କନକ ବ୍ୟୁରୋ: ନିଘୋଡ ନିଦ୍ରାରେ ଶୋଇଯାଇଛନ୍ତି କୋଟି କୋଟି ଭାରତୀୟଙ୍କ ଜନନେତା ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀ । ରାତି ସାରା ଅଟଳଙ୍କ ପାର୍ଥୀବ ଶରୀରର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କୁ ଭଲ ପାଉଥିବା ମଣିଷ । ଆଜି ସକାଳ ୯ଟାରେ ତାଙ୍କ ମରଶରୀରକୁ ବିଜେପି ଦଳୀୟ ମୁଖ୍ୟାଳୟକୁ ନିଆଯିବ । ତାପରେ ସେଠାରେ ଦଳୀୟ ନେତା, କର୍ମୀ, ସମର୍ଥକମାନେ ତାଙ୍କୁ ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରିବେ । ଦିନ ସାଢ଼େ ଗୋଟାଏ ବେଳେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେବ । ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଅପରାହ୍ନ ୪ଟାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ।

 

ଅଫେରା ବାଟରେ ଚାଲିଯାଇଛନ୍ତି କୋଟି କୋଟି ଭାରତୀୟଙ୍କ ପ୍ରିୟ ନେତା ଅଟଳବିହାରୀ ବାଜପେୟୀ । ଏହା କୋଟି କୋଟି ଭାରତୀୟଙ୍କ ହୃଦୟରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଏହା ସହ ଭାରତୀୟ ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଛି । ଦେଶ ଜଣେ ମହାନ ରାଷ୍ଟ୍ରନାୟକ ତଥା ଜଣେ ଲୋକପ୍ରିୟ ଜନନେତାଙ୍କୁ ହରାଇଛି । ଗତ ସଂଧ୍ୟାରେ ଏହି ଖବର ଆସିବା ପରେ ଥମିଯାଇଛି ସାରା ଦେଶ, ସ୍ତବ୍ଧ ହୋଇଯାଇଛନ୍ତି ଦେଶବାସୀ । ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । କୋଟି କୋଟି ଭାରତୀୟଙ୍କ ଆଖିରେ ଜକେଇ ଆସିଛି ଲୁହ । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଅଟଳ ବିହାରୀ ଅମର ରହେ । ସଂଧ୍ୟା ୫ ଟା ୫ ମିନିଟ୍ରେ ଭାରତର ଏହି ମହାନ ନେତାଙ୍କ ପରଲୋକ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ବାଜପେୟୀଙ୍କ ପାର୍ଥିବ ଶରୀରକୁ ଏମ୍ସରୁ ଦିଲ୍ଲୀର କ୍ରିଷ୍ଣା ମେନନ୍ ମାର୍ଗରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ଗତକାଲି ରାତିସାରା ଅନ୍ତିମ ଦର୍ଶନ କରିଥିଲେ ତାଙ୍କ ଭଲପାଉଥିବା ମଣିଷ ।

 

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଦେଶର ଅନେକ ତୁଙ୍ଗନେତା, ବାଜପେୟୀଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ୬ ଦଶକ ଧରି ଭାରତୀୟ ରାଜନୀତି, ଭାରତୀୟ ସଂସ୍କୃତି, ଭାରତୀୟ ଚେତନାକୁ ପ୍ରଭାବିତ ଆସୁଥିବା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକରେ ସ୍ତମ୍ଭୀଭୁତ ହୋଇ ଯାଇଛନ୍ତି ଦେଶବାସୀ । ରାଷ୍ଟ୍ରପତି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଏକ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ବାଜପେୟୀ ଦେଶବାସୀଙ୍କ ହୃଦୟରେ ସର୍ବଦା ଅମର ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ସେ କହିଛନ୍ତି ଦେଶ ଆଜି ତା’ର ଅମୂଲ୍ୟ ରତ୍ନକୁ ହରାଇଛି । ଅଟଳଙ୍କ ବାଣୀ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ ।