ପଣ କରିଛନ୍ତି ସରକାର । ଚିରାଚରିତ ଢଙ୍ଗରେ ମନ୍ତ୍ରୀ କହିଛନ୍ତି ଭେକସିନ୍ ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ।

ଯମପୁର ସାଜିଥିବା ମାଲକାନଗିରି ମେଡିକାଲରେ ଗତକାଲି ପର୍ଯ୍ୟନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ନଥିଲା ସ୍ୱତନ୍ତ୍ର ୱାର୍ଡ । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ୱାର୍ଡ ତିଆରି ହୋଇଛି। ହେଲେ ଏସବୁ ସତ୍ତ୍ୱେ ବି ମୃତ୍ୟୁ କିନ୍ତୁ ବନ୍ଦ ହୋଇନି । ତଥ୍ୟ କହୁଛି ଚଳିତ ବର୍ଷ ଯିଏ ଏହି ମେଡିକାଲକୁ ଆସିଛି , ସିଏ ଜୀବନ ନେଇ ଫେରିନି ।

ବିଡମ୍ବନାର କଥା ହେଉଛି, ଯେତେବେଳେ ଅସୁସ୍ଥ ପାରଳା ରାଜାଙ୍କୁ ଚେନ୍ନାଇ ନିଆଗଲା। ଗୋଟିଏ ଦିନ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଯାଇ ପହଂଚିଥିଲେ ମେଡିକାଲ୍ରେ। ହେଲେ ମାଲକାନଗିରିରେ କିନ୍ତୁ ଦୁଇ ଡଜନରୁ ଅଧିକ ପିଲା ମରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନେ ପଡିଲା ଯେ ଜିଲ୍ଲାରେ ମହାମାରୀ ମାରାତ୍ମକ ରୂପ ନେଲାଣି।