ଇଣ୍ଡୋନେସିଆରେ ପୁଣି ସୁନାମୀର ତାଣ୍ଡବ: ଚାହୁଁ ଚାହୁଁ ଚାଲିଗଲା ୧୬୮ରୁ ଅଧିକ ଜୀବନ, ଶତାଧିକ ନିଖୋଜ, ଦେଖନ୍ତୁ ମହାବିପର୍ଯ୍ୟୟ ସମୟର ଦୃଶ୍ୟ

ମ୍ୟୁଜିକ କନସର୍ଟ ଚାଲିଥିବାବେଳେ ଅଚାନକ ମାଡ଼ି ଆସିଲା ପାଣି

242

କନକ ବ୍ୟୁରୋ: ଇଣ୍ଡୋନେସିଆରେ ସୁନାମୀ ଆଣିଲା ଭୟଙ୍କର ବିପର୍ଯ୍ୟୟ । ଗୋଟେ ପଟେ ଜୀବନ୍ତ ଆଗ୍ନେୟଗିରିରୁ ଉଦଗିରଣ ଜାରିରହିଛି ଅନ୍ୟପଟେ ସୁନାମୀ । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଇଣ୍ଡୋନେସିଆ ଉପକୂଳରେ ୧୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦୦ଜଣ ଆହତ ହୋଇଛନ୍ତି ଓ ଶତାଧିକ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି ।

ଶନିବାର ସନ୍ଧ୍ୟାରେ ସୁନାମୀ ଆସିଥିଲା । ରାତିରେ ସୁନାମୀ ଆସିଥିବାରୁ ଲୋକଙ୍କ ଭିତରେ ହାହାକାର ସୃଷ୍ଟି ହୋଇଥିଲା । ଯିଏ ଯେଉଁଠି ଥିଲା ସେହି ସ୍ଥାନରେ ଅଟକି ଯାଇଥିଲେ । ଏବେ ବି ରାସ୍ତା ଉପରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । ସବୁଆଡେ ଖାଲି ପାଣି ଆଉ ପାଣି । ବହୁସଂଖ୍ୟାରେ ଘରଦ୍ୱାର ଭାଂଗିଯାଇଛି । ଜାଭା ଓ ସୁମାତ୍ରା ମଧ୍ୟବର୍ତି ସୁନ୍ଦରା ଅଂଚଳରେ ଏହି ପ୍ରଳୟଙ୍କରୀ ସୁନାମୀ ଆସିଛି । ପ୍ରାଥମିକ ସୂଚନା ଅନୁଯାୟୀ କ୍ରାକାଟୋଆ ଆଗ୍ନେୟ ଉଦଗିରଣ ଯୋଗୁଁ ସମୁଦ୍ର ଭିତରେ ଭୁସ୍ଖଳନ ଘଟିବା ପରେ ଏହି ସୁନାମି ଆସିଛି ।

ଇଣ୍ଡୋନେସିଆ ଡିଜାଷ୍ଟର ମିଟିଗେସନ ଏଜେନ୍ସିର କହିବା ଅନୁଯାୟୀ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି ଓ ହଜାର ହଜାର ଘର ଭାଙ୍ଗିଯାଇଛି । କେଉଁଠାରେ ଗାଡ଼ି ଉପରେ ଗଛ ପଡ଼ିରହିଛି ତ ପୁଣି କେଉଁଠି ଘର ସମୁଦ୍ର ପାଣିରେ ଧୋଇଯାଇଛି । ସେପଟେ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ । ଅନ୍ୟପଟେ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ସମୁଦ୍ରରେ ଉଚ୍ଚଜୁଆର ଆସିବା କାରଣରୁ ସମୁଦ୍ରକୁଳଠାରୁ ଦୁରରେ ରହିବାକୁ ସତର୍କତା ଜାରି କରିଛି ଇଣ୍ଡୋନେସିଆ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ସେପଟେ, ଏକ ମ୍ୟୁଜିକ କନସର୍ଟ ଚାଲିଥିବାବେଳେ ଅଚାନକ ମାଡ଼ି ଆସିଲା ପାଣି । ସମସ୍ତେ ମସଗୁଲ ଥିଲେ ସଙ୍ଗୀତ କାର୍ଯ୍ୟକ୍ରମରେ । ତେବେ କେହି କିଛି ବୁଝିବା ପୂର୍ବରୁ ହଠାତ ସମୁଦ୍ର ପାଣି ଛାରଖାର କରିଦେଇଥିଲା ମ୍ୟୁଜିକ୍ ପେଣ୍ଡାଲକୁ । ମ୍ୟୁଜିକ୍ କନସର୍ଟ କଳାକାରଙ୍କଠାରୁ ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ମନୋରଂଜନରେ ବ୍ୟସ୍ତ ଥିବା ବେଳେ ସୁନାମୀ କାରଣରୁ ଅଚାନକ ପାଣି ମାଡିଆସିଥିଲା । ଫଳରେ ଖୁସିର ମାହୋଲରେ ଖୋଲିଯାଇଥିବା ଭୟର ବାତାବରଣ । ତେବେ ଏହି ଘଟଣାରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଥିବା ଥିବା ବେଳେ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି ।