ବ୍ରହ୍ମକୁଣ୍ଡରେ ଲୀନ ହେଲେ ବାଜପେୟୀ: ହରିଦ୍ୱାରରେ ଦିବଂଗତ ବାଜପେୟୀଙ୍କ ଅସ୍ଥି ବିସର୍ଜନ, ନେତାଙ୍କ ସମେତ ହଜାର ହଜାର ଜନତା ଦେଲେ ଶୋକାକୁଳ ବିଦାୟ

49

କନକ ବ୍ୟୁରୋ: ହରିଦ୍ୱାରର ବ୍ରହ୍ମକୁଣ୍ଡରେ ବିସର୍ଜନ ହୋଇଛି ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି । ହରିଦ୍ୱାରର ବ୍ରହ୍ମକୁଣ୍ଡରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଇଛି । ବାଜପେୟୀଙ୍କ ଅସ୍ଥି କଳସକୁ ଏକ ସୁସଜ୍ଜିତ ଟ୍ରକ୍ରେ ବିରାଟ ଶୋଭାଯାତ୍ରାରେ ନିଆଯାଇ ହରିଦ୍ୱାରର ବ୍ରହ୍ମକୁଣ୍ଡରେ ବିସର୍ଜନ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାଜପେୟୀଙ୍କ ଅସ୍ଥି କଳସ ସହ ଟ୍ରକରେ ଯାତ୍ରା କରିଥିଲେ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହ ରାଜ୍ୟର ଅନେକ ମନ୍ତ୍ରୀ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏହା ସହ ଡେରାଡୁନରୁ ୨ ଶହ ବସରେ ଆସିଥିବା ୧୫ ହଜାରରୁ ଅଧିକ ବିଜେପି କର୍ମକର୍ତା ମଧ୍ୟ ଅସ୍ଥି କଳସ ଯାତ୍ରାରେ ସାମିଲ ହୋଇଥିଲେ ।

ପ୍ରବଳ ଖରା ସତ୍ୱେ ରାଜନାଥ ସିଂ ଓ ଅମିତ ଶାହା ମୁଣ୍ଡରେ ଗାମୁଛା ପକାଇ ବାଜପେୟୀଙ୍କ ଅସ୍ଥି କଳସ ପାଖରେ ବସି ରହିଥିବା ଦେଖିବାକୁ ମିଳିଥିଲା । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୁଣ୍ଡରେ ଗାମୁଛା ପକାଇ ଅସ୍ଥି କଳସ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ହରିଦ୍ୱାରର ଭଲ୍ଲା କଲେଜ୍ ଗ୍ରାଉଣ୍ଡରୁ ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ୨ କିଲୋମିଟର ବ୍ୟାପୀ ଏହି କଳସ ଶୋଭାଯାତ୍ରାରେ ବହୁ ଶୋକାକୁଳ ଜନତା ସାମିଲ ହୋଇଛନ୍ତି । ଗଙ୍ଗା ନଦୀ ପୌଡି ଘାଟରେ ପହଂଚିବା ପରେ ବ୍ରହ୍ମକୁଣ୍ଡରେ ମନ୍ତ୍ର ଉଚ୍ଚାରଣ ସହ ଅସ୍ଥି ବିସର୍ଜନ ହୋଇଛି ।

ବାଜପେୟୀଙ୍କ ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ଏହି ଅବସରରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ । ନିଜର ପ୍ରିୟ ନେତାଙ୍କୁ ଶେଷ ବିଦାୟ ଦେବା ପାଇଁ ଗଙ୍ଗା ଘାଟରେ ମଧ୍ୟ ହଜାର ହଜାର ନେତା ଅପେକ୍ଷା କରିରହିଥିଲେ । ଏହା ପୂର୍ବରୁ ଆଜି ସକାଳେ ଅନ୍ତିମ ସଂସ୍କାର ହୋଇଥିବା ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରୁ ବାଜପେୟୀଙ୍କ ଅସ୍ଥି ସଂଗ୍ରହ କରାଯାଇଥିଲା । ପାଳିତା ଝିଅ ନମିତା ଓ ନାତୁଣୀ ନିହାରିକାଙ୍କ ସହ ପରିବାର ସଦସ୍ୟମାନେ ସ୍ମୃତି ସ୍ଥଳରେ ପହଁଚି ଅସ୍ଥି ସଂଗ୍ରହ କରିଥିଲେ ।