ଅନ୍ତିମ ଯାତ୍ରାରେ କାଳଜୟୀ ଅଟଳ: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ବାଜପେୟୀଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଂଜଳି ଅର୍ପଣ କରୁଛନ୍ତି ନେତା ଓ ସମର୍ଥକ

35

କନକ ବ୍ୟୁରୋ: ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୯୩ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସଂଧ୍ୟା ୫ ଟା ୫ ମିନିଟରେ ଭାରତର ଏହି ମହାନ ନେତାଙ୍କ ପରଲୋକ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ବାଜପେୟୀଙ୍କ ପାର୍ଥିବ ଶରୀରକୁ ଏମ୍ସରୁ ଦିଲ୍ଲୀର କ୍ରିଷ୍ଣା ମେନନ୍ ମାର୍ଗରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ଗତକାଲି ରାତିସାରା ଅନ୍ତିମ ଦର୍ଶନ କରିଥିଲେ ତାଙ୍କ ଭଲପାଉଥିବା ମଣିଷ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଦେଶର ଅନେକ ତୁଙ୍ଗନେତା, ବାଜପେୟୀଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଆଜି ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ବିଜେପି ମୁଖ୍ୟାଳୟକୁ ଅଣାଯାଇଛି ।

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳୀୟ ନେତା, କର୍ମୀ, ସମର୍ଥକମାନେ ତାଙ୍କୁ ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ଦିନ ସାଢ଼େ ଗୋଟାଏ ବେଳେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେବ । ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଅପରାହ୍ନ ୪ଟାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ।