ଦିଲ୍ଲୀ ଏମ୍ସରେ ରାତିରେ ରହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ: ସକାଳ ୯ଟାରେ ଜାରି ହେବ ହେଲଥ ବୁଲେଟିନ୍

40

କନକ ବ୍ୟୁରୋ: ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆଜି ସକାଳ ୯ଟାରେ ଏମ୍ସ ପକ୍ଷରୁ ନୂଆ ବୁଲେଟିନ ଜାରି କରାଯିବ । ରୁଟିନ ଚେକଅପ ପାଇଁ ତାଙ୍କୁ ଏମ୍ସ ନିଆଯାଇଥିବା ବେଳେ ମେଡିକାଲରେ ଭର୍ତି କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଟିିମ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଡାକ୍ତର ଗୁଲେରିଆ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବାଜପେୟୀଙ୍କ ଚିକିତ୍ସା କରୁଛନ୍ତି ।

ସେପଟେ ଏମ୍ସକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଏଲ୍କେ ଆଡଭାନୀ, ମୂରଲି ମନୋହର ଯୋଶୀ, କଂଗ୍ର୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭଳି ବହୁ ତୁଙ୍ଗ ନେତା ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାରି ଭିତରେ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି । ୨୦୦୧ ମସିହାରେ ବାଜପେୟୀଙ୍କର ଆଣ୍ଠୁ ପ୍ରତିରୋପଣ ଭଳି ଅପରେସନ ହୋଇଛି ।

୨୦୦୯ ମସିହାରେ ହୃଦଘାତର ଶୀକାର ହୋଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୨୦୦୯ ପରବର୍ତୀ ସମୟରେ ବାଜପେୟୀଙ୍କ କହିବା ଶକ୍ତି କମିଯାଇଛି,ଏମିତିକି ପ୍ରାୟ କଥା ହୋଇପାରୁନାହାଁନ୍ତି । ସହଜରେ ବାଜପେୟୀ କାହାକୁ ଚିହ୍ନିପାରୁ ନଥିବା ଘଟଣା ବି ତାଙ୍କ ନିକଟ ସମ୍ପର୍କୀୟଙ୍କ ଜରିଆରେ ସାମ୍ନାକୁ ଆସିଛି । ଏମିତିକି ଅଟଳ ମଧୁମେହ ରୋଗରେ ବି ପୀଡିତ ଅଛନ୍ତି ଯାହାକୁ ଗୁରୁତ୍ୱର ସହ ନେଇ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

ଅସୁସ୍ଥ ଥିବା ବାଜପେୟୀଙ୍କ ଦିନ କେମିତି କଟୁଛି

୯୩ ବର୍ଷିୟ ବାଜପେୟୀ କିଛି ବର୍ଷ ହେଲା ଅସୁସ୍ଥ ଅଛନ୍ତି । ଡିମେସିଆ ରୋଗରେ ସେ ପୀଡିତ ଅଛନ୍ତି । ୨୦୦୯ରୁ ତାଙ୍କର ସାହାରା ପାଲଟିଛି ହ୍ୱିଲଚେୟାର । ସମ୍ପର୍କୀୟଙ୍କ କହିବା ଅନୁସାରେ, ସେ କମ କଥାବାର୍ତା କରୁଛନ୍ତି । ସେ ପଢିପାରୁନାହାନ୍ତି କି ଲେଖିପାରୁନାହାନ୍ତି । କିନ୍ତୁ ବହୁତ ଟିଭି ଦେଖିଥାନ୍ତି । ପୁରୁଣା ଫିଲ୍ମ ଓ ଗୀତ ଶୁଣିବାରୁ ବହୁତ ଭଲ ପାଆନ୍ତି । ଦିଲ୍ଲୀ ବାସଭବନରେ ଏକ ଡାକ୍ତରୀ ଦଳ ୨୪ ଘଂଟା ବାଜପେୟୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥାନ୍ତି । ପ୍ରତ୍ୟେକ ଦିନ ସକାଳେ ବାଜପେୟୀଙ୍କୁ ଦେଖିବା ପାଇଁ ୪ ଜଣ ଫିଜିଓଥେରାପିଷ୍ଟ ଆସିଥାନ୍ତି । ଖାଇବା ପାଇଁ ବାଜପେୟୀଙ୍କୁ କେବଳ ତରଳଜାତୀୟ ପଦାର୍ଥ ଦିଆଯାଉଛି । ଦେଶର ସବୁଠାରୁ ବଡ ସମ୍ମାନ ଭାରତରତ୍ନ ବାଜଜେୟୀଙ୍କୁ ଦିଆଯାଇଛି ।