ମଧ୍ୟପ୍ରଦେଶରେ ପୋଲିସ ଗୁଳିରେ ଚାଷୀ ମୃତ୍ୟୁ ପରେ ସରକାରଙ୍କ ମଲମ ! ମୃତକଙ୍କୁ କୋଟିଏ, ଆହତଙ୍କୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା

38

କନକ ବ୍ୟୁରୋ: ମଧ୍ୟପ୍ରଦେଶ ମନ୍ଦସୋର କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଚାଷୀଙ୍କୁ ୧ କୋଟି ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହା ସହ ମୃତକଙ୍କ ପରିବାରରୁ ଜଣକୁ ଚାକିରି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆନ୍ଦୋଳନରେ ଆହତ ହୋଇଥିବା ସମସ୍ତ ଚାଷୀଙ୍କର ମାଗଣା ଚିକିତ୍ସା କରାଯିବ । ଏହା ସହ ପ୍ରତ୍ୟେକ ଆହତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମଧ୍ୟପ୍ରଦେଶରେ ଜାରି ରହିଥିବା କୃଷକ ସଂଗଠନର ଆନ୍ଦୋଳନ ମଙ୍ଗଳବାର ଉଗ୍ର ରୂପ ନେଇଥିଲା । ଯେଉଁଥିପାଇଁ ମନ୍ଦସୋରରେ ଆନ୍ଦୋଳନକାରୀ କୃଷକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲା । ତେବେ ଏହି ଆନ୍ଦୋଳନରେ ପୁଲିସ ଗୁଳିରେ ୫ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ କୃଷକ ଆହତ ହୋଇଛନ୍ତି ।

ଘଟଣାକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହା ସହ ଚାଷୀ ମୃତ୍ୟୁ ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଧୈର୍ଯ୍ୟ ଧରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଶିବରାଜ । ତେବେ ଏହି ଆନ୍ଦୋଳନରେ ଅସାମାଜିକ ତତ୍ୱ ପ୍ରବେଶ କରିଥିବାରୁ ଏଭଳି ଅଘଟଣ ଘଟିଥିବା ସେ ଅଭିଯୋଗ କରିିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ କଂଗ୍ରେସ ଏହି ଷଡଯନ୍ତ୍ର କରିଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହା ସହ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ । ପୁଲିସ ପକ୍ଷରୁ କୌଣସି ଗୁଳି ଚାଳନା କରାଯାଇନଥିବା କହିଛନ୍ତି ଗୃହମନ୍ତ୍ରୀ । ମନ୍ଦସୋର ଅଂଚଳରେ କର୍ଫ୍ୟୁ ଲଗାଯିବା ସହ ୧୪୪ ଧାରା ଜାରି କରାଯାଇଛି । ଏହା ସହ ଇଂଟରନେଟ୍ ସେବା ମଧ୍ୟ ସଂପୂର୍ଣ ବନ୍ଦ କରାଯାଇଛି ।