ବିଜେପିରେ ବିଜୟଙ୍କ ଘର ବାହୁଡା ନେଇ ବିଜେଡିର ପ୍ରତିକ୍ରିୟା । ଅତନୁ କହିଲେ, ପ୍ରଭାବ ପକାଇବନି ବିଜୟଙ୍କ ଯୋଗଦାନ

340

କନକ ବ୍ୟୁରୋ: ବିଜେପିକୁ ବିଜୟ ମହାପାତ୍ରଙ୍କ ଘର ବାହୁଡା ନେଇ ସରଗରମ ହୋଇଉଠିଛି କେନ୍ଦ୍ରାପଡାର ରାଜନୀତି । ଇସ୍ତଫା ଦେବାର ମାତ୍ର ୪ ମାସ ପରେ ପୁଣି ବିଜେପିକୁ ଫେରିଆସିଛନ୍ତି କେନ୍ଦ୍ରାପଡାର ଏହି ଷ୍ଟ୍ରଙ୍ଗ ମ୍ୟାନ୍ । ଦଳର ସବୁ ବରିଷ୍ଠ ନେତା ଅରୁଣ ସିଂ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ଓ ଅନ୍ୟ ନେତୃବର୍ଗଙ୍କ ଉପସ୍ଥିତିରେ ବିଜେପିରେ ପୁଣି ଥରେ ସାମିଲ ହୋଇଛନ୍ତି ବିଜୟ ।

ତେବେ ବିଜେପିରେ ବିଜୟଙ୍କର ପୁଣିଥରେ କମବ୍ୟାକକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜୟରେ ବିପକ୍ଷରେ କେନ୍ଦ୍ରାପଡାରେ ଶଂଖର ମଙ୍ଗ ଧରିଥିବା ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିଜୟଙ୍କ ବିଜେପିରେ ଫେରିବା ନେଇ ଏହାଦ୍ୱାରା ଦଳ ଉପରେ କାଣିଚାଏ ବି ପ୍ରଭାବ ପଡିନ ନାହିଁ । କାହିଁକି ନବୀନ ବାବୁ ତଥା ବିଜେଡି ଉପରେ କେନ୍ଦ୍ରାପଡାବାସୀଙ୍କ ଭରସା ଏବଂ ବିଶ୍ୱାସ ଅତୁଟ ରହିଛି । ନିବୀନ ସରକାର ସର୍ବଦା ଓଡିଶାବାସୀଙ୍କ ବିକାଶ ଚାହେଁ । ଆଉ ବିଜେଡିର ଏଭଳି ଜନକଲ୍ୟାଣ କାର୍ଯ୍ୟ ପ୍ରତି ହିଁ ଓଡିଶାବାସୀ ସବୁବେଳେ ଆସ୍ଥା ପ୍ରକଟ କରିଆସିଛନ୍ତି ବୋଲି କହିଛନ୍ତି ବିଜେଡିର ଏହି ଟାଣୁଆ ନେତା ।

ଅତନୁ ଆହୁରୀ ମଧ୍ୟ କହିଛନ୍ତି କି, ମହାକାଳପଡାବାସୀ ଜାଣିଛନ୍ତି ଯେ ମୁଁ ବିଜୟଙ୍କ ସହ ତିନି ତିନି ଥର ନିର୍ବାଚନ ଲଢିସାରିଛି । ଆଉ ଏଥରକ ତ ସେ କେଉଁ ଆଡୁ କିଛି ବିକଳ୍ପ ନପାଇଁ ପୁଣି ଥରେ ବିଜେପିକୁ ଫେରିଛନ୍ତି । ବଡ କଥା ହେଲା କି ସେ ଗତ ଥର ମଧ୍ୟ ବିଜେପିରେ ରହି ମୋ ସହ ଲଢିଥିଲେ ହେଲେ ଏହାର ଫଳାଫଳ କଣ ଆସିଥିଲା ତାହା ଆପଣ ଜାଣିଥିବେ । ତେବେ ବିଜୟ ବିଜେପିରେ ମିଶିଲେ ବିଜେଡି ଉପରେ କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ଅତନୁ । ବିଗତ ଦିନମାନଙ୍କରେ ବହୁ ତୁମ୍ବି ତୁଫାନ ହୋଇଥିଲା କିନ୍ତୁ ନବୀନ ବାବୁ କେନ୍ଦ୍ରାପଡାବାସୀଙ୍କ ହୃଦୟ ଜିଣିଛନ୍ତି ଏବଂ କେନ୍ଦ୍ରାପଡାବାସୀଙ୍କ ବିକାଶ ପାଇଁ କାମ କରିଛନ୍ତି । ତେଣୁ ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଥିବା ଆସ୍ଥା ଏବଂ ଭରସା ପାଇଁ ଏଥରକ ବି ପୁଣି ଥରେ ଓଡିଶାରେ ବିଜେଡି ସରକାର ଗଢିବ ବୋଲି ନିର୍ବାଚନ ପୂର୍ବରୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ଟାଣୁଆ ଅତନୁ ସବ୍ୟସାଚୀ ନାୟକ ।

ଉଲ୍ଲେଖ ଥାଉ କି, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି । ସେହିଭଳି ଆଳିରୁ ପ୍ରତାପ ଦେବ, ମାହାଙ୍ଗାରୁ ପ୍ରତାପ ଜେନା, ନୟାଗଡରୁ ଅରୁଣ ସାହୁ ଓ ତାଳଚେରରୁ ବ୍ରଜ କିଶୋର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିଲା ଦଳ ।ଚୌଦାର କଟକ ଆସନରୁ ସୌଭିକ ବିଶ୍ୱାଳ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ଭଣ୍ଡାରୀପୋଖରୀରୁ ପ୍ରଫୁଲ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବଡମ୍ବାରୁ ଦେବୀ ପ୍ରସାଦ ମିଶ୍ର, ସିମୁଳିଆରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମା, ବାଙ୍କିରୁ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦଳ ପ୍ରାର୍ଥୀ କରିଛି । ସାଲେପୁରରୁ ପ୍ରଶାନ୍ତ ବେହେରା, ଢେଙ୍କାନାଳରୁ ସୁଧୀର ସାମଲ, ଘଷିପୁରାରୁ ବ୍ରଦି ନାରାୟଣ ପାତ୍ରଙ୍କୁ ଦଳ ମୈଦାନକୁ ଓହ୍ଲାଇଛି ।

ତେବେ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏବଂ ଆଜି ବିଜେପିରେ ବିଜୟଙ୍କ ଯୋଗଦାନ ପରେ ଏହା ସ୍ପଷ୍ଟ ହୋଇଗଲା ଯେ ବିଜୟ ବିଜେପିର ପ୍ରାର୍ଥୀ ଭାବେ ପୁଣି ଥରେ କେନ୍ଦ୍ରାପଡାର ମହାକାଳପଡା ଆସନରୁ ଅତନୁଙ୍କୁ ଟକ୍କଟ ଦେବେ । ତେବେ ମହାକାଳପଡା ଆସନରୁ ତିନି ତିନି ଥର ବିଜୟର ମୁହଁ ଦେଖି ଆସିଥିବା ଅତନୁ, ଏଥରକ ବି କଣ ଜନତାଙ୍କ ଭରସା ଜିତିପାରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।