ଯେବେ ଅପହରଣକାରୀଙ୍କ ଠାରୁ ଲୋକଙ୍କୁ ବଞ୍ଚାଇବାକୁ ବିମାନ ମଧ୍ୟକୁ ନିଜେ ଯାଇଥିଲେ ବାଜପେୟୀ । ଜାଣନ୍ତୁ ଭାରତୀୟ ରାଜନୀତିର ଭୀଷ୍ମ ପିତାମହଙ୍କ ବିଷୟରେ କିଛି ଅଜଣା କଥା

48

ଭାରତରତ୍ନ ପ୍ରାପ୍ତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗୁରବାର ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରବାର ସନ୍ଧ୍ୟା ୫ଟା ୫ମିନିଟରେ ଦିଲ୍ଲୀ ଏମ୍ସରେ ଇହଧାମ ତ୍ୟାଗ କରିଛନ୍ତି ବାଜପେୟୀ । ପୂରା ଦେଶବାସୀଙ୍କ ପସନ୍ଦର ପ୍ରଧାନମନ୍ତ୍ରୀ ଥିଲେ ଅଟଳ । ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଯାହାଙ୍କୁ ବିରୋଧୀ ଦଳର ସଦସ୍ୟ ମଧ୍ୟ ସମ୍ମାନ କରୁଥିଲେ । ତେବେ ଏହି ସମ୍ମାନ ଏମିତିରେ ହାସଲ କରିନଥିଲେ ବାଜପେୟୀ । ଏପରିକି ଅନେକ ସମୟରେ ଜଣେ ସାହସୀ ନେତା ଭାବେ ଉଭା ହୋଇଥିଲେ ବାଜପେୟୀ । ଆଉ ଏୟାର ଇଣ୍ଡିଆ ବିମାନ ଅପହରଣ ସମୟରେ ବାଜପେୟୀ ଯେଉଁ ଅଦମ୍ୟ ସାହସ ଦେଖାଇଥିଲେ ତାହା ଜାଣିଲେ ଆଶ୍ଚଯ୍ୟ ହେବେ ।

କାନ୍ଦାହାର ଅପହରଣ ଘଟଣାରେ ଆତଙ୍କବାଦୀଙ୍କ ନିକଟରେ ମୁଣ୍ଡ ନୁଆଁଇବା ଘଟଣାରେ ଆଜି ମଧ୍ୟ ବାଜପେୟୀ ସରକାରଙ୍କୁ ନେଇ ଆଲୋଚନା ହୋଇଥାଏ । ଆଉ ଏହି ଘଟଣା ବାଜପେୟୀ ସରକାରର ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି, କାନ୍ଦାହାର ଘଟଣାର ଗୋଟିଏ ଦଶକ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ୪୮ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ନିଜେ ବିମାନ ଭିତରକୁ ପଶିଥିଲେ, ଯାହାକୁ ଜଣେ ଯୁବକ ଅପହରଣ କରି ଘଣ୍ଟା ଘଣ୍ଟା ଧରି ଲୋକଙ୍କୁୁ ବନ୍ଧକ ରଖିଥିଲା । ଏହି ଘଟଣା ସେତେବେଳେ ଚର୍ଚ୍ଚାକୁ ଆସିନଥିଲା ସତ କିନ୍ତୁ ଏହା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

୨୨ ଜାନୁଆରୀ ୧୯୯୨ର ଘଟଣା । ଯେତେବେଳେ ଜଣେ ଯୁବକ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଇଣ୍ଡିଆନ ଏୟାରଲାଇନ୍ସ ବିମାନକୁ ହାଇଜାକ କରି ନେଇଥିଲା । ଲକ୍ଷ୍ନୌରୁ ଉଡାଣ ଭରିବାର ୧୫ ମିନିଟ ମଧ୍ୟରେ ବିମାନରେ ଥିବା ଜଣେ ଯୁବକ କପଡାରେ ଗୁଡା ହୋଇଥିବା କିଛି ଜିନିଷ ଧରି କେମିକାଲ ବମ ଥିବା କହି ପୁଣିଥରେ ଲକ୍ଷ୍ନୌକୁ ଫେରିଯିବାକୁ କହିଥିଲା । ଆଉ ଯୁବକର ଏଭଳି ଘୋଷଣା ପରେ ପୂରା ବିମାନରେ ଆତଙ୍କ ଖେଳି ଯାଇଥିଲା । ଆଉ ଏହାପରେ ପାଇଲଟ ଲକ୍ଷ୍ନୌ ଏଟିସିକୁ ଖବର ଦେବା ପରେ ଆଗାମୀ ୪୫ ମିନିଟ ମଧ୍ୟରେ ଲକ୍ଷ୍ନୌ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରାଯାଇ ଏହାକୁ ଏକ କୋଣରେ ପାର୍କ କରାଯାଇଥିଲା । ଯେଉଁଠାରୁ ତାଙ୍କ ସହ ସର୍ମ୍ପକ ସ୍ଥାପନ କରାଯାଇପାରିବ । ତେବେ ଅପହରଣ କାରିୀ କେଉଁ ଉଦ୍ଦ୍ୟୋରେ ବିମାନକୁ ଅପହରଣ କରିଥିଲା ତାହାର କାରଣ କେହି ଜାଣିନଥିଲେ ।

ସେହି ସମୟରେ ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ଓ ବିରୋଧୀ ଦଳର ନେତା ଭାବେ ଅଟଳ ବିହାରୀ ବାଜପେୟୀ ଲକ୍ଷ୍ନୌରେ ଥିଲେ । କାର୍ଯ୍ୟକର୍ତା ମାନଙ୍କ ସହ ଭେଟଘାଟ ପରେ ସର୍କିଟ ହାଉସରେ ଖାଇବା ଆରମ୍ଭ କରିବା ମାତ୍ରେ ଧଇଁସଇଁ ହୋଇ ସେଠାରେ ପହଞ୍ଚିଥିଲେ ଲକ୍ଷ୍ନୌର ତକ୍ରାଳୀନ ଜିଲ୍ଲାପାଳ ଅଶୋକ ପ୍ରିୟଦର୍ଶୀ । ଆଉ ଏଭଳି ଭାବେ ହଠାତ ଆସିବାର କାରଣ କହିବାରୁ ରୁମରେ ଥିବା ସମସ୍ତ ସଦସ୍ୟ ଆଶ୍ଚଯ୍ୟ ହୋଇଯାଇଥିଲେ । ଏପରିକି ଜିଲ୍ଲାପାଳ ବାଜପେୟୀଙ୍କୁ ଅତିଶୀଘ୍ର ଏୟାରପୋର୍ଟ ଯିବାକୁ କହିଥିଲେ କାରଣ ସେଠାରେ ୪୮ ଜଣ ଲୋକଙ୍କ ଜୀବନ ସୂତାଖିଅରେ ଝୁଲୁଥିଲା । ଜିଲ୍ଲାପାଳଙ୍କ କଥା ଶୁଣିବା ମାତ୍ରକେ ଖାଇବା ଥାଳି ପାଖରୁ ଉଠିଯାଇ ବିମାନବନ୍ଦର ଅଭିମୁଖେ ବାହାରି ଯାଇଥିଲେ ବାଜପେୟୀ ।

ରାସ୍ତାରେ ଜିଲ୍ଲପାଳ କହିଥିଲେ ଯେ, ଜଣେ ବ୍ୟକ୍ତି ଲକ୍ଷ୍ନୌ-ଦିଲ୍ଲୀ ବିମାନକୁ କେମିକାଲ ବମ ଦ୍ୱାରା ହାଇଜାକ କରିଛି । ଆଉ ଅପହରଣକାରୀର ଡିମାଣ୍ଡ ହେଉଛି ଅଟଳ ବିହାରୀ ବାଜପେୟୀ ଏଠାକୁ ଆସନ୍ତୁ । ଆଉ ଯଦି ଅଟଳ ନ ଆସନ୍ତି ତେବେ କେମିକାଲ ବମ ଦ୍ୱାରା ବିମାନକୁ ଉଡାଇଦେବାକୁ ଧମକ ଦେଉଥିଲା ଅପହରଣକାରୀ ଯୁବକ । ବିମାନକୁ ଅପହରଣ କରିଥିବା ଯୁବକ ଲଗାତାର ଅଟଳଙ୍କ ସହ କଥା ହେବାକୁ ଏଟିଏସରେ ବସିଥିବା ପୋଲିସକୁ କହୁଥିଲା ଏବଂ ନିଜର ଦାବି ସେ ବାଜପେୟୀଙ୍କୁ ହିଁ ଜଣାଇବ ବୋଲି ସ୍ପଷ୍ଟ କରିଥିଲା ।

ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ବାଜପେୟୀଙ୍କୁ ଏୟାର ଟ୍ରାଫିକ କଣ୍ଟ୍ରୋଲର ଟାୱାରକୁ ନିଆଯାଇଥିଲା ଯେଉଁଠାରେ ଅପହରଣକାରୀଙ୍କ ସହ ସର୍ମ୍ପକ କରାଯାଉଥିଲା । ବାଜପେୟୀ ଏଟିସିରୁ ଅପହରଣକାରୀ ଯୁବକଙ୍କ ସହ କଥା ହେବା ସହ ଲୋକମାନଙ୍କୁ ଛାଡିଦେବାକୁ ଅପିଲ କରିଥିଲେ । କିନ୍ତୁ ଅପହରଣକାରୀ ବାଜପେୟୀଙ୍କ ସ୍ୱର ଚିହ୍ନି ନ ପାରୁନାହିଁ କହିବା ସହ ବିମାନକୁ ଉଡାଇଦେବାକୁ ଧମକ ଦେବା ଆରମ୍ଭ କଲା । ଏପରିକି ବାଜପେୟୀଙ୍କୁ ଭେଟିବା ପରେ ଦାବି ଜଣାଇବ ବୋଲି ଅପହରଣକାରୀ ସ୍ପଷ୍ଟ କଲା । କିନ୍ତୁ ଏଟିଏସ ବାଜପେୟୀଙ୍କୁ ବିମାନ ଭିତରକୁ ଛାଡିବା ପରିବର୍ତ୍ତେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କଲା । କିନ୍ତୁ ଏହାଦ୍ୱାରା ଲୋକଙ୍କ ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନବାଚୀ ଛିଡା ହୋଇଥିଲା । ଆଉ ଏହି ସମୟରେ ନିଜେ ବିମାନ ମଧ୍ୟକୁ ଯିବେ ବୋଲି ସ୍ଥିର କରିଥିଲେ ବାଜପେୟୀ । ଆଉ ଅନୁମତି ମିଳିବା ପରେ ଜିଲ୍ଲାପାଳ ଓ ଲାଲାଜୀ ଟଣ୍ଡନଙ୍କ ସହ ଅଟଳ ବିହାରୀ ବାଜପେୟୀ ବିମାନ ପାର୍କ ହୋଇଥିବା ସ୍ଥାନରେ ପହଞ୍ଚିଥିଲେ ।

ଯେତେବେଳେ ବିମାନ ପାଖକୁ ବାଜପେୟୀ ଆସିବା ପରେ ମଧ୍ୟ ଅପହରଣକାରୀ ମାନିନଥିଲା ସେତେବେଳେ ବିମାନ ଭିତରକୁ ଯିବାକୁ ସାହସ ଦେଖାଇଥିଲେ ଅଟଳ । ପ୍ରଥମେ ଜିଲ୍ଳାପାଳ ଅଶୋକ ପ୍ରିୟଦର୍ଶୀ ଓ ଲାଲାଜୀ ଟଣ୍ଡନ ବିମାନ ମଧ୍ୟକୁ ପ୍ରବେଶ କରି ଅପହରଣକାରୀକୁ ବୁଝାଇଥିଲେ ମଧ୍ୟ କୌଣସି ଫରକ ପଡିନଥିଲା । ଆଉ ଏହି ସମୟରେ ବିରୋଧୀ ଦଳର ନେତା ଥିବା ବାଜପେୟୀ ବିମାନ ମଧ୍ୟକୁ ପ୍ରବେଶ କରିଥିଲେ । ଆଉ ଏହି ସମୟରେ ବାଜପେୟୀଙ୍କ ସୁରକ୍ଷାକର୍ମୀ ମଧ୍ୟ ବିମାନ ମଧ୍ୟରେ ପଶିଥିଲେ । ଅପହରଣକାରକୁ ଲାଲାଜୀ ଟଣ୍ଡନ କହିଥିଲେ ଯାହାକୁ ଭେଟି ତୁମେ ନିଜର ଦାବି ଜଣାଇବାକୁ ଚାହୁଁଥିଲେ ସେ ତୁମ ସାମ୍ନାରେ ଛିଡା ହୋଇଛନ୍ତି । ଏପରିକି ତୁମର ଦାବି ଶୁଣିବା ପାଇଁ ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ଚାଲି ଚାଲି ଆସିଛନ୍ତି ବାଜପେୟୀ । ତେଣୁ ତାଙ୍କ ଆଗରେ ତୁମର ଦାବି ରଖିବା ପୂର୍ବରୁ ତାଙ୍କ ପାଦ ଛୁଇଁ ପ୍ରଣାମ କର । ଆଉ ଅପହରଣକାରୀ ବାଜପେୟୀଙ୍କ ପାଦ ଛୁଇଁବାକୁ ନଇଁ ପଡିବା ମାତ୍ରେ ସୁରକ୍ଷାକର୍ମୀ ମାନେ ତାଙ୍କୁ ମାଡି ବସିଥିଲେ ।

ସୁରକ୍ଷାକର୍ମୀଙ୍କ ହାତରେ ଅପହରଣକାରୀ ଧରାପଡିବା ପରେ କେମିକାଲ ବମ କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣା ପଡିଥିଲା । କପଡାରେ କିଛି ଜିନିଷ ଗୁଡାଇ ଏହାକୁ କେମିକାଲ ବମ କହି ବାଜପେୟୀଙ୍କୁ ବିମାନ ପର୍ଯ୍ୟନ୍ତ ଆଣିବାରେ ସଫଳ ହୋଇଥିଲେ ଅପହରଣକାରୀ । ଏପରିକି ବାଜପେୟୀ ମଧ୍ୟ ସାହସ ଦେଖାଇ ବିମାନ ମଧ୍ୟକୁ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଥିଲା । ୪୮ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଅଟଳ ବିହାରୀ ବାଜପେୟୀ ଅପହରଣକାରୀର ଦାବି ଶୁଣିବାକୁ ବିମାନ ମଧ୍ୟକୁ ଏକାକୀ ପ୍ରବେଶ କରିବା ଘଟଣା ବିଷୟରେ ଏବେ ମଧ୍ୟ ଅନେକ ଲୋକ ଜାଣି ନାହାନ୍ତି । କିନ୍ତୁ ବାଜପେୟୀ ସେ ସମୟରେ ନିଜ ଜୀବନକୁ ବାଜି ଲଗାଇ ଯେଉଁ ଅଦମ୍ୟ ସାହସ ଦେଖାଇଥିଲେ ତାହା ତାଙ୍କୁ ଜନପ୍ରିୟ ନେତା ଭାବେ ଉଭା କରାଇଥିଲା ।