ସ୍ୱର୍ଗତ ଅଟଳଙ୍କ ଅସ୍ଥି କଳସ ଯାତ୍ରା : ପ୍ରଶ୍ନ ଉଠାଇଲେ ବାଜପେୟୀଙ୍କ ଝିଆରୀ, କହିଲେ ଭୋଟ ପାଇଁ ଅସ୍ଥି କଳସକୁ ନେଇ ରାଜନୀତି କରୁଛି ବିଜେପି

68

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଦେଶ ଏବଂ ବିଦେଶରେ ଅନେକ ଲୋକ ମର୍ମାହତ ହୋଇଛନ୍ତି । କାରଣ ବିରୋଧୀଙ୍କ ପାଇଁ ମଧ୍ୟ ବାଜପେୟୀ ଥିଲେ ସମ୍ମାନୀୟ । କିନ୍ତୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାଁକୁ ବ୍ୟବହାର କରି ବିଜେପି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି । ଏକଥା ଆମେ କହୁନୁ ବରଂ ଖୋଦ୍ ସ୍ୱର୍ଗତ ବାଜପେୟୀଙ୍କ ଝିଆରୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କ ଏଭଳି ବୟାନ ଜାତୀୟ ଏବଂ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ବିଜେପିକୁ ସମାଲୋଚନା କରି କ୍ଷୋଭର ସହ କରୁଣା କହିଛନ୍ତି ଯେ, ଯେଉଁ ବିଜେପି ଦୀର୍ଘ ୯ ବର୍ଷ ହେବ ଅଟଳ ଜୀଙ୍କୁ ଭୂଲି ଯାଇଥିଲା ସେହି ବିଜେପି ଆଜି ତାଙ୍କ ମୃତ୍ୟୁ ପରେ ଲୋକଙ୍କ ନିକଟତର ହେବାକୁ ଲୋକ ଦେଖାଣିଆ ଉଦ୍ୟମ କରୁଛି ।

କେବଳ ଏତିକି ନୁହେଁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ଅଟଳ ଜୀଙ୍କ ନାଁକୁ ନେଇ ସହର ବିଶ୍ୱବିଦ୍ୟାଳୟ ପାୱାରପ୍ଲାଣ୍ଟର ନାମକରଣ କରିଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କ ମଧ୍ୟରେ ସମବେଦନା ସାଉଣ୍ଟିବା ପାଇଁ ଅଟଳଜୀଙ୍କ ନାଁକୁ ବ୍ୟବହାର କରୁଛନ୍ତି । ଏହା କେବଳ ଆଗାମୀ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏଭଳି ହୀନମାନସିକ କାର୍ଯ୍ୟ କରୁଛି ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ସ୍ୱର୍ଗତ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଳା ।

ଓଡିଶାରେ ମଧ୍ୟ ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରାରେ ମଧ୍ୟ ରାଜନୀତିର ଗନ୍ଧ ବାରି ହୋଇଛି । ଏଭଳି ଜଣେ ମହାନ ନେତାଙ୍କ ଚିତାଭସ୍ମକୁ ନେଇ ବିଜେପି ରାଜନୀତି ସ୍ତରକୁ ନେଇ ଯାଇଥିବା ଚର୍ଚ୍ଚା ଜୋର ଧରିଛି । ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କମ୍ ବରଂ ନିଜ ଦଳର ପ୍ରଚାର କରି ରାଜନୈତିକ ଫାଇଦା ଉଠାବାପାଇଁ ସତେ ଯେମିତି ବ୍ୟକୁଳ ହୋଇପଡିଛି ବିଜେପି ବୋଲି ସ୍ୱର୍ଗତ ବାଜପେୟୀଙ୍କ ଝିଆରୀ କରୁଣାଙ୍କ ବୟାନରୁ ବାରି ହୋଇପଡୁଛି । ଗତ ୨୨ ତାରିଖ ସନ୍ଧ୍ୟାରେ ଦିଲ୍ଲୀରୁ ଅସ୍ଥି କଳସ ନେଇ ଆସିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଏହାପରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓଙ୍କ ଭଳି ବରିଷ୍ଠ ନେତାଙ୍କ ନେତୃତ୍ୱରେ ଅସ୍ଥି କଳସକୁ ଶୋଭାଯାତ୍ରାରେ ପୁରୀ ମହୋଦଧିକୁ ବିସର୍ଜନ ନିମନ୍ତେ ନିଆଯାଇଥିଲା । ତେବେ ଭୂବନେଶ୍ୱରରୁ ପୁରୀ ଯାଏଁ ବାଜପେୟୀଙ୍କ ଅସ୍ଥି କଳସରେ ପ୍ରତି ଛକରେ ଉପସ୍ଥିତଥିବା ସମର୍ଥକମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ତେବେ ଆଜି ସନ୍ଧ୍ୟାରେ ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍କ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଆୟୋଜିତ ହେବ । ଏହି ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତାଙ୍କ ସହ ଅନେକ ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏହା ରାଜନୀତିର ବାସ୍ନା ବାରି ହେଉଥିବା ଆଲୋଚନା ହେଉଛି ।